ନୂଆଦିଲ୍ଲୀ: ମୌସୁମୀ ଅଧିବେଶନରେ ରାଜ୍ୟସଭାରେ “ଜାତୀୟ ସମ୍ମାନକୁ ଅପମାନ ନିବାରଣ (ସଂଶୋଧନ) ବିଲ୍ ୨୦୨୬” ଗୃହୀତ ହୋଇଯାଇଛି । ବୁଧବାର ବିରୋଧୀଙ୍କ ହଟ୍ଟଗୋଳ ମଧ୍ୟରେ ବନ୍ଦେ ମାତରମ୍ ବିଲ୍ ଗୃହୀତ ହୋଇଯାଇଛି । ଫଳରେ ରାଷ୍ଟ୍ରୀୟ ଗୀତ ବନ୍ଦେ ମାତରମ୍ କୁ କେହି ଅପମାନିତ କଲେ ତାହା ଅପରାଧରେ ବିବେଚନା କରାଯିବ ।
ଗଲା ସପ୍ତାହରେ କେନ୍ଦ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାୟ ବିଲ୍ ଉପସ୍ଥାପନ କରିଥିଲେ । ଏହି ସଂଶୋଧିତ ବିଲରେ ଜାତୀୟ ସମ୍ମାନ ଅପମାନ ନିବାରଣ ଆଇନ, ୧୯୭୧କୁ ଆହୁରି ବିସ୍ତୃତ କରାଯାଇଛି । ଏହି ଆଇନ ବର୍ତ୍ତମାନ ଜାତୀୟ ପତାକା, ସମ୍ବିଧାନ ଏବଂ ଜାତୀୟ ସଙ୍ଗୀତ ‘ଜନ ଗଣ ମନ’କୁ ଆଇନଗତ ସୁରକ୍ଷା ପ୍ରଦାନ କରେ। ସଦ୍ୟତମ ପରିବର୍ତ୍ତନ ସହିତ, ବନ୍ଦେ ମାତରମ୍ ମଧ୍ୟ ଏହି ଆଇନ ଅନୁଯାୟୀ ସାମ୍ବିଧାନିକ ସୁରକ୍ଷା ପାଇବ।
ପ୍ରସ୍ତାବିତ ଆଇନ ଅନୁଯାୟୀ, ବନ୍ଦେ ମାତରମ୍ ଗୀତରେ ଉଦ୍ଦେଶ୍ୟମୂଳକ ଭାବରେ ପ୍ରତିରୋଧ କିମ୍ବା ବାଧା ସୃଷ୍ଟି କରିବା ଏବଂ ଅପମାନ କିମ୍ବା ଅସମ୍ମାନ ପରି କାର୍ଯ୍ୟଗୁଡ଼ିକୁ ଫୌଜଦାରୀ ଅପରାଧ ଭାବରେ ବିବେଚନା କରାଯିବ । ଏହି ଆଇନ ଦେଶର ଜାତୀୟ ପ୍ରତୀକଗୁଡ଼ିକର ଅପମାନ କିମ୍ବା ଅସମ୍ମାନକୁ ମଧ୍ୟ ଅନ୍ତର୍ଭୁକ୍ତ କରେ । ଯଦି କେହି ରାଷ୍ଟ୍ରୀୟ ଗୀତକୁ ଅପମାନିତ କରୁଥିବାର ନଜର ଆସିବେ ତେବେ ତାଙ୍କୁ ଅତିକମରେ ତିନି ବର୍ଷର ଜେଲ ଦଣ୍ଡ ଭୋଗିବାକୁ ପଡ଼ିବ । ଆର୍ଥିକ ଦଣ୍ଡବିଧାନ ମଧ୍ୟ ହୋଇପାରେ ।