ନରୱେ: ପିଲାଙ୍କ ହାତରେ ଆଉ ରହିବନି ଅଧିକ ମୋବାଇଲ୍ ଓ ଟାବ୍ଲେଟ୍। ପୁଣି ଫେରିବ ବହି, ଖାତା ଓ କଲମ। ଦିନେ ଯେଉଁ ଦେଶ ଡିଜିଟାଲ୍ ଶିକ୍ଷାକୁ ଅଧିକ ଗୁରୁତ୍ୱ ଦେଉଥିଲା, ଏବେ ସେହି ଦେଶ ପୁଣି ପାରମ୍ପରିକ ପାଠପଢ଼ାକୁ ଫେରିବାକୁ ଯୋଜନା କରୁଛି। ଏହି ଦେଶ ହେଉଛି ନରୱେ।
ସ୍କୁଲରେ ଲାପଟପ୍ ଓ ଟାବ୍ଲେଟ୍ର ବ୍ୟବହାର ବଢ଼ିବା ପରେ ପିଲାଙ୍କ ପଢ଼ିବା ଓ ଲେଖିବା ଦକ୍ଷତାରେ ହ୍ରାସ ଦେଖାଦେଇଛି। ଏହାକୁ ନେଇ ଏବେ ଚିନ୍ତାରେ ନରୱେ ସରକାର। ତେଣୁ ଶିକ୍ଷା ବ୍ୟବସ୍ଥାରେ ପୁଣି ଛପା ବହି ଓ କାଗଜ କଲମକୁ ଗୁରୁତ୍ୱ ଦିଆଯାଉଛି।
ଟାବ୍ଲେଟ୍ ବଦଳରେ ଖାତା କଲମ ଧରାଇଥିଲେ ଶିକ୍ଷକ
ଏହାର ଏକ ରୋଚକ ଉଦାହରଣ ମଧ୍ୟ ରହିଛି। ପ୍ରାୟ ତିନି ବର୍ଷ ପୂର୍ବେ ନରୱେର ଜଣେ ଶିକ୍ଷକ ପିଲାଙ୍କ ଆଇପ୍ୟାଡ୍ ହଟାଇ ସେମାନଙ୍କୁ ଖାତା ଓ କଲମରେ ପାଠ ପଢ଼ାଇଥିଲେ। ଏଥିପାଇଁ ତାଙ୍କୁ ସ୍କୁଲ ପ୍ରଶାସନ ପକ୍ଷରୁ ଲିଖିତ ଚେତାବନୀ ମଧ୍ୟ ମିଳିଥିଲା। ହେଲେ ଏବେ ସେହି ଦେଶରେ ଡିଜିଟାଲ୍ ଶିକ୍ଷା ନୀତିକୁ ନେଇ ପୁନର୍ବିଚାର ଚାଲିଛି।
ପରୀକ୍ଷାରେ ଖରାପ ପ୍ରଦର୍ଶନ ପରେ ବଢ଼ିଲା ଚିନ୍ତା
୨୦୨୫ର PISA ସର୍ଭେରେ ନରୱେର ୧୫ ବର୍ଷୀୟ ଛାତ୍ରଛାତ୍ରୀ ପଢ଼ିବା, ଗଣିତ ଓ ବିଜ୍ଞାନ ତିନୋଟି ଯାକ କ୍ଷେତ୍ରରେ OECD ହାରାହାରି ମାନଠାରୁ କମ୍ ନମ୍ବର ରଖିଛନ୍ତି। ୨୦୦୬ ପରଠାରୁ ପ୍ରଥମ ଥର ପାଇଁ ଏପରି ସ୍ଥିତି ଦେଖାଦେଇଛି। ମୋବାଇଲ୍ ଓ ସ୍କ୍ରିନ୍ରେ ଅଧିକ ସମୟ ବିତାଇବା ଏହାର ଏକ ସମ୍ଭାବ୍ୟ କାରଣ ବୋଲି ଆଲୋଚନା ହେଉଛି।
ପିଲାଙ୍କ ପାଇଁ ସୋସିଆଲ ମିଡିଆରେ ମଧ୍ୟ କଟକଣା
କେବଳ ସ୍କୁଲ ନୁହେଁ, ପିଲାଙ୍କ ସୁରକ୍ଷା ପାଇଁ ସୋସିଆଲ ମିଡିଆ ବ୍ୟବହାର ଉପରେ ମଧ୍ୟ କଟକଣା ଲଗାଇବାକୁ ନରୱେ ସରକାର ଯୋଜନା କରୁଛନ୍ତି। ୧୬ ବର୍ଷରୁ କମ୍ ପିଲାଙ୍କ ପାଇଁ TikTok, Snapchat ଓ Roblox ଭଳି ପ୍ଲାଟଫର୍ମ ଉପରେ ନିଷେଧ ଲଗାଇବା ପାଇଁ ବିଲ୍ ଆଣିବାକୁ ଯୋଜନା ରହିଛି। ଏହା ସହ କ୍ୟାମେରା ଲାଗିଥିବା ସ୍ମାର୍ଟ ଗ୍ଲାସ୍ର ବ୍ୟବହାରକୁ କିଛି ସାର୍ବଜନୀନ ସ୍ଥାନରେ ଅସ୍ଥାୟୀ ଭାବେ ବନ୍ଦ କରିବାକୁ ମଧ୍ୟ ଚିନ୍ତା କରାଯାଉଛି।
ଡିଜିଟାଲ୍ ଟେକ୍ନୋଲୋଜିର ଲାଭ ଥିଲେ ମଧ୍ୟ ଏହାର ଅତ୍ୟଧିକ ବ୍ୟବହାର ପିଲାଙ୍କ ପାଠପଢ଼ା ଓ ମାନସିକ ବିକାଶ ଉପରେ କି ପ୍ରଭାବ ପକାଉଛି, ତାହା ଏବେ ବିଶ୍ୱସ୍ତରରେ ଚର୍ଚ୍ଚାର ବିଷୟ।
ଟେକ୍ନୋଲୋଜି ଜରୁରୀ, ହେଲେ ବହି ଓ କଲମର ଗୁରୁତ୍ୱ କ'ଣ କେବେ କମିପାରିବ? ନରୱେର ଏହି ପଦକ୍ଷେପ ଏବେ ସାରା ବିଶ୍ୱର ଶିକ୍ଷା ବ୍ୟବସ୍ଥା ପାଇଁ ଏକ ବଡ଼ ପ୍ରଶ୍ନ ଛିଡ଼ା କରିଛି।