ଟୋକିଓ: ଜାପାନର ରାଜଧାନୀ ଟୋକିଓରେ ଭାରତୀୟ ୟୁଟ୍ୟୁବର ଧୈର୍ଯ୍ୟ ଶାହଙ୍କ ସହ ବର୍ଣ୍ଣବୈଷମ୍ୟ ଏବଂ ଦୁର୍ବ୍ୟବହାର ହୋଇଛି। 'ଫାଫଡ଼ାଭାଇ' ନାମରେ ସୋସିଆଲ ମିଡିଆରେ ଭିଡିଓ ତିଆରି କରୁଥିବା ଧୈର୍ଯ୍ୟ ନିଜେ ଏହି ସୂଚନା ଦେଇଛନ୍ତି। ଏକ ଭିଡିଓରେ ସେ କହୁଛନ୍ତି ଯେ ଲାଇଭ୍ ଷ୍ଟ୍ରିମ୍ ସମୟରେ ତାଙ୍କୁ କେବଳ ବର୍ଣ୍ଣବୈଷମ୍ୟ ଟିପ୍ପଣୀ ଦେଇ ହଇରାଣ କରାଯାଇ ନଥିଲା, ବରଂ ତାଙ୍କ କ୍ୟାମେରା ସେଟ୍ଅପ୍ ଉପରେ ଛେପ ପକାଯାଇଥିଲା, ଯାହା ଅତ୍ୟନ୍ତ ଅପମାନଜନକ ଥିଲା। ଟୋକିଓର ଶିବୁୟାରେ ଲାଇଭଷ୍ଟ୍ରିମ୍ ଚାଲିଥିବା ବେଳେ ତାଙ୍କ ସହ ଏହି ଘଟଣା ଘଟିଛି।
ଷ୍ଟ୍ରିମର ଧୈର୍ଯ୍ୟଙ୍କ ଅନୁସାରେ, ଯେତେବେଳେ ସେ ଶିବୁୟା ରାସ୍ତାରେ ବୁଲୁଥିଲେ, ସେତେବେଳେ ବହୁତ ଲୋକ ତାଙ୍କର ଲାଇଭ୍ ଷ୍ଟ୍ରିମ୍ ଦେଖୁଥିଲେ। ସେ ରାସ୍ତାରେ ଲୋକମାନଙ୍କୁ ଭେଟୁଥିଲେ ଏବଂ ଇଂରାଜୀରେ କଥାବାର୍ତ୍ତା କରିବାକୁ ଚେଷ୍ଟା କରୁଥିଲେ। ଏହି ସମୟରେ କିଛି ଜାପାନୀ ଯୁବକ ଆସିଥିଲେ ଏବଂ ଅଭଦ୍ରାମି କରିବାକୁ ଲାଗିଥିଲେ। ସେମାନେ ଆପତ୍ତିଜନକ ଭାଷା ବ୍ୟବହାର କରିବା ଆରମ୍ଭ କରିଦେଇଥିଲେ।
ମୋ ଟ୍ରାଇପଡ୍ ଉପରେ ଛେପ ପକାଇଲେ: ଧୈର୍ଯ୍ୟ
ଧୈର୍ଯ୍ୟଙ୍କ ମୁତାବକ, ଜାପାନୀ ଯୁବକମାନଙ୍କର ଅଭଦ୍ରାମି ଏବଂ ବର୍ଣ୍ଣବୈଷମ୍ୟ ଆଚରଣ କାରଣରୁ କଠିନ ପରିସ୍ଥିତି ସୃଷ୍ଟି ହୋଇଥିଲା। ବିବାଦ କାରଣରୁ ତାଙ୍କର ଷ୍ଟ୍ରିମ୍ ବ୍ୟାନ୍ ହୋଇପାରିଥାନ୍ତା କିମ୍ବା ତାଙ୍କୁ ଦେଶରୁ ବାହାର କରିଦିଆଯାଇଥାନ୍ତା। ଏପରି ସ୍ଥିତିରେ ସେ ନିଜକୁ ଶାନ୍ତ ରଖିଥିଲେ ଏବଂ ପରିସ୍ଥିତିକୁ ସମ୍ମାନଜନକ ଭାବେ ସମ୍ଭାଳିବାକୁ ଯଥାସମ୍ଭବ ଚେଷ୍ଟା କରିଥିଲେ। ଏହା ସତ୍ତ୍ୱେ ଏହି ଲୋକମାନେ ଦୁର୍ବ୍ୟବହାର କରିବାରୁ ନିବୃତ୍ତ ହୋଇନଥିଲେ।
