ନୂଆଦିଲ୍ଲୀ: ଦେଶବ୍ୟାପୀ ଛାତ୍ର ଆନ୍ଦୋଳନ ଏବଂ ପ୍ରଦର୍ଶନ ସମୟରେ ଘଟିଥିବା ହିଂସାକାଣ୍ଡକୁ ନେଇ ସର୍ବୋଚ୍ଚ ଅଦାଲତ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଛାତ୍ର ଏବଂ ପୋଲିସ ଉଭୟଙ୍କ ପ୍ରତି ହୋଇଥିବା ଆକ୍ରମଣ ତଥା ଅତ୍ୟାଚାର ଅଭିଯୋଗର ଏକ ସ୍ବାଧୀନ ଏବଂ ନିରପେକ୍ଷ ତଦନ୍ତ କରାଯିବା ଆବଶ୍ୟକ ବୋଲି ସୁପ୍ରିମକୋର୍ଟ ମତ ଦେଇଛନ୍ତି।
ମାମଲାର ଶୁଣାଣି କରି ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି ଯେ, ଯେଉଁମାନେ ଆଇନକୁ ନିଜ ହାତକୁ ନେଇଛନ୍ତି ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। କୋର୍ଟ କହିଛନ୍ତି ଯେ ଦାୟିତ୍ୱ ନିର୍ଦ୍ଧାରଣ ନ କଲେ କୌଣସି ତଦନ୍ତର କୌଣସି ମୂଲ୍ୟ ରହେ ନାହିଁ। ଛାତ୍ର ଓ ପୋଲିସ ସଂଘର୍ଷ ସମୟରେ ଘଟିଥିବା ବିଭିନ୍ନ ଅଘଟଣର ଯାଞ୍ଚ ପାଇଁ ଏକ ଉଚ୍ଚସ୍ତରୀୟ ସ୍ବାଧୀନ ତଦନ୍ତ ପାଇଁ କୋର୍ଟ ପଥ ପରିଷ୍କାର କରିଛନ୍ତି।
ଆନ୍ଦୋଳନ ସମୟରେ ଅଟକ କିମ୍ବା ଗିରଫ ହୋଇଥିବା ଯେଉଁ ନାବାଳକ କିମ୍ବା ଛାତ୍ରଛାତ୍ରୀଙ୍କୁ କୌଣସି ଅପରାଧିକ ପୃଷ୍ଠଭୂମି ନାହିଁ, ସେମାନଙ୍କୁ ତୁରନ୍ତ ଛାଡ଼ିଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଘଟଣାସ୍ଥଳର ସିସିଟିଭି ଫୁଟେଜ୍, ଡ୍ରୋନ୍ କ୍ୟାମେରା ରେକର୍ଡିଂ ଏବଂ ପିସିଆର କଲ୍ ରେକର୍ଡ ସୁରକ୍ଷିତ ଭାବେ ସାଇତି ରଖିବାକୁ କୁହାଯାଇଛି। ଗଣତାନ୍ତ୍ରିକ ପ୍ରତିବାଦକୁ ଦମନ କରିବା ପାଇଁ ପୋଲିସ ନୂତନ ଏବଂ ସଂଶୋଧିତ କାର୍ଯ୍ୟପନ୍ଥା ଗ୍ରହଣ କରିବା ଆବଶ୍ୟକ ବୋଲି ଅଦାଲତ ଗୁରୁତ୍ୱାରୋପ କରିଛନ୍ତି।
ଆନ୍ଦୋଳନ ବେଳେ ପୋଲିସ ପକ୍ଷରୁ ଅତ୍ୟଧିକ ବଳ ପ୍ରୟୋଗ, ପେଲେଟ୍ ଗନ୍ ବ୍ୟବହାର ଏବଂ ଅନ୍ୟପକ୍ଷରେ ପ୍ରାୟ ଦୁଇ ଶହରୁ ଅଧିକ ପୋଲିସ କର୍ମଚାରୀ ଆହତ ହେବା ଭଳି ସମସ୍ତ ପକ୍ଷର ଅଭିଯୋଗକୁ ଅଦାଲତ ଗୁରୁତ୍ୱର ସହ ବିଚାରକୁ ନେଇଛନ୍ତି। ଆଗାମୀ ଶୁଣାଣି ପୂର୍ବରୁ କେନ୍ଦ୍ର ଏବଂ ସଂପୃକ୍ତ ରାଜ୍ୟଗୁଡ଼ିକୁ ସେମାନଙ୍କ ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।