ଭୁବନେଶ୍ୱର: ରାଜ୍ୟରେ ବନ୍ୟା ପରିସ୍ଥିତି ଗମ୍ଭୀର ହେଉଥିବାରୁ ସ୍ୱାସ୍ଥ୍ୟ ବିଭାଗ ସମ୍ପୂର୍ଣ୍ଣ ଭାବେ ହାଇ ଆଲର୍ଟରେ ରହିଛି। ବନ୍ୟା ପ୍ରଭାବିତ ଅଞ୍ଚଳରେ ଲୋକଙ୍କୁ ତୁରନ୍ତ ସ୍ୱାସ୍ଥ୍ୟସେବା ଯୋଗାଇବା ଏବଂ କୌଣସି ପ୍ରକାର ଜନସ୍ୱାସ୍ଥ୍ୟ ସଙ୍କଟକୁ ଏଡ଼ାଇବା ପାଇଁ ବିଭାଗ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି।
ସ୍ୱାସ୍ଥ୍ୟ ସଚିବ ଅଶ୍ୱଥୀ ଏସ୍ଙ୍କ ଅଧ୍ୟକ୍ଷତାରେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଓ ସମସ୍ତ ଜିଲ୍ଲାର ମୁଖ୍ୟ ଚିକିତ୍ସାଧିକାରୀ (ସିଡିଏମଓ)ଙ୍କ ସହ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସମୀକ୍ଷା ବୈଠକ ହୋଇଥିଲା। ବୈଠକରେ ସମସ୍ତ ସିଡିଏମଓଙ୍କୁ ସତର୍କ ରହିବା ସହ ବନ୍ୟା ପ୍ରଭାବିତ ଅଞ୍ଚଳରେ ସ୍ୱାସ୍ଥ୍ୟସେବାରେ କୌଣସି ବାଧା ନ ଆସିବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି।
ବିଶେଷକରି ଗର୍ଭବତୀ ମହିଳାଙ୍କ ସୁରକ୍ଷା ଉପରେ ଗୁରୁତ୍ୱ ଦିଆଯାଇଛି। ପ୍ରସବ ସମୟ ନିକଟରେ ଥିବା ଗର୍ଭବତୀଙ୍କୁ ଆଗୁଆ ସୁରକ୍ଷିତ ସ୍ଥାନ କିମ୍ବା ନିକଟସ୍ଥ ଡାକ୍ତରଖାନାକୁ ସ୍ଥାନାନ୍ତର କରିବାକୁ ଜିଲ୍ଲା ପ୍ରଶାସନକୁ କୁହାଯାଇଛି। ଏହାସହ ବନ୍ୟା ଜଳରେ ଫସିଥିବା ଲୋକଙ୍କୁ ଆବଶ୍ୟକ ଚିକିତ୍ସା ସେବା ପହଞ୍ଚାଇବା ପାଇଁ ମେଡିକାଲ ଟିମ୍ ପ୍ରସ୍ତୁତ ରହିଛି। ଆବଶ୍ୟକ ହେଲେ ରିଲିଫ୍ କ୍ୟାମ୍ପରେ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ।
ବନ୍ୟା ସମୟରେ ସାପ କାମୁଡ଼ା ଘଟଣା ବଢ଼ିବାର ଆଶଙ୍କା ଥିବାରୁ ସମସ୍ତ ସରକାରୀ ମେଡିକାଲ, କମ୍ୟୁନିଟି ହେଲ୍ଥ ସେଣ୍ଟର ଓ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ପର୍ଯ୍ୟାପ୍ତ ପରିମାଣର ଆଣ୍ଟି ସ୍ନେକ ଭେନମ୍ ମହଜୁଦ ରଖିବାକୁ ନିର୍ଦ୍ଦେଶ ମିଳିଛି। ସେହିପରି ଓଆରଏସ୍, ଜରୁରୀ ଔଷଧ, ବ୍ଲିଚିଂ ପାଉଡର, ହାଲୋଜେନ ଟାବଲେଟ୍ ଓ ଅନ୍ୟାନ୍ୟ ଆବଶ୍ୟକ ଔଷଧ ପର୍ଯ୍ୟାପ୍ତ ପରିମାଣରେ ରଖିବାକୁ କୁହାଯାଇଛି।
ଉତ୍ତର ଓଡ଼ିଶାରେ ବନ୍ୟା ସ୍ଥିତି ଅଧିକ ଜଟିଳ ଥିବାରୁ ସେଠାକାର ସମସ୍ତ ମେଡିକାଲ କଲେଜକୁ ହାଇ ଆଲର୍ଟରେ ରଖାଯାଇଛି। ଆବଶ୍ୟକ ପଡ଼ିଲେ ଡାକ୍ତରୀ ଟିମ୍କୁ ବିଭିନ୍ନ ବନ୍ୟା ପ୍ରଭାବିତ ଅଞ୍ଚଳକୁ ପଠାଯିବ। ବିଚ୍ଛିନ୍ନ ଅଞ୍ଚଳକୁ ଆମ୍ବୁଲାନ୍ସ ପହଞ୍ଚାଇବା ପାଇଁ ଅଗ୍ନିଶମ ବିଭାଗର ସହଯୋଗ ନିଆଯିବ ବୋଲି ମଧ୍ୟ ନିଷ୍ପତ୍ତି ହୋଇଛି।
ସେହିପରି ପ୍ରତ୍ୟେକ ପିଏଚସିରେ ଏମ୍ବିବିଏସ୍ ଡାକ୍ତର ଉପଲବ୍ଧ ରଖିବା, ବିଦ୍ୟୁତ ବନ୍ଦ ହେଲେ ଜେନେରେଟର ବ୍ୟବସ୍ଥା କରିବା ଏବଂ ଜଳମଗ୍ନ ହସ୍ପିଟାଲରେ ପମ୍ପସେଟ୍ ଲଗାଇ ପାଣି ନିଷ୍କାସନ କରିବାକୁ ମଧ୍ୟ ନିର୍ଦ୍ଦେଶ ରହିଛି। ଜିଲ୍ଲାର ସିଡିଏମଓ ଓ ପବ୍ଲିକ ହେଲ୍ଥ ଅଫିସରମାନଙ୍କୁ ଜରୁରୀ ପରିସ୍ଥିତି ସମୟରେ ମୁଖ୍ୟାଳୟ ଛାଡ଼ି ନଯିବାକୁ କୁହାଯାଇଛି।
ଅନ୍ୟପଟେ, ବନ୍ୟା ପରିସ୍ଥିତି ମଧ୍ୟରେ କୋଭିଡ୍କୁ ନେଇ ଅଯଥା ଭୟଭୀତ ନ ହେବାକୁ ସ୍ୱାସ୍ଥ୍ୟ ବିଭାଗ ପରାମର୍ଶ ଦେଇଛି। କେନ୍ଦ୍ର ସରକାରଙ୍କ ଗାଇଡ୍ଲାଇନ୍ ଅନୁଯାୟୀ କୋଭିଡ୍ ସତର୍କତା ଜାରି ରହିବ ବୋଲି ବିଭାଗ ସ୍ପଷ୍ଟ କରିଛି।