ନୂଆଦିଲ୍ଲୀ: ଦୁଇ ଦିନର ଦୀର୍ଘ ଆଲୋଚନା ଏବଂ ପ୍ରବଳ ହଟ୍ଟଗୋଳ ମଧ୍ୟରେ ଲୋକସଭାରେ “ସାର୍ବଜନୀନ ପରୀକ୍ଷା (ଅସାଧୁ ଉପାୟ ନିବାରଣ) ସଂଶୋଧନ ବିଲ୍ ୨୦୨୬” ବା ପରୀକ୍ଷା ପେପର୍ ଲିକ୍ ନିରୋଧ ବିଲ୍ ପାରିତ ହୋଇଯାଇଛି । ବାଚସ୍ପତି ଓମ୍ ବିର୍ଲା ବିଲକୁ ଅନୁମୋଦନ କରି ଏହାକୁ ରାଜ୍ୟସଭାକୁ ପଠାଇ ଦେଇଛନ୍ତି ।
ଗତ ସୋମବାର କେନ୍ଦ୍ର କାର୍ମିକ ଓ ପ୍ରଶିକ୍ଷଣ ବିଭାଗ ରାଷ୍ଟ୍ରମନ୍ତ୍ରୀ ସଂସଦରେ ପରୀକ୍ଷା ବ୍ୟବସ୍ଥାରେ ସଂସ୍କାର ଆଣିବାକୁ ପେପର୍ ଲିକ୍ ନିରୋଧ ବିଲ୍ ଆଗତ କରିଥିଲେ । ଗତକାଲିଠାରୁ ଲୋକସଭାରେ ମାରାଥନ୍ ଆଲୋଚନା ହୋଇଛି । ଉଭୟ ଶାସକ ଓ ବିରୋଧୀ ଦଳର ସଦସ୍ୟମାନେ ଆଲୋଚନାରେ ଅଂଶ ଗ୍ରହଣ କରି ନିଜ ନିଜର ମତ ଉପସ୍ଥାପନ କରିଥିଲେ । ନିଟ୍ ପେପର୍ ଲିକକୁ ନେଇ ବିରୋଧୀ ଦଳ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିଥିଲେ । ବିଲ୍ ଉପସ୍ଥାପନର ତୃତୀୟ ଦିନରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଥିଲା । ତେବେ ରାହୁଲ ଗାନ୍ଧୀଙ୍କ ମନ୍ତବ୍ୟକୁ ନେଇ ଗୃହରେ ଝଡ଼ ସୃଷ୍ଟି ହୋଇଥିଲା । ଆଜି ମଧ୍ୟ ବାରମ୍ବାର ଗୃହ କାର୍ଯ୍ୟ ସ୍ଥଗିତ ରହିଥିଲା । ଏହାରି ମଧ୍ୟରେ ଅପରାହ୍ନରେ ବିଲ୍ ଲୋକସଭାରେ ପାରିତ ହୋଇଯାଇଛି ।
ଏହି ବିଲ୍ ଆଇନରେ ପରିଣତ ହେବା ପରେ ଯେଉଁମାନେ କୌଣସି ପରୀକ୍ଷାରେ ଅନିୟମିତତା କରିବା ଅଭିଯୋଗ ଆସିଲା ସେମାନଙ୍କ ବିରୋଧରେ କଠୋରରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଦୋଷୀଙ୍କୁ ଅତିକମରେ ୫ ବର୍ଷ ଏବଂ ଅତିବେଶୀରେ ୧୦ ବର୍ଷର ସଶ୍ରମ କାରାଦଣ୍ଡ ସହିତ ୧୦ କୋଟି ଯାଏ ଜରିମାନ ଦେବାର ପ୍ରାବଧାନ ରହିଛି ।