ଭୁବନେଶ୍ୱର: ଲଘୁଚାପର ପ୍ରଭାବରେ ଓଡ଼ିଶାରେ ଲଗାଣ ବର୍ଷା ଜାରି ରହିଛି। ରାଜ୍ୟର ଅନେକ ଜିଲ୍ଲାରେ ଅତି ପ୍ରବଳ ବର୍ଷା ହୋଇଥିବା ବେଳେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସଦ୍ୟତମ ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟାରେ ରାଜ୍ୟର ୧୧ଟି ସ୍ଥାନରେ ଅତି ପ୍ରବଳ, ୩୪ଟି ସ୍ଥାନରେ ଅତି ଭାରି ଏବଂ ୩୮ଟି ସ୍ଥାନରେ ପ୍ରବଳ ବର୍ଷା ରେକର୍ଡ କରାଯାଇଛି।
ସବୁଠୁ ଅଧିକ ବର୍ଷା ବରଗଡ଼ ଜିଲ୍ଲାର ବିଜେପୁରରେ ୩୧୫ ମିଲିମିଟର ରେକର୍ଡ ହୋଇଛି। ଏହା ପରେ ବଲାଙ୍ଗିର ଜିଲ୍ଲାର ଅଗଲପୁରରେ ୨୬୪ ମିମି, ସାଲେଭଟ୍ଟାରେ ୨୫୬.୮ ମିମି, ବରଗଡ଼ର ବରପାଲିରେ ୨୫୨ ମିମି ଏବଂ ଗାଇସିଲେଟରେ ୨୫୧ ମିମି ବର୍ଷା ହୋଇଛି। ଏହାବ୍ୟତୀତ ବରଗଡ଼, ବଲାଙ୍ଗିର, ସୋନପୁର, ସମ୍ବଲପୁର, କେନ୍ଦୁଝର ଓ ଅନୁଗୁଳ ଜିଲ୍ଲାର ଅନେକ ସ୍ଥାନରେ ୧୫୦ ମିଲିମିଟରରୁ ଅଧିକ ବର୍ଷା ରେକର୍ଡ ହୋଇଛି।
ଲଗାଣ ବର୍ଷା ଯୋଗୁଁ ଉତ୍ତର ଓ ପଶ୍ଚିମ ଓଡ଼ିଶାର ଅନେକ ଅଞ୍ଚଳରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି। ବୈତରଣୀ ଓ ସାଳନ୍ଦୀ ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଥିବାରୁ ପ୍ରଶାସନ ସତର୍କ ହୋଇପଡ଼ିଛି। ବନ୍ୟା ପ୍ରଭାବିତ ଜିଲ୍ଲାଗୁଡ଼ିକରେ ସ୍କୁଲ ଓ କଲେଜ ବନ୍ଦ ରଖାଯାଇଥିବା ବେଳେ ଉଦ୍ଧାର ଓ ରିଲିଫ କାର୍ଯ୍ୟ ପାଇଁ ଏନଡିଆରଏଫ ଓ ଓଡ୍ରାଫ ଟିମ୍ ମୁତୟନ କରାଯାଇଛି।
ଭାରତୀୟ ପାଣିପାଗ ବିଭାଗ (IMD) ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଅନେକ ସ୍ଥାନରେ ପୁଣି ଭାରିରୁ ଅତି ଭାରି ବର୍ଷା ହେବାର ସମ୍ଭାବନା ନେଇ ସତର୍କ କରିଛି। ତେଣୁ ନଦୀକୂଳ ଓ ତଳିଆ ଅଞ୍ଚଳର ଲୋକଙ୍କୁ ସତର୍କ ରହିବା ସହ ପ୍ରଶାସନର ପରାମର୍ଶ ମାନିବାକୁ ଅନୁରୋଧ କରାଯାଇଛି। ବର୍ଷାର ପ୍ରକୋପ ଦୃଷ୍ଟିରେ ରଖି ସମସ୍ତ ସଂପୃକ୍ତ ବିଭାଗକୁ ହାଇ ଆଲର୍ଟରେ ରଖାଯାଇଛି।