ଭଦ୍ରକ: ଲଗାଣ ବର୍ଷାରେ ଉବୁଟୁବୁ ଉତ୍ତର ଓଡ଼ିଶା । ବାଲେଶ୍ୱର ଠାରୁ ଆରମ୍ଭ କରି ଭଦ୍ରକ, ମୟୁରଭଞ୍ଜ, କେନ୍ଦୁଝରରେ ଜଳ ବିଭୀଷିକା ଦେଖିବାକୁ ମିଳିଛି । ଜଳକା ନଦୀବନ୍ଧ ଏବଂ ବୈତରଣୀ ନଦୀବନ୍ଧରେ ଘାଇ ସୃଷ୍ଟି ହୋଇଛି । ସେପଟେ ଅନେକ ସ୍ଥାନରେ ଜଳବନ୍ଦୀ ସମସ୍ୟା ମଧ୍ୟ ସୃଷ୍ଟି ହୋଇଛି । ଫଳରେ ହଜାର ହଜାର ଲୋକେ ଏବେ ପାଣି ଘେରରେ ଦିନରାତି କାଟୁଛନ୍ତି ।
କେନ୍ଦୁଝର ଜିଲ୍ଲା ଆନନ୍ଦପୁର ରିଙ୍ଗ ବନ୍ଧରେ ହେଲା ୩୦ ଫୁଟ୍ ର ଘାଇ । ବୈତରଣୀ ନଦୀରେ ଆସିଥିବା ପ୍ରଳୟଙ୍କରୀ ବନ୍ୟାରେ ଆନନ୍ଦପୁରର ଲାଇଫଲାଇନ କୁହାଯାଉଥିବା ଆନନ୍ଦପୁର ରିଙ୍ଗବନ୍ଧରେ ଗତକାଲି ବିଳମ୍ବିତ ରାତିରେ ୩୦ଫୁଟର ଏକ ଘାଇ ସୃଷ୍ଟି ହୋଇଛି । ଫଳରେ ରିଙ୍ଗ ରୋଡ଼ କଡ଼ରେ ଥିବା ୫୦ ରୁ ଊର୍ଦ୍ଧ୍ୱ ପରିବାରଙ୍କୁ ସ୍ଥାନାନ୍ତର କରାଯାଇଛି । ଘଟଣାସ୍ଥଳରେ ପୋଲିସ, ଆନନ୍ଦପୁର ବିଡିଓ ଏବଂ ତହସିଲଦାର ସ୍ଥିତି ଉପରେ ନଜର ରଖିଛନ୍ତି ।
ସେହିପରି କିଛି ମାସ ପୂର୍ବରୁ ତିଆରି ହୋଇଥିବା ଜଳକା ନଦୀ ବନ୍ଧରେ ୨୦୦ ଫୁଟର ଘାଇ ସୃଷ୍ଟି ହୋଇଛି । ଜଳେଶ୍ୱର ଅନ୍ତର୍ଗତ ଦରଡା ନିକଟରେ ନଦୀ ବନ୍ଧ ଭାଙ୍ଗିଛି । ହେକ୍ଟର୍ ହେକ୍ଟର ଚାଷ ଜମି ଜଳମଗ୍ନ ହୋଇଯାଇଛି । ଏହି ନଦୀ ବନ୍ଧ କିଛି ମାସ ତଳେ ନିର୍ମାଣ କରାଯାଇଥିଲା । ନିମ୍ନ ମାନର କାମ କରାଯାଇଥିବା ଅଭିଯୋଗରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ କ୍ଷୋଭ ପ୍ରକାଶ ପାଇଛି ।
ଭଦ୍ରକ ଜିଲ୍ଲାରେ ମଧ୍ୟ ବନ୍ୟା ସ୍ଥିତି ସଙ୍ଗିନ ରହିଛି । ଆଖୁଆପଦା ଆନିକଟଠାରେ ବିପଦ ସଙ୍କେତ ୧୮.୩୩ ମିଟର ଥିବା ବେଳେ ବିଳମ୍ବିତ ରାତି ରେ ବନ୍ୟା ଜଳ ୨୦.୧୬ ମିଟର ଅତିକ୍ରମ କରିଛି । ସାଳନ୍ଦୀ ନଦୀରେ ବନ୍ୟା ଫଳରେ ଭଦ୍ରକ ବ୍ଲକ ଓ ପୌରପାଳିକାର କେତେକ ଅଂଶ ପାଣିରେ ବୁଡ଼ି ରହିଛି । ସେହିପରି ବୈତରଣୀ ନଦୀରେ ଆସିଥିବା ବନ୍ୟା ଯୋଗୁଁ ଧାମନଗର, ଭଣ୍ଡାରିପୋଖରୀ, ତିହିଡି ଓ ଚାନ୍ଦବାଲି ବ୍ଲକ ପ୍ରଭାବିତ ହୋଇଛି । ସମାନ ଭାବେ କାଂସବାଂଶ ଓ ଗମେଇ ନଦୀରେ ବନ୍ୟା ବାସୁଦେବପୁର ବ୍ଲକକୁ ପ୍ରଭାବିତ କରିଛି । ଜିଲ୍ଲାର ପ୍ରାୟ ୫୦ରୁ ଅଧିକ ପଞ୍ଚାୟତରେ ବନ୍ୟା ସ୍ଥିତି ସୃଷ୍ଟି ହେବା ସହ ଅନେକ ଅଞ୍ଚଳ ଜଳବନ୍ଦୀ ହୋଇଛି ।