ବାରିପଦା: ମୟୂରଭଞ୍ଜ ଜିଲ୍ଲାର ବାରିପଦା ସହରରେ ଦିନଦ୍ୱିପ୍ରହରରେ ବଡ଼ ଧରଣର ଡକାୟତି। ବନ୍ଧୁକ ଦେଖାଇ ସୁରକ୍ଷାକର୍ମୀଙ୍କୁ ଧମକ ଦେଇ ଏକ ଗହଣା ସୋ’ରୁମ୍ରୁ ୧୨ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ମୂଲ୍ୟର ସୁନା ଓ ହୀରା ଅଳଙ୍କାର ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ରବିବାର ଘଟିଥିବା ଏହି ଘଟଣାରେ ୪ ଜଣ ସନ୍ଦିଗ୍ଧଙ୍କୁ କାବୁ କରାଯାଇଥିବା ବେଳେ ଅନ୍ୟ ୨ ଜଣ ଲୁଟ୍ ସାମଗ୍ରୀ ଧରି ଫେରାର ହୋଇଯାଇଛନ୍ତି।
ସୂଚନା ଅନୁଯାୟୀ, ବାରିପଦା ସହରରେ ଥିବା ସେନକୋ ଗୋଲ୍ଡ ଆଣ୍ଡ ଡାଇମଣ୍ଡସ୍ ସୋ’ରୁମ୍କୁ ହେଲମେଟ୍ ପିନ୍ଧି କିଛି ଦୁର୍ବୃତ୍ତ ପ୍ରବେଶ କରିଥିଲେ। ସୋ’ରୁମ୍ରେ ପଶିବା ପରେ ସେମାନେ ବନ୍ଧୁକ ଦେଖାଇ ସୁରକ୍ଷାକର୍ମୀଙ୍କୁ ଭୟଭୀତ କରିଥିଲେ। ଏହାପରେ ସୋ’ରୁମ୍ରୁ ବିପୁଳ ପରିମାଣର ସୁନା ଓ ହୀରା ଅଳଙ୍କାର ସହ ନଗଦ ଟଙ୍କା ଲୁଟ୍ କରିଥିଲେ।
ତେବେ ଲୁଟ୍ କରି ଫେରାର ହେବା ସମୟରେ ସୋ’ରୁମ୍ ମାଲିକ ଓ କର୍ମଚାରୀମାନେ ସାହସିକତାର ସହ ଦୁର୍ବୃତ୍ତଙ୍କ ପିଛା କରିଥିଲେ। ଏହି ସମୟରେ ୪ ଜଣଙ୍କୁ କାବୁ କରିବାରେ ସଫଳ ହୋଇଥିଲେ। ହେଲେ ଅନ୍ୟ ୨ ଜଣ ଲୁଟେରା ଲୁଟ୍ ସାମଗ୍ରୀ ଧରି ଖସି ପଳାଇଥିଲେ।
ଫେରାର ଦୁର୍ବୃତ୍ତଙ୍କ ନିକଟରେ ପ୍ରାୟ ୫ରୁ ୬ କିଲୋଗ୍ରାମ ସୁନା ଓ ହୀରା ଅଳଙ୍କାର ସହ ପ୍ରାୟ ୨ ଲକ୍ଷ ଟଙ୍କା ନଗଦ ଥିବା ସୂଚନା ମିଳିଛି। ଅନ୍ୟପଟେ, କାବୁ କରାଯାଇଥିବା ୪ ଜଣଙ୍କ ନିକଟରୁ କିଛି ଲୁଟ୍ ଅଳଙ୍କାର ମଧ୍ୟ ଉଦ୍ଧାର ହୋଇଛି।
ଘଟଣା ପରେ ପୋଲିସ ପକ୍ଷରୁ ଫେରାର ଦୁଇ ଅଭିଯୁକ୍ତଙ୍କୁ ଧରିବା ଏବଂ ଅବଶିଷ୍ଟ ଲୁଟ୍ ସାମଗ୍ରୀ ଉଦ୍ଧାର ପାଇଁ ଜୋରଦାର ତଲାସୀ ଅଭିଯାନ ଆରମ୍ଭ ହୋଇଛି। ଏତେ ବଡ଼ ଧରଣର ଲୁଟ୍ ପଛରେ କିଏ କିଏ ସାମିଲ ଅଛନ୍ତି ଏବଂ ଏହା ପଛରେ କୌଣସି ବଡ଼ ଗ୍ୟାଙ୍ଗ୍ର ହାତ ଅଛି କି ନାହିଁ, ସେନେଇ ତଦନ୍ତ ଜାରି ରହିଛି। ବାରିପଦାର ଜନଗହଳିପୂର୍ଣ୍ଣ ସହରରେ ଏଭଳି ବଡ଼ ଧରଣର ବନ୍ଧୁକ ମୁନରେ ଲୁଟ୍ ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଛି।