ନୂଆଦିଲ୍ଲୀ: ଡିଲିମିଟେସନ ବିଲ୍କୁ ନେଇ ରାଜନୈତିକ ଲଢ଼େଇ ଜୋରଦାର ହୋଇଛି। ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଅଭିଯୋଗର କଡ଼ା ଜବାବ ଦେଇଛି ବିଜେପି। ୨୦୨୪ ନିର୍ବାଚନକୁ ଯଦି ରାହୁଲ ଫେକ୍ ବୋଲି କହୁଛନ୍ତି, ତେବେ ସେହି ନିର୍ବାଚନରେ ଜିତିଥିବା ସାଂସଦ ପଦରୁ କାହିଁକି ଇସ୍ତଫା ଦେଉନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି ବିଜେପି ସାଂସଦ ରବିଶଙ୍କର ପ୍ରସାଦ।
ଶନିବାର ନୂଆଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀ କରି ରାହୁଲଙ୍କ ମନ୍ତବ୍ୟ ଉପରେ ଜୋରଦାର ଆକ୍ରମଣ କରିଥିଲେ ରବିଶଙ୍କର। ତାଙ୍କ କହିବା ଅନୁସାରେ, ରାହୁଲ ୨୦୨୪ ନିର୍ବାଚନକୁ ନେଇ ପ୍ରଶ୍ନ ଉଠାଉଥିବା ବେଳେ ସେହି ନିର୍ବାଚନରେ ନିଜେ ମଧ୍ୟ ବିଜୟୀ ହୋଇ ଲୋକସଭାକୁ ଆସିଛନ୍ତି।
ସେ କେବଳ ରାହୁଲ ନୁହେଁ, ପ୍ରିୟଙ୍କା ଗାନ୍ଧୀଙ୍କ ବିଜୟକୁ ମଧ୍ୟ ଉଦାହରଣ ଭାବେ ରଖିଥିଲେ। ତାଙ୍କ ମତରେ, ନିର୍ବାଚନ ପ୍ରକ୍ରିୟା ଉପରେ ଏତେ ବଡ଼ ପ୍ରଶ୍ନ ଉଠାଉଥିଲେ ନିଜ ସାଂସଦ ପଦ ଛାଡ଼ିବା ଉଚିତ।
୧୪ କୋଟି ଭୋଟରଙ୍କୁ ନେଇ ରାହୁଲଙ୍କ ଅଭିଯୋଗ
ନିର୍ବାଚନ ତାଲିକାରୁ ପ୍ରାୟ ୧୪ କୋଟି ଭୋଟରଙ୍କ ନାମ ହଟାଯାଇଥିବା ନେଇ ରାହୁଲ ଗାନ୍ଧୀ ଯେଉଁ ଅଭିଯୋଗ କରିଛନ୍ତି, ତାହାକୁ ମଧ୍ୟ ବିଜେପି ଖଣ୍ଡନ କରିଛି। ରବିଶଙ୍କର ପ୍ରସାଦ ଏହି ଅଭିଯୋଗର ପ୍ରମାଣ ଦେବାକୁ ରାହୁଲଙ୍କୁ ଆହ୍ୱାନ କରିଛନ୍ତି।
ମହିଳା ସଂରକ୍ଷଣ ବିଲ୍କୁ ନେଇ ବିଜେପିର ପକ୍ଷ
ଡିଲିମିଟେସନ ବିଲ୍ ସହ ମହିଳା ସଂରକ୍ଷଣ ପ୍ରସଙ୍ଗରେ ମଧ୍ୟ ବିଜେପି ନିଜ ପକ୍ଷ ରଖିଛି। ମହିଳାମାନଙ୍କୁ ଲୋକସଭା ଓ ବିଧାନସଭାରେ ଅଧିକ ପ୍ରତିନିଧିତ୍ୱ ଦେବା ଏହି ପ୍ରସ୍ତାବର ମୁଖ୍ୟ ଉଦ୍ଦେଶ୍ୟ ବୋଲି ରବିଶଙ୍କର କହିଛନ୍ତି।
ଅନ୍ୟପଟେ, ରାହୁଲ ଗାନ୍ଧୀ ଡିଲିମିଟେସନ ପ୍ରକ୍ରିୟା ମାଧ୍ୟମରେ ବିଜେପି ନିଜ ରାଜନୈତିକ ଫାଇଦା ପାଇଁ ନିର୍ବାଚନମଣ୍ଡଳୀର ମାନଚିତ୍ର ବଦଳାଇବାକୁ ଚାହୁଁଥିବା ଅଭିଯୋଗ କରିଛନ୍ତି। ଏହାକୁ ନେଇ ଶାସକ ଓ ବିରୋଧୀଙ୍କ ମଧ୍ୟରେ ବୟାନବାଜି ତୀବ୍ର ହୋଇଛି। ନଭେମ୍ବର ୩୦ରୁ ଆରମ୍ଭ ହେବାକୁ ଥିବା ସଂସଦର ସ୍ୱତନ୍ତ୍ର ଅଧିବେଶନରେ ଏହି ପ୍ରସଙ୍ଗ ଆହୁରି ସରଗରମ ହେବା ସମ୍ଭାବନା ରହିଛି।