ଭୁବନେଶ୍ୱର: ଉତ୍ତର ଓଡ଼ିଶାରେ ଲଗାଣ ବର୍ଷା ଓ ନଦୀଗୁଡ଼ିକର ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଥିବାରୁ ରାଜ୍ୟ ସରକାର ବନ୍ୟା ମୁକାବିଲା ପାଇଁ ପ୍ରସ୍ତୁତିକୁ ଆହୁରି ଜୋରଦାର କରିଛନ୍ତି। ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଜିଲ୍ଲାର ସ୍ଥିତି ଉପରେ ସିଧାସଳଖ ନଜର ରଖିବା ପାଇଁ ୩ ଜଣ ବରିଷ୍ଠ IAS ଅଧିକାରୀଙ୍କୁ ମୁତୟନ କରାଯାଇଛି।
ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ଯେ, ଆଗାମୀ ୧୨ ଘଣ୍ଟା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଉପରମୁଣ୍ଡ ଓ ତଳମୁଣ୍ଡ ଅଞ୍ଚଳରେ ବର୍ଷା ଜାରି ଥିବାରୁ ନଦୀଗୁଡ଼ିକର ଜଳସ୍ତର ଆହୁରି ବଢ଼ିପାରେ। ବିପଦପୂର୍ଣ୍ଣ ଅଞ୍ଚଳରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିବା ବେଳେ ରିଲିଫ ଓ ରହଣି ବ୍ୟବସ୍ଥା କରାଯାଇଛି।
ସରକାର ଭଦ୍ରକ ପାଇଁ ଓଏମସିର ପରିଚାଳନା ନିର୍ଦ୍ଦେଶକ ସୁଧାଂଶୁ ମୋହନ ସାମଲ, ବାଲେଶ୍ୱର ପାଇଁ ଓଏସସିଏସସିର ପରିଚାଳନା ନିର୍ଦ୍ଦେଶକ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଏବଂ ଯାଜପୁର ପାଇଁ ଅବକାରୀ କମିଶନର ପି. ଅନ୍ୱେଷା ରେଡ୍ଡୀଙ୍କୁ ନିୟୋଜିତ କରିଛନ୍ତି। ସେମାନେ ଜିଲ୍ଲାପାଳଙ୍କ ସହ ମିଶି ବନ୍ୟା ପରିସ୍ଥିତି, ଉଦ୍ଧାର, ରିଲିଫ ଓ ପୁନରୁଦ୍ଧାର କାର୍ଯ୍ୟର ତଦାରଖ କରିବେ।
ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ କହିଛନ୍ତି, ଦୁର୍ବଳ ନଦୀବନ୍ଧରେ ଜଳସମ୍ପଦ ବିଭାଗର ଇଞ୍ଜିନିୟରମାନେ ମୁତୟନ ହୋଇଛନ୍ତି। ରାତ୍ରି ପାଟ୍ରୋଲିଂ ବଢ଼ାଯାଇଛି ଏବଂ ବନ୍ଧରେ କୌଣସି ବିପଦ ଦେଖାଦେଲେ ତୁରନ୍ତ ବାଲି ବସ୍ତା ପକାଇ ମରାମତି କରାଯିବ।
ବର୍ତ୍ତମାନ ଜଳକା, ବୁଢ଼ାବଳଙ୍ଗ ଓ ସାଳନ୍ଦୀ ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଥିବା ବେଳେ ମୟୂରଭଞ୍ଜ, କେନ୍ଦୁଝର ଓ ସମ୍ବଲପୁରର ନଦୀଗୁଡ଼ିକ ଉପରେ ମଧ୍ୟ କଡ଼ା ନଜର ରଖାଯାଇଛି। ଓଡ୍ରାଫ ଟିମ୍, ପୋଲିସ ଓ ଜିଲ୍ଲା ପ୍ରଶାସନ ସମନ୍ୱୟ ରଖି ଉଦ୍ଧାର ଓ ସୁରକ୍ଷା କାର୍ଯ୍ୟକୁ ତ୍ୱରାନ୍ୱିତ କରୁଛନ୍ତି।