ବରଗଡ଼: ଲଗାଣ ବର୍ଷା କାହାର ଘର ଉଜାଡ଼ି ଦେଉଛି ତ ଆଉ କାହାର ଜୀବନ ନେଉଛି । ବରଗଡ଼ରେ ଜିଲ୍ଲା ଧାଙ୍ଗେର ପଞ୍ଚାୟତ ୱାର୍ଡ ନମ୍ବର–୨ରେ ଏକ ଟାଇଲ ଛପର ମାଟି ଘର ଭାଙ୍ଗି ଯିବାରୁ ବେସାହାରା ହୋଇଯାଇଛନ୍ତି ମା ଓ ଝିଅ । ସରକାରୀ ସହାୟତା ପାଇଁ ଆକୁଳ ନିବେଦନ କରିଛନ୍ତି ।
ବରଗଡ଼ ଜିଲ୍ଲା ଧାଙ୍ଗେର ପଞ୍ଚାୟତ ୱାର୍ଡ ନମ୍ବର–୨ରେ ସାବିତ୍ରୀ ରହିତିଆ ଓ ତାଙ୍କ ଝିଅ ଏକ ମାଟି ଘରେ ରହୁଥିଲେ । ପରିବାର ଅନ୍ୟ ସଦସ୍ୟ ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଇଛନ୍ତି । ସାବିତ୍ରୀଙ୍କ ଭତ୍ତା ଟଙ୍କାରେ ମାଆ ଓ ଝିଅ ଚଳନ୍ତି । କିନ୍ତୁ ଗତ କିଛି ଦିନ ହେବ ରାଜ୍ୟରେ ଲାଗି ରହିଥିବା ଲଗାଣ ବର୍ଷା ଯୋଗୁଁ ସାବିତ୍ରୀଙ୍କ କଚ୍ଚା ଘରଟି ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଛି । ଶେଷର ସାବିତ୍ରୀ ଏବଂ ତାଙ୍କ ଝିଅ ପଡ଼ୋଶୀ ଘରେ ଆଶ୍ରୟ ନେଇଛନ୍ତି । ତେଣୁ ସରକାରୀ ସହାୟତା ଯୋଗାଇ ଦେବାକୁ ସାବିତ୍ରୀ ଆକୁଳ ନିବେଦନ କରିଛନ୍ତି । ପୀଡ଼ିତ ପରିବାରକୁ ପ୍ରଶାସନ ତରଫରୁ ତୁରନ୍ତ ସହାୟତା ଯୋଗାଇ ଦେବା ସହ ଏକ ପକ୍କା ଘରର ବ୍ୟବସ୍ଥା କରିବାକୁ ଗ୍ରାମବାସୀ ଦାବି କରିଛନ୍ତି ।