ଦେବଗଡ଼: ଲଗାଣ ବର୍ଷା ମଧ୍ୟରେ ଦେବଗଡ଼ ଜିଲ୍ଲାରୁ ଆସିଛି ଏକ ହୃଦୟବିଦାରକ ଖବର। ଘରର କାନ୍ଥ ଭୁଶୁଡ଼ି ପଡ଼ିବାରୁ ଜଣେ ୩ ବର୍ଷର ଶିଶୁର ମୃତ୍ୟୁ ଘଟିଛି। ଏହି ଅଘଟଣ ପରେ ପରିବାରରେ ଶୋକର ଛାୟା ଖେଳିଯାଇଥିବା ବେଳେ ସମଗ୍ର ଗାଁରେ ଦୁଃଖର ପରିବେଶ ସୃଷ୍ଟି ହୋଇଛି।
ଏହି ଘଟଣା ଦେବଗଡ଼ ଜିଲ୍ଲା ରିଆମାଳ ଥାନା ଅଧୀନ ବେଲମୁଣ୍ଡା ଗାଁରେ ଘଟିଛି। ମୃତ ଶିଶୁର ନାମ ରିଆନ କୁଲ୍ଲୁ । ସେ ରାଜେନ କୁଲ୍ଲୁଙ୍କ ପୁଅ ବୋଲି ଜଣାପଡ଼ିଛି।ପରିବାର ଲୋକଙ୍କ କହିବା ଅନୁସାରେ, ମଙ୍ଗଳବାର ସକାଳେ ରିଆନ ଏକ ଛତା ଧରି ଘରୁ ବାହାରକୁ ଯାଉଥିଲା। ସେହି ସମୟରେ ଲଗାଣ ବର୍ଷା ଯୋଗୁଁ ଦୁର୍ବଳ ହୋଇପଡ଼ିଥିବା ଘରର କାନ୍ଥ ହଠାତ୍ ଭୁଶୁଡ଼ି ପଡ଼ିଥିଲା। କାନ୍ଥ ତଳେ ଚାପି ହୋଇ ଶିଶୁଟି ଗୁରୁତର ଆହତ ହୋଇଥିଲା।
ପରିବାର ଲୋକେ ତୁରନ୍ତ ଶିଶୁଟିକୁ ଉଦ୍ଧାର କରି ନିକଟସ୍ଥ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ହେଲେ ଡାକ୍ତର ସେଠାରେ ଶିଶୁକୁ ମୃତ ଘୋଷଣା କରିଥିଲେ। କୁନି ପୁଅର ମୃତ୍ୟୁ ପରେ ପରିବାର ଲୋକଙ୍କ କାନ୍ଦବୋବାଳିରେ ସମଗ୍ର ଅଞ୍ଚଳ ଭାରାକ୍ରାନ୍ତ ହୋଇପଡ଼ିଛି।
ଖବର ପାଇ କଂସର ପୁଲିସ ଫାଣ୍ଡିର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି। ଘଟଣାରେ ଏକ ମାମଲା ରୁଜୁ କରି ପୁଲିସ ଅଧିକ ତଦନ୍ତ ଆରମ୍ଭ କରିଛି।
ଗତ ଦୁଇ ଦିନ ଧରି ଦେବଗଡ଼ ଜିଲ୍ଲାରେ ପ୍ରବଳ ବର୍ଷା ହେଉଥିବାରୁ ଅନେକ ସ୍ଥାନରେ କାନ୍ଥ ଓ ଛାତ ଭୁଶୁଡ଼ି ପଡ଼ିବା ଘଟଣା ଘଟିଛି। ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ବିଶେଷକରି କଚ୍ଚା ଘରରେ ରହୁଥିବା ଲୋକଙ୍କୁ ସତର୍କ ରହିବା, ବିପଦପୂର୍ଣ୍ଣ ଘର ଛାଡ଼ି ସୁରକ୍ଷିତ ସ୍ଥାନକୁ ଯିବା ଏବଂ ବର୍ଷା ସମୟରେ ଅତିରିକ୍ତ ସାବଧାନତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଛି।