ଭୁବନେଶ୍ୱର: ରାଜ୍ୟରେ ବନ୍ୟା ସ୍ଥିତିରେ ଆଜି ସୁଦ୍ଧା ବ୍ୟାପକ ସୁଧାର ଆସିବ । କ୍ଷୟକ୍ଷତି ବିଷୟରେ ଚିନ୍ତିତ ନ ହୋଇ ଜୀବନ ବଞ୍ଚାଇବାକୁ ଅଧିକ ଚେଷ୍ଟା କରନ୍ତୁ । ସେହିପରି ନରାଜରେ ଜଳ ସ୍ତର ବୃଦ୍ଧି ପାଇଥିବାରୁ ତଳିଆ ଅଞ୍ଚଳରେ ପାଣି ପ୍ରବେଶ କରିବା ଆରମ୍ଭ କରିଛି । ତେଣୁ ପାଣି ପହଁଚିବା ପୂର୍ବରୁ ଲୋକଙ୍କ ନିକଟରେ ପ୍ରଶାସନ ପହଁଚୁ ବୋଲି ନିର୍ଦ୍ଦେଶ ଦେଇଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ।
ଆଜି ଲୋକ ସେବା ଭବନରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବନ୍ୟା ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ ପାଢ଼ୀ, ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ, ପାଣିପାଗ ବିଭାଗ, ଜଳ ସମ୍ପଦ ବିଭାଗ ଓ ଅନ୍ୟାନ୍ୟ ସଂପୃକ୍ତ ବିଭାଗର ବରିଷ୍ଠ ଅଧିକାରୀବୃନ୍ଦ ଉପସ୍ଥିତ ଥିଲେ। ସେହିପରି ବନ୍ୟା ପ୍ରଭାବିତ ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନେ ଆଭାସୀ ମାଧ୍ୟମରେ ଯୋଡ଼ି ହୋଇଥିଲେ ।
ବୈଠକ ପରେ ମନ୍ତ୍ରୀ ଶ୍ରୀଯୁକ୍ତ ପୂଜାରୀ ସୂଚନା ଦେଇଛନ୍ତି ଯେ ଆଜି ରାତିଠାରୁ ବନ୍ୟା ସ୍ଥିତିରେ ବ୍ୟାପକ ସୁଧାର ଆସିବ । ଏହା ପରେ ଆସନ୍ତା ୨୪ ଘଣ୍ଟା ପରେ ବନ୍ୟା ପ୍ରପୀଡ଼ିତଙ୍କ ସ୍ୱାଭାବିତ ସ୍ଥିତି ହେବ । ରାଜ୍ୟରେ ଆଗାମୀ ତିନି ଦିନ ଅର୍ଥାତ ଅଗଷ୍ଟ ୧ ତାରିଖ ଯାଏ ବର୍ଷାର ସମ୍ଭାବନା ନାହିଁ । ଆସନ୍ତା ୨ ତାରିଖ ଠାରୁ ପୁଣି ବର୍ଷା ହେବାର ପାଣିପାଗ ବିଭାଗ ଆକଳନ କରିଛି । ରାଜ୍ୟରେ ବଡ଼ ବର୍ଷା ନ ଥିବାବେଳେ କେବଳ ନବରଙ୍ଗପୁର, କୋରାପୁଟ, ବଲାଙ୍ଗୀର ଓ କଳାହାଣ୍ଡିରେ ଝିପି ଝିପି ବର୍ଷା ହେଉଛି ।
ମହାନଦୀରେ ଆସୁଛି ବନ୍ୟା
ତେବେ ପୂର୍ବରୁ ହୋଇଥିବା ଲଗାଣ ବର୍ଷାରେ ହୀରାକୁଦ ଜଳ ଭଣ୍ଡାରରେ ଜଳସ୍ତର ୬୧୬ ଫୁଟ୍ ଥିବାବେଳେ ତାହା ବୃଦ୍ଧି ପାଇ ୬୨୦ ଫୁଟରେ ପହଁଚିଛି । ଛତିଶଗଡ଼ ଉପର ମୁଣ୍ଡରେ ବର୍ଷା କମ୍ ଥିବାରୁ ମହାନଦୀକୁ ଜଳ ପ୍ରବେଶ କମ୍ ହେବ । ମାତ୍ର ହୀରାକୁଦ ଜଳ ଭଣ୍ଡାରର ୨ଟି ଗେଟ୍ ଖୋଲା ଅଛି । ସେପଟେ ଆଜି ରାତି ସୁଦ୍ଧା ନରାଜରେ ୯ ଲକ୍ଷ କ୍ୟୁସେକ୍ ବନ୍ୟା ଜଳ ପହଁଚିବ । କେନ୍ଦ୍ର ଜଳ ଆୟୋଗଙ୍କ ରିପୋର୍ଟ ଆଧାରେ ନରାଜଠାରେ ସତର୍କ ସ୍ତର ୨୫.୪ ଥିବାବେଳେ ବିପଦ ସଙ୍କେତ ୨୬.