ଭୁବନେଶ୍ୱର: ଗତ କିଛି ଦିନ ଧରି ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଓ ବନ୍ୟା ସ୍ଥିତି ସୃଷ୍ଟି କରିଥିବା ଡିପ୍ ଡିପ୍ରେସନ (ଗଭୀର ଅବପାତ) ଏବେ ଧୀରେ ଧୀରେ ଓଡ଼ିଶା ଛାଡ଼ି ପଶ୍ଚିମ ଦିଗକୁ ଅଗ୍ରସର ହେଉଛି। ଭାରତୀୟ ପାଣିପାଗ ବିଭାଗ (IMD) ବୁଧବାର ସକାଳେ ଏହି ସୂଚନା ଦେଇଛି।
ଆଇଏମଡି ଅନୁଯାୟୀ, ଗତ ୬ ଘଣ୍ଟା ମଧ୍ୟରେ ଘଣ୍ଟାପ୍ରତି ପ୍ରାୟ ୧୫ କିଲୋମିଟର ବେଗରେ ପଶ୍ଚିମ ଦିଗକୁ ଗତି କରିଥିବା ଏହି ଡିପ୍ ଡିପ୍ରେସନ ବର୍ତ୍ତମାନ ଛତିଶଗଡ଼ର ମଧ୍ୟଭାଗ ଏବଂ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା ସଂଲଗ୍ନ ଅଞ୍ଚଳରେ କେନ୍ଦ୍ରୀଭୂତ ରହିଛି। ସକାଳ ୮ଟା ୩୦ ସୁଦ୍ଧା ଏହା ରାୟଗଡ଼ ନିକଟବର୍ତ୍ତୀ ଅଞ୍ଚଳରେ ଅବସ୍ଥିତ ଥିଲା।
ପାଣିପାଗ ବିଭାଗ କହିଛି, ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହି ଗଭୀର ଅବପାତ ଛତିଶଗଡ଼ ଦେଇ ପୂର୍ବ ମଧ୍ୟପ୍ରଦେଶ ଆଡ଼କୁ ପଶ୍ଚିମ ଦିଗରେ ଆହୁରି ଅଗ୍ରସର ହେବ। ଏହାର ପ୍ରଭାବରେ ଓଡ଼ିଶାରେ ବର୍ଷାର ତୀବ୍ରତା ଧୀରେ ଧୀରେ କମିବାର ସମ୍ଭାବନା ରହିଛି। ତେବେ କେତେକ ସ୍ଥାନରେ ଏବେ ବି ବର୍ଷା ଜାରି ରହିପାରେ ବୋଲି ଆଇଏମଡି ସତର୍କ କରିଛି।
ଉଲ୍ଲେଖଯୋଗ୍ୟ ଯେ, ଏହି ଡିପ୍ ଡିପ୍ରେସନ ପ୍ରଭାବରେ ଗତ କିଛି ଦିନ ଧରି ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଅତି ପ୍ରବଳ ବର୍ଷା ହୋଇଥିଲା। ବୈତରଣୀ, ସାଳନ୍ଦୀ ସମେତ ଅନେକ ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେବା ସହ ବନ୍ୟା ସ୍ଥିତି ସୃଷ୍ଟି ହୋଇଥିଲା। ଅନେକ ଜିଲ୍ଲାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିଲା ଏବଂ ଉଦ୍ଧାର ଓ ରିଲିଫ କାର୍ଯ୍ୟ ଜୋରଦାର କରାଯାଇଥିଲା।
ବର୍ତ୍ତମାନ ଡିପ୍ ଡିପ୍ରେସନ ଓଡ଼ିଶାରୁ ଦୂରେଇ ଯାଉଥିବାରୁ ପାଗରେ କିଛିଟା ସୁଧାର ଆସିବାର ଆଶା ରହିଛି। ତଥାପି ନଦୀକୂଳ ଓ ବନ୍ୟା ପ୍ରଭାବିତ ଅଞ୍ଚଳର ଲୋକଙ୍କୁ ସତର୍କ ରହିବା ସହ ପ୍ରଶାସନର ପରାମର୍ଶ ମାନିବାକୁ ଅନୁରୋଧ କରାଯାଇଛି।