ଗୋପାଳପୁର: ଗଞ୍ଜାମବାସୀଙ୍କ ପାଇଁ ଖୁସି ଖବର। ବିଶାଖାପାଟଣାରୁ ଗୋପାଳପୁର ବନ୍ଦରରେ ପହଞ୍ଚିଛି ଭାରତୀୟ ନୌସେନାର ଅତ୍ୟାଧୁନିକ ଯୁଦ୍ଧଜାହାଜ ‘ଆଇଏନଏସ୍ ଦୁନାଗିରି’। ଆସନ୍ତା ଦୁଇଦିନ ଧରି ଏହି ବିଶାଳ ଯୁଦ୍ଧଜାହାଜକୁ ନିକଟରୁ ଦେଖିବାର ସୁଯୋଗ ପାଇବେ ସାଧାରଣ ଜନତା। ଏହି ଖବର ପ୍ରଚାର ହେବା ପରେ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଦେଖାଦେଇଛି ପ୍ରବଳ ଉତ୍ସାହ।
ସମୁଦ୍ରରେ ଦେଶର ସୁରକ୍ଷାରେ ନିୟୋଜିତ ଏହି ଯୁଦ୍ଧଜାହାଜର ବିଶାଳକାୟ ରୂପ, ଅତ୍ୟାଧୁନିକ ଯନ୍ତ୍ରପାତି ଏବଂ ନୌସେନାର କାର୍ଯ୍ୟଶୈଳୀକୁ ନିକଟରୁ ଦେଖିବା ସହ ଜାଣିବାର ଏହା ଏକ ବିରଳ ସୁଯୋଗ। ବିଶେଷକରି ଛାତ୍ରଛାତ୍ରୀ ଓ ଯୁବପିଢ଼ିଙ୍କ ପାଇଁ ଏହି ଅନୁଭୂତି ନିଶ୍ଚିତ ଭାବେ ହେବ ଅବିସ୍ମରଣୀୟ।
ଦେଶର ସାମୁଦ୍ରିକ ସୁରକ୍ଷାରେ ଭାରତୀୟ ନୌସେନାର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ନିକଟରୁ ଅନୁଭବ କରିବାର ଏହି ସୁଯୋଗକୁ ନେଇ ଗଞ୍ଜାମବାସୀଙ୍କ ମଧ୍ୟରେ ରହିଛି ଉତ୍କଣ୍ଠା। ତେବେ ଏହି ଯୁଦ୍ଧଜାହାଜ ଦର୍ଶନ ପାଇଁ ନିର୍ଦ୍ଧାରିତ ସମୟ ଓ ପ୍ରବେଶ ସମ୍ପର୍କିତ ନିୟମାବଳୀ ଜାଣି ଯିବାକୁ ଅନୁରୋଧ କରାଯାଇଛି।