ନୂଆଦିଲ୍ଲୀ: ଦେଶର ନିର୍ବାଚନ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ପାଇଁ ପ୍ରସ୍ତୁତି ଚଳାଇଛନ୍ତି କେନ୍ଦ୍ର ସରକାର। ନୂଆ ଡିଲିମିଟେସନ୍ ବିଲ୍ରେ ଲୋକସଭା ଆସନ ସଂଖ୍ୟାକୁ ୮୫୦ ପର୍ଯ୍ୟନ୍ତ ବଢ଼ାଇବା ପ୍ରସ୍ତାବ ରହିଛି। ଏଥିସହ ଲୋକସଭା ଓ ବିଧାନସଭାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ଲାଗୁ କରିବାକୁ ଯୋଜନା ରହିଛି। ନଭେମ୍ବର ୨୭ରେ କେନ୍ଦ୍ର କ୍ୟାବିନେଟ୍ ଏହି ବିଲ୍କୁ ମଞ୍ଜୁରୀ ଦେଇଛି।
ନୂଆ ବିଲ୍ରେ କ'ଣ ରହିଛି?
ପ୍ରସ୍ତାବ ଅନୁସାରେ ଲୋକସଭାରେ ସର୍ବାଧିକ ୮୫୦ଟି ଆସନ ରହିପାରିବ। ସେଥିରୁ ୮୧୫ଟି ଆସନ ରାଜ୍ୟଗୁଡ଼ିକ ପାଇଁ ଏବଂ ୩୫ଟି ଆସନ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ରହିବ। ସେହିପରି ବିଧାନସଭା ଆସନ ସଂଖ୍ୟାରେ ମଧ୍ୟ ୫୦ ପ୍ରତିଶତ ବୃଦ୍ଧି ପ୍ରସ୍ତାବ ରହିଛି।
୨୦୫୧ ପର୍ଯ୍ୟନ୍ତ ରହିବ ସିଟ୍ ବ୍ୟବସ୍ଥା
ନୂଆ ପ୍ରସ୍ତାବରେ ଆସନ ବଣ୍ଟନର ରାଜ୍ୟଭିତ୍ତିକ ଅନୁପାତକୁ ୧୯୭୧ ଜନଗଣନା ଆଧାରରେ ବଜାୟ ରଖିବାକୁ କୁହାଯାଇଛି। ଅନ୍ୟପଟେ ନିର୍ବାଚନମଣ୍ଡଳୀର ସୀମା ନିର୍ଦ୍ଧାରଣ ପାଇଁ ୨୦୧୧ ଜନଗଣନା ତଥ୍ୟ ବ୍ୟବହାର କରାଯିବ। ଏହି ଆସନ ବଣ୍ଟନ ବ୍ୟବସ୍ଥା ୨୦୫୧ ପର୍ଯ୍ୟନ୍ତ ଜାରି ରହିବାର ପ୍ରସ୍ତାବ ରହିଛି।
ମହିଳାଙ୍କୁ ମିଳିବ ୩୩% ସଂରକ୍ଷଣ
ନୂଆ ବିଲ୍ରେ ଲୋକସଭା, ରାଜ୍ୟ ବିଧାନସଭା ଓ କେନ୍ଦ୍ରଶାସିତ ଅଞ୍ଚଳର ବିଧାନସଭାରେ ମହିଳାଙ୍କ ପାଇଁ ଏକ-ତୃତୀୟାଂଶ ଆସନ ସଂରକ୍ଷଣର ବ୍ୟବସ୍ଥା ରହିଛି। ସଂରକ୍ଷିତ ଆସନଗୁଡ଼ିକୁ ରୋଟେସନ୍ ଆଧାରରେ ବଦଳାଯିବ। ଏହି ସଂରକ୍ଷଣ ୧୫ ବର୍ଷ ପାଇଁ ଲାଗୁ କରିବାର ପ୍ରସ୍ତାବ ରହିଛି।
ନଭେମ୍ବର ୩୦ରୁ ସଂସଦର ସ୍ୱତନ୍ତ୍ର ଅଧିବେଶନ
ନଭେମ୍ବର ୩୦ରୁ ଡିସେମ୍ବର ୩ ପର୍ଯ୍ୟନ୍ତ ସଂସଦର ସ୍ୱତନ୍ତ୍ର ଅଧିବେଶନ ହେବାକୁ ଯାଉଛି। ଏଥିରେ ପୁରୁଣା ବିଲ୍କୁ ପ୍ରତ୍ୟାହାର କରି ନୂଆ ସଂଶୋଧିତ ବିଲ୍ ଆଗତ କରିବାକୁ ସରକାର ପ୍ରସ୍ତୁତ ହେଉଛନ୍ତି।
ସରକାରଙ୍କ ଲକ୍ଷ୍ୟ ଦୁଇ ବର୍ଷ ମଧ୍ୟରେ ସମସ୍ତ ପ୍ରକ୍ରିୟା ଶେଷ କରି ୨୦୨୯ ଲୋକସଭା ନିର୍ବାଚନରୁ ନୂଆ ବ୍ୟବସ୍ଥା ଲାଗୁ କରିବା। ତେବେ ଏଥିପାଇଁ ସଂସଦରେ ସମ୍ବିଧାନ ସଂଶୋଧନ ବିଲ୍ ପାସ୍ ହେବା ଜରୁରୀ।