ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ରଘୁନାଥ ତହସିଲ ଅନ୍ତର୍ଗତ ଗୁହାଳିପୁର ପଞ୍ଚାୟତରେ କିଛି ମୁଷ୍ଟିମେୟ ଲୋକଙ୍କ ମନମୁଖୀ କାର୍ଯ୍ୟ ଯୋଗୁଁ ଆଜି ଚାଷୀ ମୁଣ୍ଡରେ ଚଡ଼କ ପଡ଼ିଛି । କେନାଲ ଜବରଦଖଲ ଯୋଗୁଁ ବର୍ଷା ଜଳ ନିଷ୍କାସିତ ହୋଇପାରୁ ନାହିଁ । ଫଳରେ ହେକ୍ଟର୍ ହେକ୍ଟର ଚାଷ ଜମି ଉପରେ ଜମି ରହିଛି ବର୍ଷା ଜଳ । ଯାହାକୁ ନେଇ ପଞ୍ଚାୟତବାସୀଙ୍କ ମନରେ ଆକ୍ରୋଶ ସୃଷ୍ଟି ହୋଇଛି ।
ରଘୁନାଥପୁର ତହସିଲ ଅନ୍ତର୍ଗତ ଗୁହାଳିପୁର ପଞ୍ଚାୟତର ବର୍ତ୍ତି ଠାରୁ ତାରାପୁର ପଞ୍ଚାୟତ ପର୍ଯ୍ୟନ୍ତ ଏକ ସଫେଇ କେନାଲ ରହିଛି ଯାହା ହଂସୁଆରେ ପଡ଼ିଛି । ଏହି ସଫେଇ କେନାଲ ଦ୍ୱାରା ଶତାଧିକ ହେକ୍ଟର ଚାଷ ଜମିର ଜଳ ନିଷ୍କାସିତ ହୋଇଥାଏ । କିନ୍ତୁ ଏହି ସଫେଇ କେନାଲକୁ କିଛି ମୁଷ୍ଟିମେୟ ଲୋକ ଜବରଦଖଲ କରି ସେଥିରେ ପୋଖରୀ, ବାଉଁଶ ବୁଦା, ବାଡ଼ିବଗିଚା କରିଦେଇଛନ୍ତି । ଯେଉଁଥି ପାଇଁ ବର୍ଷା ଦିନ ଆସିଲେ ସାଧାରଣ ଚାଷୀର ଚିନ୍ତା ବଢ଼ିଯାଉଛି । କେନାଲରେ ଆଉ ବର୍ଷା ଜଳ ନିଷ୍କାସନ ହୋପାରୁ ନାହିଁ । ଲଗାଣ ବର୍ଷା ଯୋଗୁଁ ଚାଷୀଙ୍କ ଚାଷ ଜମି ଜଳମଗ୍ନ ହୋଇ ରହିଥିବାରୁ ତଳି ପଚିବାକୁ ଲାଗିଲାଣି। ଯାହାକୁ ନେଇ ଏବେ ଚିନ୍ତାରେ ଚାଷୀ । ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ସଫେଇ କେନାଲରେ ହୋଇଥିବା ଜବରଦଖଲ ଉଚ୍ଛେଦ କରିବାକୁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି ।