ନୂଆଦିଲ୍ଲୀ: ଡିଲିମିଟେସନ୍ ବିଲ୍କୁ ନେଇ ଜାତୀୟ ରାଜନୀତିରେ ବଡ଼ ମୋଡ଼। ଦୀର୍ଘଦିନ ଧରି ସୀମା ନିର୍ଦ୍ଧାରଣ ପ୍ରକ୍ରିୟାକୁ ବିରୋଧ କରିଆସୁଥିବା ତାମିଲନାଡୁର ଶାସକ ଦଳ ଡିଏମ୍କେ (DMK) ଏବେ କେନ୍ଦ୍ର ସରକାରଙ୍କ ପ୍ରସ୍ତାବିତ ନୂଆ ଡିଲିମିଟେସନ୍ ବିଲ୍କୁ ସମର୍ଥନ ଘୋଷଣା କରିଛି। ଶନିବାର ସକାଳେ ଦଳୀୟ ସାଂସଦଙ୍କ ବୈଠକ ପରେ ଏହି ନିଷ୍ପତ୍ତି ସ୍ପଷ୍ଟ ହୋଇଛି। ଫଳରେ ସଂସଦରେ ବିଲ୍ ପାରିତ କରାଇବାକୁ ଉଦ୍ୟମ କରୁଥିବା ମୋଦି ସରକାରଙ୍କୁ ଏକ ବଡ଼ ରାଜନୈତିକ ସମର୍ଥନ ମିଳିଛି।
କାହିଁକି ବଦଳିଲା DMKର ଆଭିମୁଖ୍ୟ?
DMK ମୁଖ୍ୟ ଏମ୍.କେ. ଷ୍ଟାଲିନ୍ ‘ଏକ୍ସ’ରେ ପୋଷ୍ଟ କରି କହିଛନ୍ତି ଯେ, ଦଳ ପୂର୍ବରୁ ଯେଉଁ ଦୁଇଟି ଦାବିକୁ ନେଇ ଗତ ଏପ୍ରିଲରେ ଡିଲିମିଟେସନ୍ ବିଲ୍କୁ ବିରୋଧ କରିଥିଲା, ନୂଆ ବିଲ୍ରେ ସେହି ଦୁଇଟି ଦାବିକୁ ଲିଖିତ ଭାବେ ସାମିଲ କରାଯାଇଛି। ଏହା ୨୦୨୪ରୁ DMK ଚଳାଇଥିବା ନିରନ୍ତର ସଂଘର୍ଷର ବିଜୟ। ଏହା କେବଳ ତାମିଲନାଡୁ ନୁହେଁ, ସମସ୍ତ ଦକ୍ଷିଣ ଭାରତୀୟ ରାଜ୍ୟର ବିଜୟ ବୋଲି ସେ କହିଛନ୍ତି।
ସମସ୍ତ ରାଜ୍ୟରେ ୫୦% ଆସନ ବୃଦ୍ଧି ପ୍ରସ୍ତାବ
ନୂଆ ବିଲ୍ରେ ୧୯୭୧ ଜନଗଣନା ଆଧାରରେ ସମସ୍ତ ରାଜ୍ୟର ଲୋକସଭା ଆସନ ସଂଖ୍ୟାରେ ୫୦ ପ୍ରତିଶତ ବୃଦ୍ଧି କରିବାର ବ୍ୟବସ୍ଥା ଥିବା ଷ୍ଟାଲିନ୍ କହିଛନ୍ତି। ଏହା ସହ ଆସନ ସଂଖ୍ୟା ବୃଦ୍ଧି ଉପରେ ୨୫ ବର୍ଷର ରୋକ୍ ଲଗାଇବା ସମ୍ପର୍କିତ ବ୍ୟବସ୍ଥାକୁ ମଧ୍ୟ କେନ୍ଦ୍ର ସରକାର ଗ୍ରହଣ କରିଥିବା DMK ପକ୍ଷରୁ କୁହାଯାଇଛି।
୩୯ରୁ ୫୯ ହେବ ତାମିଲନାଡୁର ଆସନ!
