ନୂଆଦିଲ୍ଲୀ: ଦିଲ୍ଲୀ ହାଇକୋର୍ଟ 'ସ୍ୱତନ୍ତ୍ର ସଂଘନ ସଂଶୋଧନ' କାର୍ଯ୍ୟରେ ଶିକ୍ଷକଙ୍କୁ ନିଯୁକ୍ତ କରିବାକୁ ନେଇ ଦାଖଲ ହୋଇଥିବା ଆବେଦନର ଶୁଣାଣି କରି ଶିକ୍ଷକଙ୍କ ପ୍ରତି ଅଧିକ ସମ୍ବେଦନଶୀଳ ହେବାକୁ ନିର୍ବାଚନ ଆୟୋଗଙ୍କୁ ପରାମର୍ଶ ଦେଇଛନ୍ତି । ସେହିପରି ଶିକ୍ଷକଙ୍କ ପ୍ରତି ବ୍ୟବହାର ହେଉଥିବା ଭାଷା ଏବଂ ସମୟକୁ ନେଇ ହାଇକୋର୍ଟ ଉଦବେଗ ପ୍ରକାଶ କରିଛନ୍ତି ।
ଦିଲ୍ଲୀରେ ଏସ୍ଆଇଆରରେ ଶିକ୍ଷକ ନିଯୁକ୍ତି ନେଇ ହୋଇଥିବା ଆବେଦନ ଦିଲ୍ଲୀ ହାଇକୋର୍ଟ ଶୁଣାଣି କରିଛନ୍ତି । ହାଇକୋର୍ଟ କହିଛନ୍ତି ଯେ ନିର୍ବାଚନ ଆୟୋଗଙ୍କ ସାମ୍ବିଧାନିକ ଅଧିକାର ଭିତରେ ଶିକ୍ଷକଙ୍କୁ ଏସ୍ଆଇଆର୍ କାର୍ଯ୍ୟରେ ନିୟୋଜିତ କରିବାବେଳେ ଯେପରି ସେମାନଙ୍କ ଉପରେ ଅତିରିକ୍ତ ଚାପ ନ ପଡ଼େ ସେଥିପ୍ରତି ଅଧିକ ଦୃଷ୍ଟି ଦିଆଯିବା ଆବଶ୍ୟକ । ଜଜଣେ ଶିକ୍ଷକ ବିଦ୍ୟାଳୟରେ ୬ରୁ ୮ ଘଣ୍ଟା ପାଠ ପଢ଼ାଇବା ପରେ ସେମାନଙ୍କୁ ନିର୍ବାଚନ ଦାୟିତ୍ୱରେ ନିଯୁକ୍ତ କରିବା ଦ୍ୱାରା ସେମାନଙ୍କ ଉପରେ ମାନସିକ ଓ ଶାରୀରିକ ଚାପ ପଡ଼ିଥାଏ । ପ୍ରାଥମିକ ବିଦ୍ୟାଳୟରେ ଅଧିକ ସଂଖ୍ୟାରେ ମହିଳା ଶିକ୍ଷକ ରହିଛନ୍ତି, ସେମାନଙ୍କର ନିଜ ପରିବାର ପ୍ରତି ମଧ୍ୟ ଦାୟିତ୍ୱ ରହିଛି । ଏଭଳି ସ୍ଥିତିରେ ଜଣେ ଶିକ୍ଷକଙ୍କଠାରୁ ୧୧ ଘଣ୍ଟା କାମ କରିବା ଆଶା ରଖିବା ଉଚିତ ନୁହେଁ । ତେଣୁ ଏଥିପ୍ରତି ଯତ୍ନବାନ ଦେବା ସହିତ ବିଶେଷଧ୍ୟାନ ଦେବାକୁ ହାଇକୋର୍ଟ ନିର୍ବାଚନ ଆୟୋଗଙ୍କୁ ପରାମର୍ଶ ଦେଇଛନ୍ତି । ସେହିପରି ନିର୍ଦ୍ଦେଶନାମାରେ ଯେଉଁ ଭଳି ଢଙ୍ଗରେ ଶିକ୍ଷକଙ୍କୁ ଆଦେଶ ଦିଆଯାଉଛି ତାହା ଉପରେ ମଧ୍ୟ କ୍ଷୋଭ ପ୍ରକାଶ କରିଛନ୍ତି । ସେମାନଙ୍କ ପ୍ରତି ଯେଉଁ ଭାଷାର ପ୍ରୟୋଗ କରାଯାଉଛି ତାହା ନିର୍ଦ୍ଦେଶ ନୁହେଁ ବରଂ ଧମକ ଅଟେ ।
ଆବେଦନକାରୀଙ୍କ ପକ୍ଷରୁ ଉପସ୍ଥିତ ଓକିଲ କୋର୍ଟଙ୍କୁ କହିଥିଲେ ଯେ ଶିକ୍ଷକମାନଙ୍କୁ ସେମାନଙ୍କର ନିୟମିତ ଶିକ୍ଷାଦାନରେ ଜଟିଳତାର ସମ୍ମୁଖୀନ ହେବାକୁ ପଡ଼ୁଛି । ଅନ୍ୟ ବିଦ୍ୟାଳୟର ଶିକ୍ଷକଙ୍କୁ ଆସି ପାଠ ପଢ଼ାଇବାକୁ ନିର୍ଦ୍ଦେଶ ଦିଆଯାଉଛି । ଯାହା ଉକ୍ତ ବିଦ୍ୟାଳୟର ପିଲା ଏବଂ ଶିକ୍ଷକଙ୍କ ପ୍ରତି ଅସହଜ ପରିସ୍ଥିତି ସୃଷ୍ଟି କରୁଛି ।