ଭୁବନେଶ୍ୱର: ରାଜ୍ୟରେ ଧୀରେ ଧୀରେ ବଢ଼ିବ ଶୀତର ପ୍ରକୋପ। ଏହା ସହ ସକାଳୁ ସକାଳୁ ଘେରିବ କୁହୁଡ଼ିର ଚାଦର। ଓଡ଼ିଶାର ୧୦ଟି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ହେବା ନେଇ ଆଲର୍ଟ ଜାରି କରିଛି ଭୁବନେଶ୍ୱରସ୍ଥିତ ପାଣିପାଗ କେନ୍ଦ୍ର। ଏଥିସହ ଆଗାମୀ ଦୁଇ ଦିନ ମଧ୍ୟରେ ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ୍ ହ୍ରାସ ପାଇବା ସମ୍ଭାବନା ରହିଛି।
ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ଅନୁଯାୟୀ, ନଭେମ୍ବର ୨୮ ତାରିଖ ସକାଳ ୮ଟା ୩୦ ପର୍ଯ୍ୟନ୍ତ ରାଜ୍ୟର ୧୦ଟି ଜିଲ୍ଲାର କିଛି ସ୍ଥାନରେ କୁହୁଡ଼ି ଦେଖାଦେବାର ସମ୍ଭାବନା ରହିଛି।
କୁହୁଡ଼ି ଆଲର୍ଟ ଜାରି ହୋଇଥିବା ୧୦ ଜିଲ୍ଲା:
- ସୁନ୍ଦରଗଡ଼
- ଝାରସୁଗୁଡ଼ା
- ସମ୍ବଲପୁର
- କୋରାପୁଟ
- କନ୍ଧମାଳ
- କଳାହାଣ୍ଡି
- ବୌଦ୍ଧ
- ଅନୁଗୋଳ
- ସୁବର୍ଣ୍ଣପୁର
- ଢେଙ୍କାନାଳ
ଅନ୍ୟପଟେ ରାଜ୍ୟରେ ରାତି ତାପମାତ୍ରା ହ୍ରାସ ପାଇବା ନେଇ ମଧ୍ୟ ପୂର୍ବାନୁମାନ କରିଛି IMD। ଆଗାମୀ ଦୁଇ ଦିନ ମଧ୍ୟରେ ସର୍ବନିମ୍ନ ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ୍ କମିପାରେ। ଏହାପରେ ରାଜ୍ୟର ଜିଲ୍ଲାଗୁଡ଼ିକରେ ରାତି ତାପମାତ୍ରାରେ ବଡ଼ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ।
କୁହୁଡ଼ି ଯୋଗୁଁ ସକାଳ ସମୟରେ ରାସ୍ତାରେ ଦୃଶ୍ୟମାନତା କମିପାରେ। ତେଣୁ ଯାତାୟାତ ସମୟରେ ଯାନବାହନ ଚାଳକମାନେ ସତର୍କ ରହିବା ଆବଶ୍ୟକ। ତେବେ ଆଗାମୀ ଦୁଇ ଦିନରେ ତାପମାତ୍ରା ଆହୁରି ଖସିବା ସହ କୁହୁଡ଼ିର ପ୍ରଭାବ ଓଡ଼ିଶାରେ ଶୀତର ଅନୁଭୂତିକୁ ବଢ଼ାଇବା ସମ୍ଭାବନା ରହିଛି।