DMKର କହିବା ଅନୁଯାୟୀ, ନୂଆ ସୀମା ନିର୍ଦ୍ଧାରଣ ପରେ ତାମିଲନାଡୁର ଲୋକସଭା ଆସନ ୩୯ରୁ ବୃଦ୍ଧି ପାଇ ୫୯ ହୋଇପାରେ। ତେବେ ସଂସଦରେ ତାମିଲନାଡୁର ପ୍ରତିନିଧିତ୍ୱ ଅଂଶ ପ୍ରାୟ ୭.୨ ପ୍ରତିଶତରେ ସୁରକ୍ଷିତ ରହିବ ବୋଲି ଦଳ ଆଶା ରଖିଛି।
ବିରୋଧୀଙ୍କୁ ଷ୍ଟାଲିନ୍ଙ୍କ ଅପିଲ୍
ଡିଲିମିଟେସନ୍ ପ୍ରସଙ୍ଗରେ ଭାବପ୍ରବଣ ନ ହୋଇ ଶାନ୍ତ ମନରେ ଚିନ୍ତା କରିବାକୁ ଷ୍ଟାଲିନ୍ ବିରୋଧୀ ଦଳଗୁଡ଼ିକୁ ଅପିଲ୍ କରିଛନ୍ତି। ତାଙ୍କ ମତରେ, ସମସ୍ତ ରାଜ୍ୟରେ ଆସନ ବୃଦ୍ଧି ସହ ୧୯୭୧ ଜନଗଣନା ଆଧାରକୁ ସୁରକ୍ଷିତ ରଖୁଥିବା ଏହି ବିଲ୍କୁ ହାତଛଡ଼ା କରିବା ଉଚିତ୍ ନୁହେଁ।
ସଂସଦରେ DMKର ସମର୍ଥନ, ସରକାରଙ୍କୁ ମିଳିବ ବଳ
ଦଳୀୟ ବୈଠକ ପରେ DMK ସାଂସଦ ଏ. ରାଜା ଓ ଦୟାନିଧି ମାରନ୍ ମଧ୍ୟ ସଂସଦରେ ବିଲ୍କୁ ସମର୍ଥନ କରିବା ନେଇ ସ୍ପଷ୍ଟ କରିଛନ୍ତି। ୨୨ ଜଣ ସାଂସଦ ଥିବା DMKର ଏହି ନିଷ୍ପତ୍ତି ଲୋକସଭାରେ ସରକାରଙ୍କ ସଂଖ୍ୟାଗଣିତକୁ ମଜଭୁତ କରିପାରେ।
କଂଗ୍ରେସ ସହ ତାମିଲନାଡୁରେ ରାଜନୈତିକ ମତଭେଦ ପାଇଁ DMK ନିଜ ଆଭିମୁଖ୍ୟ ବଦଳାଇନାହିଁ ବୋଲି ଦଳ ସ୍ପଷ୍ଟ କରିଛି। ଦଳର କହିବା କଥା, ନ୍ୟାୟସଙ୍ଗତ ଡିଲିମିଟେସନ୍ ହିଁ ସବୁବେଳେ ଏହାର ଦାବି ରହିଆସିଛି।
ଏବେ ସମସ୍ତଙ୍କ ନଜର ସଂସଦର ସ୍ୱତନ୍ତ୍ର ଅଧିବେଶନ ଉପରେ। DMKର ସମର୍ଥନ ପରେ ଡିଲିମିଟେସନ୍ ବିଲ୍କୁ ନେଇ ରାଜନୈତିକ ସମୀକରଣ କେଉଁ ମୋଡ଼ ନେବ, ତାହା ଦେଖିବାକୁ ବାକି ରହିଲା।