ଭୁବନେଶ୍ୱର: ରାଜ୍ୟରେ ଲଗାଣ ବର୍ଷା ଜାରି ରହିଥିବାବେଳେ ଉତ୍ତର ଓଡ଼ିଶାର ବିଭିନ୍ନ ନଦୀରେ ଜଳସ୍ତର କମିବାରେ ଲାଗିଛି। ମାତ୍ର ଅନ୍ୟପଟେ ମହାନଦୀର ଜଳସ୍ତର ପୁଣିଥରେ ବୃଦ୍ଧି ପାଇଛି। ଉପରମୁଣ୍ଡରେ ଲଗାଣ ବର୍ଷା ଏବଂ ହୀରାକୁଦ ଜଳଭଣ୍ଡାରର ଗେଟ୍ ଖୋଲାଯିବା ଫଳରେ ମହାନଦୀ ଅବବାହିକାରେ ବନ୍ୟା ପରିସ୍ଥିତି ସଙ୍ଗୀନ ହେବାର ଆଶଙ୍କା ଦେଖାଦେଇଛି।
ଆଜି ସକାଳେ ଜଳସ୍ତର କିଛି ମାତ୍ରାରେ ହ୍ରାସ ପାଇଥିବା ବେଳେ ଦିନ ୯ଟାରୁ ୧୨ଟା ପର୍ଯ୍ୟନ୍ତ ଏହା ସ୍ଥିର ରହିଥିଲା। କିନ୍ତୁ ଅପରାହ୍ନରୁ ପୁଣି ଜଳସ୍ତର ବଢ଼ିବାରେ ଲାଗିଛି। ରାତି ୯ଟା ସୁଦ୍ଧା ମୁଣ୍ଡଳୀଠାରେ ପ୍ରତି ସେକେଣ୍ଡରେ ୬ ଲକ୍ଷ ୧୪ ହଜାର ୩୬୫ ଘନଫୁଟ ବନ୍ୟାଜଳ ପ୍ରବାହିତ ହେଉଛି। ଏଠାରେ ବ୍ୟାରେଜ୍ ଉପରମୁଣ୍ଡରେ ଜଳସ୍ତର ୮୯.୫୦ ଫୁଟ ଏବଂ ତଳମୁଣ୍ଡରେ ୮୭.୩୦ ଫୁଟ ରହିଛି। ସୂଚନାଯୋଗ୍ୟ ଯେ, ଉପରମୁଣ୍ଡରେ ବିପଦ ସଙ୍କେତ ୯୭.୨୫ ଫୁଟ ଏବଂ ତଳମୁଣ୍ଡରେ ୯୫.୦୫ ଫୁଟ ରହିଛି।)
ରାତି ୯ଟା ସ୍ଥିତି ଅନୁଯାୟୀ, ନରାଜଦେଇ ପ୍ରତି ସେକେଣ୍ଡରେ ୩ ଲକ୍ଷ ୨୫ ହଜାର ୪୨୦ ଘନଫୁଟ ଜଳ ନିଷ୍କାସିତ ହେଉଛି। ଏହାର ଅପ୍ଷ୍ଟ୍ରିମ୍ ଜଳସ୍ତର ୨୫.୭୦ ମିଟର (ବିପଦ ସଙ୍କେତ: ୨୬.୪୧ ମିଟର) ଏବଂ ଡାଉନ୍ଷ୍ଟ୍ରିମ୍ ଜଳସ୍ତର ୨୨.୫୫ ମିଟର ରହିଛି।
ଗୁରୁବାର ପହଞ୍ଚିବ ବନ୍ୟାଜଳ
ବରମୁଳରେ ପ୍ରତି ସେକେଣ୍ଡରେ ୬ ଲକ୍ଷ ୫୨ ହଜାର ଏବଂ ଖଇରମାଳରେ ୮ ଲକ୍ଷ ୩୦ ହଜାର କ୍ୟୁସେକ ବନ୍ୟାଜଳ ପ୍ରବାହିତ ହେଉଛି। ଏହି ପ୍ରଚୁର ଜଳରାଶି ଆସନ୍ତାକାଲି ଅର୍ଥାତ୍ ଗୁରୁବାର ଦିନ ଦ୍ୱିପ୍ରହର ୧ଟାରୁ ୨ଟା ମଧ୍ୟରେ ମୁଣ୍ଡଳୀରେ ପହଞ୍ଚିବ ବୋଲି ଆକଳନ କରାଯାଇଛି।
ଉକ୍ତ ସମୟରେ ମୁଣ୍ଡଳୀଠାରେ ବନ୍ୟାଜଳର ପ୍ରବାହ ପାଖାପାଖି ୯ ଲକ୍ଷ ଘନଫୁଟକୁ ବୃଦ୍ଧି ପାଇପାରେ ବୋଲି ଜଳସମ୍ପଦ ବିଭାଗ ପକ୍ଷରୁ ଅନୁମାନ କରାଯାଉଛି। ତଳମୁଣ୍ଡର ସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସତର୍କତା ଅବଲମ୍ବନ କରାଯାଉଛି।