ମାଲକାନଗିରି: ପେଶାରେ ସ୍କୁଲ ପିଅନ, ହେଲେ ଜଙ୍ଗଲରେ କରୁଥିଲେ ବେଆଇନ ଗଞ୍ଜେଇ ଚାଷ। ପୋଲିସ ଚଢ଼ାଉ ପରେ ସାମ୍ନାକୁ ଆସିଲା ଏଭଳି ଘଟଣା। ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅନ୍ତର୍ଗତ ପାପୁଲୁର ପଞ୍ଚାୟତରେ ଗଞ୍ଜେଇ ଚାଷ ଅଭିଯୋଗରେ ଜଣେ ସ୍କୁଲ ପିଅନଙ୍କୁ ଗିରଫ କରିଛି ପୋଲିସ। ତାଙ୍କ ଦୁଇ ଏକର ଜମିରେ ହୋଇଥିବା ପ୍ରାୟ ୨ ହଜାର ଗଞ୍ଜେଇ ଗଛକୁ କାଟି ନଷ୍ଟ କରାଯାଇଛି।
ସୂଚନା ଅନୁଯାୟୀ, କମଳାପୁର ପ୍ରାଥମିକ ବିଦ୍ୟାଳୟର ପିଅନ ଖଗେଶ୍ୱର ଖରା ନିଜ ଗାଁ ନିକଟ ଜଙ୍ଗଲରେ ବେଆଇନ ଭାବେ ଗଞ୍ଜେଇ ଚାଷ କରୁଥିବା ନେଇ ପୋଲିସକୁ ଗୁପ୍ତ ସୂଚନା ମିଳିଥିଲା। ଏହାପରେ କାଲିମେଳା ପୋଲିସର ଏକ ଟିମ୍ ସମ୍ପୃକ୍ତ ଅଞ୍ଚଳରେ ଚଢ଼ାଉ କରିଥିଲା।
ଚଢ଼ାଉ ସମୟରେ ଖଗେଶ୍ୱରଙ୍କୁ କମଳାପୁରରୁ ଗିରଫ କରିଥିଲା ପୋଲିସ। ଏହାସହ ଦୁଇ ଏକର ଜମିରେ ଚାଷ ହୋଇଥିବା ପ୍ରାୟ ୨ ହଜାର ଗଞ୍ଜେଇ ଗଛକୁ କାଟି ନଷ୍ଟ କରାଯାଇଛି। ଗିରଫ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଥିବା ଜଣାପଡ଼ିଛି।
ଏହି ଘଟଣାରେ କାଲିମେଳା ଥାନାରେ ମାମଲା ରୁଜୁ ହୋଇଛି। ବେଆଇନ ଗଞ୍ଜେଇ ଚାଷ ପଛରେ ଆଉ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ, ସେନେଇ ତଦନ୍ତ ଚାଲିଛି। ଏଥିରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତଙ୍କୁ ମଧ୍ୟ ଖୋଜାଯିବ ବୋଲି କାଲିମେଳା ଥାନା ଅଧିକାରୀ ପ୍ରଭୁଦତ୍ତ ବିଶ୍ୱାଳ ସୂଚନା ଦେଇଛନ୍ତି।
ସ୍କୁଲରେ ପିଅନ ଭାବେ କାର୍ଯ୍ୟ କରୁଥିବା ବ୍ୟକ୍ତି ଜଙ୍ଗଲରେ ଏତେ ବଡ଼ ପରିମାଣର ଗଞ୍ଜେଇ ଚାଷ କରୁଥିବା ଘଟଣା ଏବେ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।