ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ (ସିଏମଓ)ରୁ ଗୁରୁତ୍ୱପୂର୍ଣ୍ଣ ଫାଇଲ ହଜିବା ଘଟଣାର ତଦନ୍ତ ଏବେ ନିର୍ଣ୍ଣାୟକ ପର୍ଯ୍ୟାୟରେ ପହଞ୍ଚିଛି। ଏହି ବହୁଚର୍ଚ୍ଚିତ ମାମଲାକୁ ନେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ବଡ଼ ସୂଚନା ଦେଇ କହିଛନ୍ତି ଯେ, ଫାଇଲ ଗ୍ରହଣ ସମୟରେ ଦସ୍ତଖତ କରିଥିବା ଅଧିକାରୀଙ୍କୁ ଚିହ୍ନଟ କରାଯାଇଛି। ବର୍ତ୍ତମାନ ସେହି ଫାଇଲ କେଉଁ କେଉଁ ହାତ ଦେଇ ଯାଇଥିଲା ଏବଂ କେଉଁ ପର୍ଯ୍ୟାୟରେ ଏହାର ଗତିବିଧି ହୋଇଥିଲା, ତାହାର ଖୋଳତାଡ଼ ଜୋରଦାର ଚାଲିଛି।
ମନ୍ତ୍ରୀଙ୍କ କହିବା ଅନୁସାରେ, ତଦନ୍ତ ଏବେ ଶେଷ ସୋପାନରେ ରହିଛି ଏବଂ ଏହି ଘଟଣାରେ ଯାହାର ବି ସମ୍ପୃକ୍ତି ମିଳିବ, ସେମାନଙ୍କୁ ଆଇନ ଅନୁଯାୟୀ ତଦନ୍ତ ପରିସରଭୁକ୍ତ କରାଯିବ। କୌଣସି ଅଧିକାରୀ କିମ୍ବା ବ୍ୟକ୍ତିଙ୍କ ପ୍ରତି କୌଣସି ପ୍ରକାର କୋହଳ କରାଯିବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି।
ସୁରେଶ ପୂଜାରୀ ଆହୁରି କହିଛନ୍ତି, ତଦନ୍ତ ସମ୍ପୂର୍ଣ୍ଣ ନିରପେକ୍ଷ ଭାବେ ଏବଂ ଆଇନର ପରିସର ମଧ୍ୟରେ କରାଯାଉଛି। ଯେଉଁମାନେ ଏପର୍ଯ୍ୟନ୍ତ ତଦନ୍ତରେ ସହଯୋଗ କରିନାହାନ୍ତି, ସେମାନଙ୍କୁ ପରବର୍ତ୍ତୀ ପର୍ଯ୍ୟାୟରେ ଡକାଯିବ। ଆବଶ୍ୟକ ହେଲେ ବିଦେଶରେ ଥିବା ବ୍ୟକ୍ତିଙ୍କୁ ମଧ୍ୟ ଆଇନଗତ ପ୍ରକ୍ରିୟାରେ ସାମିଲ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।
ସିଏମଓ ପରି ଏକ ସମ୍ବେଦନଶୀଳ କାର୍ଯ୍ୟାଳୟରୁ ଫାଇଲ ହଜିବା ଘଟଣାକୁ ସରକାର ଅତ୍ୟନ୍ତ ଗୁରୁତ୍ୱର ସହ ନେଇଥିବା ବେଳେ ତଦନ୍ତର ଶେଷ ପର୍ଯ୍ୟାୟରେ ନୂଆ ତଥ୍ୟ ସାମ୍ନାକୁ ଆସିବାର ସମ୍ଭାବନା ବଢ଼ିଛି। ଏହି ମାମଲାର ଚୂଡ଼ାନ୍ତ ରିପୋର୍ଟ ଓ ପରବର୍ତ୍ତୀ ସରକାରୀ ପଦକ୍ଷେପ ଉପରେ ଏବେ ସମସ୍ତଙ୍କ ନଜର ରହିଛି।