ନୂଆଦିଲ୍ଲୀ: ଦେଶବ୍ୟାପୀ ଚର୍ଚ୍ଚାରେ ଥିବା NEET-UG ପେପର ଲିକ୍ ମାମଲାରେ ଆରମ୍ଭ ହୋଇଛି ଆଇନଗତ କାର୍ଯ୍ୟାନୁଷ୍ଠାନ। କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (CBI) ର ଅର୍ଥନୈତିକ ଅପରାଧ ଶାଖା ଏହି ସମ୍ବେଦନଶୀଳ ମାମଲାରେ ନୂଆଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟରେ ନିଜର ପ୍ରଥମ ଚାର୍ଜସିଟ୍ ଦାଖଲ କରିଛି। ମୋଟ ୧୩ ଜଣ ଅଭିଯୁକ୍ତଙ୍କ ନାମରେ ଏହି ଚାର୍ଜସିଟ୍ ପ୍ରସ୍ତୁତ କରାଯାଇଥିବା ବେଳେ, ମାମଲାର ଶୀଘ୍ର ନିଷ୍ପତ୍ତି ପାଇଁ ଏହାକୁ ଏକ ସ୍ୱତନ୍ତ୍ର ଫାଷ୍ଟ-ଟ୍ରାକ୍ କୋର୍ଟକୁ ହସ୍ତାନ୍ତର କରାଯିବ।
୧୩ ଅଭିଯୁକ୍ତଙ୍କ ବିରୋଧରେ କଡ଼ା ଦଫା
CBI ଦ୍ୱାରା ଦାଖଲ ଚାର୍ଜସିଟ୍ରେ ୟଶ୍ ଯାଦବ, ମାଙ୍ଗୀଲାଲ୍ ବିୱାଲ, ଦିନେଶ ବିୱାଲ, ବିକାଶ ବିୱାଲ, ଶୁଭମ ଖୈରନାର, ଧନଞ୍ଜୟ ଲୋଖଣ୍ଡେ, ପ୍ରହ୍ଲାଦ କୁଲକର୍ଣ୍ଣୀ, ତେଜସ ହର୍ଷଦ କୁମାର, ଡାକ୍ତର ମନୋଜ ଶିରୁରେ, ଶିବରାଜ ରଘୁନାଥ, ମନୀଷା ୱାଘମାରେ, ମନୀଷା ମନ୍ଧାରେ ଏବଂ ମନୀଷା ସଞ୍ଜୟ ହବଲଦାରଙ୍କ ନାମ ରହିଛି। ଏହି ସମସ୍ତ ଅଭିଯୁକ୍ତ ବର୍ତ୍ତମାନ ବିଚାର ବିଭାଗୀୟ ହାଜତରେ ଅଛନ୍ତି।
ସେମାନଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତା ୨୦୨୩ର ବିଭିନ୍ନ ଗୁରୁତର ଦଫା ସହ ଦୁର୍ନୀତି ନିବାରଣ ଆଇନ୍ (PC Act) ୧୯୮୮ ଏବଂ ନିକଟରେ ଆସିଥିବା 'ସାଧାରଣ ପରୀକ୍ଷା (ଅସାଧୁ ଉପାୟ ନିବାରଣ) ଅଧିନିୟମ, ୨୦୨୪' ଅଧୀନରେ ମାମଲା ରୁଜୁ କରାଯାଇଛି। CBI ପକ୍ଷରୁ କୋର୍ଟରେ ପକ୍ଷ ରଖିବା ପାଇଁ ଅର୍ଜୁନ ଆନନ୍ଦଙ୍କୁ ବିଶେଷ ପବ୍ଲିକ୍ ପ୍ରସିକ୍ୟୁଟର ଭାବେ ନିଯୁକ୍ତ କରାଯାଇଛି।
ଫାଷ୍ଟ-ଟ୍ରାକ୍ କୋର୍ଟରେ ଚାଲିବ ଶୁଣାଣି
ଗତ ୨୩ ଜୁଲାଇରେ ସାଧାରଣ ପରୀକ୍ଷାରେ ଜାଲିଆତି ଓ ଅନିୟମିତତା ମାମଲାର ତ୍ୱରିତ ଶୁଣାଣି ପାଇଁ ରାଉଜ୍ ଆଭେନ୍ୟୁ କୋର୍ଟରେ ଏକ ସ୍ୱତନ୍ତ୍ର ଫାଷ୍ଟ-ଟ୍ରାକ୍ କୋର୍ଟ ଗଠନ କରାଯାଇଥିଲା। ଏହି ଚାର୍ଜସିଟ୍କୁ ବିଚାରପତି ଗ୍ରହଣ କରିବା ସମ୍ପର୍କରେ ଜୁଲାଇ ୨୯ ତାରିଖରେ ପରବର୍ତ୍ତୀ ଶୁଣାଣି ହେବ। ଅନ୍ୟପଟେ କୋର୍ଟରେ CBI ଓକିଲ ଉପସ୍ଥିତ ନଥିବାରୁ ଅଭିଯୁକ୍ତ ଦିନେଶ ବିୱାଲ ଓ ବିକାଶ ବିୱାଲଙ୍କ ଜାମିନ ଆବେଦନ ଶୁଣାଣିକୁ ସ୍ଥଗିତ ରଖାଯାଇଛି। ସମସ୍ତ ଅଭିଯୁକ୍ତ ଅଗଷ୍ଟ ୬ ତାରିଖ ପର୍ଯ୍ୟନ୍ତ ଜେଲ୍ରେ ରହିବେ।
NEET-UG ପରୀକ୍ଷାରେ ହୋଇଥିବା ଅନିୟମିତତା ବିରୋଧରେ ଦେଶବ୍ୟାପୀ ହୋଇଥିବା ଛାତ୍ର ବିକ୍ଷୋଭ ଏବଂ ପୁଲିସର କାର୍ଯ୍ୟାନୁଷ୍ଠାନକୁ ନେଇ ମଙ୍ଗଳବାର ସୁପ୍ରିମକୋର୍ଟରେ ଏକ ଗୁରୁତ୍ୱପୂର୍ଣ୍ଣ ଶୁଣାଣି ହୋଇଯାଇଛି। ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ, ବିଚାରପତି ଜୟମାଲ୍ୟ ବାଗ୍ଚୀ ଏବଂ ବିଚାରପତି ଭି. ମୋହନାଙ୍କୁ ନେଇ ଗଠିତ ଖଣ୍ଡପୀଠ ଦିଲ୍ଲୀ, ବିହାର, ମହାରାଷ୍ଟ୍ର, ଅସମ, ପଶ୍ଚିମବଙ୍ଗ, ଉତ୍ତରପ୍ରଦେଶ ଓ କେରଳ ସରକାରଙ୍କୁ ନୋଟିସ୍ ଜାରି କରି ଜବାବ ମାଗିଛନ୍ତି। ଆନ୍ଦୋଳନ ସ୍ଥଳଗୁଡ଼ିକର ସମସ୍ତ CCTV ଫୁଟେଜ୍କୁ ସୁରକ୍ଷିତ ରଖିବା ପାଇଁ ସର୍ବୋଚ୍ଚ ଅଦାଲତ ସମ୍ପୃକ୍ତ ପ୍ରଶାସନକୁ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି।