ଡେରାଡୁନ: ଉତ୍ତରାଖଣ୍ଡରେ ଲଗାଣ ବର୍ଷା ଓ ବିଭିନ୍ନ ସ୍ଥାନରେ ଭୂସ୍ଖଳନ ପରିସ୍ଥିତି ସୃଷ୍ଟି ହେବା ପରେ ପ୍ରସିଦ୍ଧ ଚାରଧାମ ଯାତ୍ରାକୁ ମଙ୍ଗଳବାର ଓ ବୁଧବାର ପାଇଁ ସ୍ଥଗିତ କରାଯାଇଛି। ଯାତ୍ରୀଙ୍କ ସୁରକ୍ଷାକୁ ସର୍ବାଧିକ ପ୍ରାଥମିକତା ଦେଇ ଏହି ନିଷ୍ପତ୍ତି ନିଆଯାଇଥିବାବେଳେ ପାଗ ସୁଧୁରିବା ଏବଂ ରାସ୍ତା ସମ୍ପୂର୍ଣ୍ଣ ସୁରକ୍ଷିତ ଘୋଷଣା ହେବା ପରେ ଯାତ୍ରା ପୁଣି ଆରମ୍ଭ ହେବ ବୋଲି ପ୍ରଶାସନ ସ୍ପଷ୍ଟ କରିଛି।
ଗଡ଼ୱାଳ ମଣ୍ଡଳ କମିଶନର କହିଛନ୍ତି ଯେ, ପ୍ରବଳ ବର୍ଷା କାରଣରୁ ବହୁ ସ୍ଥାନରେ ଯାତ୍ରାପଥ ବିପଦପୂର୍ଣ୍ଣ ହୋଇପଡ଼ିଛି। ବିଶେଷକରି କେଦାରନାଥ ଜାତୀୟ ରାଜପଥର ମୁଙ୍କଟିଆ ଅଞ୍ଚଳରେ ପାହାଡ଼ରୁ ବଡ଼ ବଡ଼ ପଥର ଓ ମାଟି ଖସିପଡ଼ିବାରୁ ରାସ୍ତା ଅବରୋଧ ହୋଇଛି। ଏହାକୁ ସଫା କରିବା ପାଇଁ ଭାରୀ ଯନ୍ତ୍ରପାତି ନିୟୋଜିତ ହୋଇଥିବାବେଳେ ଯୁଦ୍ଧକାଳୀନ ଭିତ୍ତିରେ କାମ ଚାଲିଛି।
ରୁଦ୍ରପ୍ରୟାଗ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ଅଧିକାରୀ ନନ୍ଦନ ସିଂ ରାଜୱାର କହିଛନ୍ତି ଯେ, ଲଗାଣ ବର୍ଷା ଯୋଗୁଁ ଅନେକ ସ୍ଥାନରେ ରାସ୍ତା ଯେକୌଣସି ସମୟରେ ବନ୍ଦ ହୋଇପାରେ। ମୁଙ୍କଟିଆରେ ରାସ୍ତା ଅଳ୍ପ ସମୟ ପାଇଁ ଖୋଲାଯାଇଥିଲେ ମଧ୍ୟ ପାହାଡ଼ରୁ ଲଗାତାର ପଥର ଖସିବାର ଆଶଙ୍କା ରହିଛି। ସେଥିପାଇଁ ସୁରକ୍ଷା ଦୃଷ୍ଟିରୁ ଯାତ୍ରୀମାନଙ୍କୁ ସତର୍କତାର ସହ ପାର କରାଯାଉଛି ଏବଂ ବିପଦପୂର୍ଣ୍ଣ ସ୍ଥାନରେ ଅଟକି ନରହିବାକୁ ପରାମର୍ଶ ଦିଆଯାଇଛି।
ଯାତ୍ରା ନିୟନ୍ତ୍ରଣ କକ୍ଷ ପକ୍ଷରୁ ପାଗ ସ୍ଥିତି ଉପରେ ୨୪ ଘଣ୍ଟା ନଜର ରଖାଯାଉଛି। ମାଇକ୍ ଯୋଗେ ଯାତ୍ରୀ, ଦୋକାନୀ, ସୁରକ୍ଷାକର୍ମୀ ଏବଂ ସେକ୍ଟର ଅଧିକାରୀଙ୍କୁ ନିୟମିତ ସୂଚନା ଓ ସତର୍କ ବାର୍ତ୍ତା ଦିଆଯାଉଛି। ଯେଉଁ ଯାତ୍ରୀମାନେ ପୂର୍ବରୁ କେଦାରନାଥ ମାର୍ଗରେ ଅଛନ୍ତି, ସେମାନଙ୍କୁ ସୁରକ୍ଷିତ ସ୍ଥାନରେ ରହିବାକୁ କୁହାଯାଇଛି।
ଅନ୍ୟପଟେ, ଡେରାଡୁନ ଏସଏସପି ପ୍ରମେନ୍ଦ୍ର ଡୋଭାଲ କହିଛନ୍ତି ଯେ, ଡେରାଡୁନ ସମେତ ପାହାଡ଼ିଆ ଜିଲ୍ଲାଗୁଡ଼ିକରେ ପୁଲିସକୁ ହାଇ ଆଲର୍ଟରେ ରଖାଯାଇଛି। ନଦୀକୂଳ, ଝରଣା ଓ ବନ୍ୟାପ୍ରବଣ ଅଞ୍ଚଳରେ ଲଗାତାର ପାଟ୍ରୋଲିଂ କରାଯାଉଛି। ଲାଉଡ୍ ସ୍ପିକର ମାଧ୍ୟମରେ ଲୋକଙ୍କୁ ନଦୀ ନିକଟକୁ ନଯିବାକୁ ସତର୍କ କରାଯାଉଛି। ବିପଦପୂର୍ଣ୍ଣ ଅଞ୍ଚଳରେ ରହୁଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ମଧ୍ୟ କରାଯାଉଛି।
ଏହାଛଡ଼ା ଶ୍ରୀନଗର ଡ୍ୟାମରୁ ଜଳ ଛଡ଼ାଯିବା ପରେ ଋଷିକେଶ ଅଞ୍ଚଳରେ ଗଙ୍ଗା ନଦୀର ଜଳସ୍ତର ବଢ଼ିଛି। ଗଙ୍ଗା ଘାଟରେ ପୁଲିସ ମୁତୟନ ହୋଇଥିବା ବେଳେ ପର୍ଯ୍ୟଟକ ଓ ସ୍ଥାନୀୟ ଲୋକଙ୍କୁ ନଦୀ ନିକଟକୁ ନଯିବାକୁ ଅନୁରୋଧ କରାଯାଇଛି।
ପ୍ରଶାସନ ପକ୍ଷରୁ କୁହାଯାଇଛି, ଯାତ୍ରୀଙ୍କ ଜୀବନର ସୁରକ୍ଷା ସର୍ବପ୍ରଥମ। ପାଗ ଅନୁକୂଳ ହେବା, ଭୂସ୍ଖଳନ ପ୍ରଭାବିତ ରାସ୍ତା ସଫା ହେବା ଏବଂ ସୁରକ୍ଷା ଯାଞ୍ଚ ଶେଷ ହେବା ପରେ ହିଁ ଚାରଧାମ ଯାତ୍ରା ପୁଣି ଆରମ୍ଭ କରାଯିବ।