ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଲଗାଣ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ଗମ୍ଭୀର ହୋଇଥିବାବେଳେ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟକୁ ଜୋରଦାର କରିଛି ଓଡ଼ିଶା ଅଗ୍ନିଶମ ବିଭାଗ। ଲୋକଙ୍କ ଜୀବନ ରକ୍ଷା ପାଇଁ ରାଜ୍ୟର ପାଞ୍ଚଟି ପ୍ରଭାବିତ ଜିଲ୍ଲାରେ ୬୦ଟି ସ୍ୱତନ୍ତ୍ର ଟିମ୍ ମୁତୟନ କରାଯାଇଛି।
ଅଗ୍ନିଶମ ମହାନିର୍ଦ୍ଦେଶକ ସୁଧାଂଶୁ ଷଡ଼ଙ୍ଗୀଙ୍କ ସୂଚନା ଅନୁଯାୟୀ, ବାଲେଶ୍ୱର, ଭଦ୍ରକ, ଯାଜପୁର, ମୟୂରଭଞ୍ଜ ଏବଂ କେନ୍ଦୁଝର ଜିଲ୍ଲାରେ ଏହି ଟିମ୍ଗୁଡ଼ିକୁ ମୁତୟନ କରାଯାଇଛି। ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ରବର ବୋଟ୍ ଓ ଯାନ୍ତ୍ରିକ ବୋଟ୍ର ବ୍ୟବସ୍ଥା ମଧ୍ୟ କରାଯାଇଛି।
ଗତ ୨୪ ଘଣ୍ଟା ମଧ୍ୟରେ ବନ୍ୟା ପ୍ରଭାବିତ ଅଞ୍ଚଳରୁ ୨୧୨ ଜଣ ଲୋକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ବେଳେ, ଲୋକଙ୍କ ଅନୁରୋଧ କ୍ରମେ ୧୨୦ଟି ଗୃହପାଳିତ ପଶୁଙ୍କୁ ମଧ୍ୟ ସୁରକ୍ଷିତ ସ୍ଥାନକୁ ନେଇଯାଇଛି। ବନ୍ୟା ସମୟରେ ପଶୁପକ୍ଷୀଙ୍କୁ ବଞ୍ଚାଇବା ପାଇଁ ମଧ୍ୟ ଅଗ୍ନିଶମ ବାହିନୀ ସମାନ ଗୁରୁତ୍ୱ ଦେଉଥିବା କଥା ଡିଜି କହିଛନ୍ତି।
କେବଳ ଉଦ୍ଧାର କାର୍ଯ୍ୟ ନୁହେଁ, ଜଳମଗ୍ନ ସ୍ଥାନରୁ ପାଣି ନିଷ୍କାସନ କାମ ମଧ୍ୟ ଜାରି ରହିଛି। ଏପର୍ଯ୍ୟନ୍ତ ୪୫ଟି ସ୍ଥାନରୁ ପାଣି ବାହାର କରାଯାଇଛି। ଏଥିରେ ହସ୍ପିଟାଲ, ବିଦ୍ୟୁତ ସବ୍-ଷ୍ଟେସନ ଓ ବ୍ଲକ କାର୍ଯ୍ୟାଳୟ ଭଳି ଗୁରୁତ୍ୱପୂର୍ଣ୍ଣ ସରକାରୀ ପ୍ରତିଷ୍ଠାନ ମଧ୍ୟ ସାମିଲ ରହିଛି।
ଡିଜି ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି, ଜଳସ୍ତର କମିବା ପରେ ଆବଶ୍ୟକତା ଅନୁଯାୟୀ ଉଦ୍ଧାର ଅଭିଯାନକୁ ଆହୁରି ବ୍ୟାପକ କରାଯିବ। ସେହିପରି ବନ୍ୟାରେ ଫସି ରହିଥିବା କିମ୍ବା ବିପଦରେ ଥିବା ଲୋକଙ୍କୁ ତୁରନ୍ତ ୧୧୨ ନମ୍ବରକୁ ଫୋନ୍ କରି ସହାୟତା ମାଗିବାକୁ ଅନୁରୋଧ କରିଛନ୍ତି।
ତେବେ ଏହି ଉଦ୍ଧାର ଅଭିଯାନ ମଧ୍ୟରେ ଏକ ଦୁଃଖଦ ଘଟଣା ମଧ୍ୟ ସାମ୍ନାକୁ ଆସିଛି। ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଜଣେ ଅଗ୍ନିଶମ କର୍ମଚାରୀଙ୍କର ମୃତ୍ୟୁ ହୋଇଛି। ମୃତ କର୍ମଚାରୀଙ୍କ ଘର ଅନୁଗୁଳ ଜିଲ୍ଲାର ତାଳଚେର ଅଞ୍ଚଳରେ ବୋଲି ଡିଜି ସୂଚନା ଦେଇଛନ୍ତି। ଏହି ଘଟଣା ଅଗ୍ନିଶମ ବାହିନୀ ପାଇଁ ଏକ ବଡ଼ କ୍ଷତି ବୋଲି କୁହାଯାଉଛି।