୪୧ ରହିଛି । ବର୍ତ୍ତମାନ ନରାଜରେ ୱାର୍ଣ୍ଣିଂ ଲେବଲ୍ ଉପର ପାଣି ପ୍ରବାହିତ ହେଉଛି । ତେଣୁ କଟକର ତଳିଆ ଅଞ୍ଚଳରେ ବନ୍ୟା ସ୍ଥିତି ଉତ୍ପନ୍ନ ହୋଇଛି । ବଡ଼ମ୍ବା ଓ ଆଠଗଡ଼ ଅଞ୍ଚଳରେ ପାଣି ପ୍ରବେଶ କରିବା ଆରମ୍ଭ କଲାଣି । ତେଣୁ ପ୍ରଶାସନ ତତ୍ପର ହୋଇ ପାଣି ପହଁଚିବା ପୂର୍ବରୁ ସେମାନେ ଲୋକଙ୍କ ନିକଟରେ ପହଁଚି ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ କରିବାକୁ ରାଜସ୍ୱ ମନ୍ତ୍ରୀ କଟକ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ।
ସେହିପରି ଏପଟେ ଦେବୀ, କୁଶଭଦ୍ରା, ସୁନ୍ଦରଗଡ଼ରେ ଇବ୍, ପାନପୋଷ, ଜେନାପୁରରେ ବ୍ରାହ୍ମଣୀ, ଆନନ୍ଦପୁର ଓ ଆଖୁଆପଦାରେ ବୈତରଣୀ, ଜାତୀୟ ରାଜପଥ-୫ରେ ବୁଢ଼ାବଳଙ୍ଗ, ଜାମସୋଲା ଘାଟ ଓ ରାଜଘାଟରେ ସୁବର୍ଣ୍ଣରେଖା, ବଂଶଧରା, ଋଷିକୂଲ୍ୟା, ଜଳକା ଆଦି ନଦୀ ଗୁଡ଼ିକରେ ଜଳ ସ୍ତର ହ୍ରାସ ପାଇଛି ।
ସେହିପରି ଲଗାଣ ବର୍ଷାରେ ୫ଟି ଜିଲ୍ଲାରେ ପ୍ରଭାବିତ ହୋଇଛି । ଯାଜପୁର, ଭଦ୍ରକ, ବାଲେଶ୍ୱର ଅଧିକ ପ୍ରଭାବିତ ହୋଇଥିବାବେଳେ ମୟୁରଭଞ୍ଜ ଓ କେନ୍ଦୁଝର ଜିଲ୍ଲା ଆଂଶିକଭାବେ ପ୍ରଭାବିତ ହୋଇଛି । ମୋଟ ୬ ଲକ୍ଷ ଲୋକ ପ୍ରଭାବିତ ହୋଇଥିବାବେଳେ ୧ ଲକ୍ଷ ୬୫ ହଜାର ଲୋକେ ସ୍ଥାନାନ୍ତରିତ ହୋଇଛି । ସେହିପରି ସମ୍ପୃକ୍ତ ଜିଲ୍ଲାମାନଙ୍କରେ ୪୬୪ ଟି ରିଲିଫ୍ କ୍ୟାମ୍ପ, ଡାକ୍ତରୀ ଟିମ୍ ଓ ଉଦ୍ଧାରକାରୀ ଦଳ ମହଜୁଦ ଅଛନ୍ତି । ବିଶେଷକରି ମହିଳା, ଶିଶୁ ଓ ବୟସ୍କ ଲୋକଙ୍କ ପାଇଁ ସ୍ୱତନ୍ତ୍ର ଖାଦ୍ୟର ବ୍ୟବସ୍ଥା କରାଯାଇଛି । ଯେଉଁମାନେ କୌଣସି କାରଣ ବଶତଃ ଆସୁ ନାହାଁନ୍ତି ସେମାନଙ୍କୁ ଶୁଖିଲା ଖାଦ୍ୟ ଯୋଗାଇ ଦିଆଯାଉଛି । ତଥାପି ସମସ୍ତଙ୍କୁ ରିଲିଫ୍ ସେଣ୍ଟରକୁ ଆସିବାକୁ ମନ୍ତ୍ରୀ ଅନୁରୋଧ କରିଛନ୍ତି ।
ସେହିପରି ବନ୍ୟାରେ ସାପ ଉପଦ୍ରବ ବଢ଼ିବା ଆଶଙ୍କାରେ ବ୍ୟାପକ ପରିମାଣରେ ଆଣ୍ଟି ଭେନନ୍ ଇଞ୍ଜେକ୍ସନ୍ ମହଜୁଦ ରହିଛି । ଯେଉଁମାନେ ସାପ କାମୁଡ଼ାର ଶିକାର ହେଉଛନ୍ତି ସେମାନେ ଘରୋଇ ଚିକିତ୍ସା ନ କରି ତୁରନ୍ତ ନିକଟସ୍ଥ ସ୍ୱାସ୍ଥ୍ୟ କର୍ମୀ କିମ୍ବା ସ୍ୱାସ୍ଥ୍ୟକେନ୍ଦ୍ର ସହିତ ଯୋଗାଯୋଗ କରି ଚିକିତ୍ସା କରାଇବାକୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।
ତେବେ ବନ୍ୟା କମିବା ପରେ ୩ ଦିନ ଭିତରେ ସର୍ଭେ କରି ସମ୍ପୃକ୍ତ ଅଧିକାରୀମାନେ ରିପୋର୍ଟ ଦେବେ । ସର୍ଭେ ବେଳେ ଅଧିକାରୀମାନେ ମାନବୀୟ ଦୃଷ୍ଟି କୋଣରୁ ସର୍ଭେ କରିବେ । ଚାଷୀଙ୍କୁ ବିହନ ଯୋଗାଇ ଦିଆଯିବ । କ୍ଷୟକ୍ଷତିର ଚିନ୍ତା ନ କରି ପ୍ରଥମେ ନିଜ ଜୀବନକୁ ସୁରକ୍ଷିତ ରଖିବାକୁ ରାଜସ୍ୱ ମନ୍ତ୍ରୀ କହିଛନ୍ତି ।