ଭୁବନେଶ୍ୱର: ନାଁ ଜଗନ୍ନାଥ, ହେଲେ ଠକେଇର ତରିକା ଶୁଣିଲେ ଆପଣ ବି ହୋଇଯିବେ ତାଜୁବ। କେତେବେଳେ ନିଜକୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ PA କହୁଥିଲେ ତ ଆଉ କେତେବେଳେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନଙ୍କ PA ବୋଲି ପରିଚୟ ଦେଉଥିଲେ। ବଡ଼ ବଡ଼ ନେତାଙ୍କ ନାଁ ନେଇ ଲୋକଙ୍କୁ ଠକିବା ଥିଲା ତାଙ୍କର ଅଭିଯୋଗକୃତ କାରବାର। ଏଥର ଗୃହମନ୍ତ୍ରୀଙ୍କ ପରିବାର ପାଇଁ ହୋଟେଲ ରୁମ୍ ବୁକିଂ ନାଁରେ ୧୩ ହଜାର ୫୦୦ ଟଙ୍କା ଠକେଇ କରି ପୋଲିସ ହାତରେ ଧରାପଡ଼ିଛନ୍ତି ଜଗନ୍ନାଥ ମଣ୍ଡଳ।
ମୈତ୍ରୀବିହାର ଥାନା ପୋଲିସ ଏହି ଠକେଇ ଘଟଣାରେ ଅଭିଯୁକ୍ତ ଜଗନ୍ନାଥଙ୍କୁ ଗିରଫ କରିଛି। ତଦନ୍ତ ସମୟରେ ତାଙ୍କ ନାଁରେ ଏକାଧିକ ରାଜ୍ୟରେ ଠକେଇ ସମ୍ପର୍କିତ ମାମଲା ଥିବା ଜଣାପଡ଼ିଛି।
ପୋଲିସ ସୂଚନା ଅନୁସାରେ, ଗତ ନଭେମ୍ବର ୨୭ ତାରିଖରେ ଅଭିଯୋଗକାରୀଙ୍କ ମୋବାଇଲକୁ ୯୮୪୫୧୭୨୭୦୯ ନମ୍ବରରୁ ଏକ ହ୍ୱାଟ୍ସଆପ୍ କଲ୍ ଆସିଥିଲା। ଫୋନ୍ କରିଥିବା ବ୍ୟକ୍ତି ନିଜକୁ କେନ୍ଦ୍ର ଗୃହମନ୍ତ୍ରୀଙ୍କ PA ସଞ୍ଜୟ ତିୱାରୀ ବୋଲି ପରିଚୟ ଦେଇଥିଲେ।
ଗୃହମନ୍ତ୍ରୀଙ୍କ ପରିବାର ସଦସ୍ୟ ଭୁବନେଶ୍ୱର ଆସୁଥିବା କହି ଜୟଦେବ ବିହାରସ୍ଥିତ ସ୍ୱସ୍ତି ପ୍ରିମିୟମ୍ ହୋଟେଲରେ ଦୁଇଟି ରୁମ୍ ବୁକ୍ କରିବାକୁ କହିଥିଲେ। ତାଙ୍କ କଥାକୁ ବିଶ୍ୱାସ କରି ଅଭିଯୋଗକାରୀ ଫୋନ୍ପେ ଜରିଆରେ ଅଭିଯୁକ୍ତ ଦେଇଥିବା ବ୍ୟାଙ୍କ ଆକାଉଣ୍ଟକୁ ୧୩,୫୦୦ ଟଙ୍କା ପଠାଇଥିଲେ।
କିନ୍ତୁ ପରବର୍ତ୍ତୀ ସମୟରେ ଏହା ଏକ ଠକେଇ ବୋଲି ଜଣାପଡ଼ିବା ପରେ ଅଭିଯୋଗକାରୀ ମୈତ୍ରୀବିହାର ଥାନାରେ ଦ୍ୱାରସ୍ଥ ହୋଇଥିଲେ। ଅଭିଯୋଗ ଆଧାରରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା। ଶେଷରେ ଜଗନ୍ନାଥ ମଣ୍ଡଳଙ୍କୁ ଗିରଫ କରିଛି।
ଉଲ୍ଲେଖଯୋଗ୍ୟ, ଏହା ପୂର୍ବରୁ ମଧ୍ୟ ଜଗନ୍ନାଥ ନିଜକୁ ନିତିନ ନବୀନଙ୍କ PA ବୋଲି ପରିଚୟ ଦେଇ ନିର୍ବାଚନରେ ବିଜେପି ଟିକେଟ୍ ଦେବାର ପ୍ରଲୋଭନ ଦେଖାଇବା ସହ ବିଭିନ୍ନ ନେତାଙ୍କୁ ଟଙ୍କା ମାଗୁଥିବା ଅଭିଯୋଗ ରହିଛି। କର୍ଣ୍ଣାଟକ, ଗୁଜରାଟ, ଉତ୍ତରପ୍ରଦେଶ ଓ ଓଡ଼ିଶାରେ ତାଙ୍କ ବିରୋଧରେ ମାମଲା ଥିବା ସୂଚନା ମିଳିଛି। ତେବେ ଜଗନ୍ନାଥଙ୍କ ଏହି ଠକେଇ କାରବାରରେ ଆଉ କେଉଁମାନେ ସାମିଲ ଅଛନ୍ତି ଏବଂ ଏଭଳି ଉପାୟରେ ଆଉ କେତେ ଲୋକଙ୍କୁ ଠକିଛନ୍ତି, ସେନେଇ ପୋଲିସର ତଦନ୍ତ ଜାରି ରହିଛି।