କେନ୍ଦୁଝର: ଲଗାଣ ବର୍ଷାରେ ଜଳବନ୍ଦୀ ଲୋକଙ୍କୁ ଉଦ୍ଧାର କରୁ କରୁ ପ୍ରାଣ ହରାଇ ବସିଲେ ଅଗ୍ନିଶମ କର୍ମଚାରୀ । କେନ୍ଦୁଝର ସହରରୁ ଆସିଛି ଏଭଳି ଖବର । ଡ୍ୟୁଟି କରୁଥିବାବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଅଗ୍ନିଶମ ବାହିନୀ କର୍ମଚାରୀ ଚନ୍ଦନ ପଟ୍ଟନାୟକଙ୍କର ଅକାଳ ବିୟୋଗ ହୋଇଛି ।
କେନ୍ଦୁଝର ସହରର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ସମ୍ମୁଖରେ ଏକ ଘରେ ବର୍ଷା ପଶିଥିଲା । ଖବର ପାଇ ଅଗ୍ନିଶମ ଟିମ୍ ପହଞ୍ଚି ପମ୍ପ ସାହାଯ୍ୟରେ ପାଣି ନିଷ୍କାସନ କାମ କରୁଥିଲେ । ଏହି ସମୟରେ ଘର ପରିସରରେ ଥିବା ଏକ ଲୁଗା ଶୁଖା ତାର ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଚାର୍ଜ ହୋଇଯାଇଥିଲା । ଅଗ୍ନିଶମ କର୍ମଚାରୀ ଚନ୍ଦନ ପଟ୍ଟନାୟକ ଅଜାଣତରେ ଉକ୍ତ ଲୁଗା ଶୁଖା ତାର ସଂସ୍ପର୍ଶରେ ଆସିବାରୁ ବିଦ୍ୟୁତ ଆଘାତ ପାଇ ଛିଟିକି ପଡ଼ିଥିଲେ । ତୁରନ୍ତ ତାଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଏହି ଖବର ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଗ୍ନିଶମ କର୍ମଚାରୀ ଚନ୍ଦନ ପଟ୍ଟନାୟକଙ୍କର ବିୟୋଗରେ ଶୋକ ପ୍ରକାଶ କରିଛନ୍ତି । ଏହି କଠିନ ସମୟରେ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇବା ସହ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ଅମର ଆତ୍ମାର ସଦଗତି ନିମନ୍ତେ ପ୍ରାର୍ଥନା କରିଛନ୍ତି ।