ଧୈର୍ଯ୍ୟଙ୍କ ଅଭିଯୋଗ ଯେ ପ୍ରଥମେ ତାଙ୍କୁ ଲାଗିଥିଲା ଯେ ପରିସ୍ଥିତି ଠିକ୍ ହୋଇଯାଇଛି କାରଣ ଏହି ଲୋକମାନେ ତାଙ୍କଠାରୁ ଦୂରକୁ ଚାଲିଯାଇଥିଲେ। ସେମାନେ ପରସ୍ପର ମଧ୍ୟରେ ଜାପାନୀ ଭାଷାରେ କିଛି କଥା ହୋଇଥିଲେ ଏବଂ ସେମାନଙ୍କ ମଧ୍ୟରୁ ଜଣେ ଫେରିଆସି ମୋ କ୍ୟାମେରା ଉପରେ ଛେପ ପକାଇ ଦେଇଥିଲା। ସେ ଜଣାଇଛନ୍ତି ଯେ ଆରମ୍ଭରେ ତାଙ୍କୁ ଜଣାପଡ଼ି ନଥିଲା ଯେ କ’ଣ ଘଟିଛି, କିନ୍ତୁ ପରେ ସେ ଦେଖିବାକୁ ପାଇଲେ ଯେ ଏହି ବ୍ୟକ୍ତି ଜଣକ ତାଙ୍କ ଟ୍ରାଇପଡ୍ ଉପରେ ଛେପ ପକାଇଛି।
ଜାପାନରେ ଭାରତୀୟଙ୍କ ସହ ଖରାପ ବ୍ୟବହାର
ଧୈର୍ଯ୍ୟଙ୍କ କହିବା କଥା ଯେ ଘଟଣାର ଅଭିଯୋଗ କରିବାକୁ ସେ ପୋଲିସ୍ ପାଖକୁ ଯାଇଥିଲେ, କିନ୍ତୁ ସାହାଯ୍ୟ ମିଳିନଥିଲା। ଜାପାନ ପୋଲିସ୍ ଯେଉଁଭଳି ପ୍ରତିକ୍ରିୟା ଦେବା କଥା, ଜଣେ ବିଦେଶୀଙ୍କ ଅଭିଯୋଗ ଉପରେ ସେପରି ପ୍ରତିକ୍ରିୟା ଦେଇନଥିଲା। ଜାପାନରେ କିଛି ମାସ ମଧ୍ୟରେ ଭାରତୀୟଙ୍କ ସହ ଏଭଳି ଆଚରଣର ଏହା ଦ୍ୱିତୀୟ ଘଟଣା। ଚଳିତ ବର୍ଷ ଅଗଷ୍ଟ ମାସରେ କଣ୍ଟେଣ୍ଟ କ୍ରିଏଟର ଅନନ୍ତ ଜାପାନରେ ନିଜ ସହ ଦୁର୍ବ୍ୟବହାର ହୋଇଥିବା କଥା କହିଥିଲେ।
କଣ୍ଟେଣ୍ଟ କ୍ରିଏଟର ଅନନ୍ତ ଅଗଷ୍ଟରେ ସୋସିଆଲ ମିଡିଆରେ ଜଣାଇଥିଲେ ଯେ ତାଙ୍କୁ ଜାପାନର ଶିଜୁଓକା ପ୍ରାନ୍ତରେ ଏକ ଷ୍ଟୋରରେ ବର୍ଣ୍ଣବୈଷମ୍ୟ ଏବଂ ନିର୍ଯାତନାର ଶିକାର ହେବାକୁ ପଡ଼ିଥିଲା। ଭିଡିଓରେ ସେ ଜଣାଇଥିଲେ ଯେ ସେ ଷ୍ଟୋରକୁ ଯାଇ ନେପାଳୀ କର୍ମଚାରୀଙ୍କୁ ନିଜ ଖାଦ୍ୟ ଗରମ କରିବାକୁ ଅନୁରୋଧ କରିଥିଲେ। ଏହା ଉପରେ ଷ୍ଟୋର ମାଲିକାଣୀ ଆସିଯାଇଥିଲେ ଏବଂ ସେ ଭାରତର ବୋଲି ଜାଣିବା ପରେ ବର୍ଣ୍ଣବୈଷମ୍ୟ ଟିପ୍ପଣୀ ଦେଇଥିଲେ।