ଭୁବନେଶ୍ୱର: ଲଗାଣ ବର୍ଷା ପରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବନ୍ୟା ସ୍ଥିତି ଗମ୍ଭୀର ହୋଇପଡ଼ିଛି। ସ୍ୱତନ୍ତ୍ର ରିଲିଫ କମିଶନର (SRC)ଙ୍କ ସଦ୍ୟତମ ରିପୋର୍ଟ ଅନୁଯାୟୀ, ରାଜ୍ୟର ୬ଟି ଜିଲ୍ଲା, ୪୪ଟି ବ୍ଲକ, ୨୩୩ଟି ପଞ୍ଚାୟତ ଏବଂ ୭୪୮ଟି ଗାଁ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛି। ଏପର୍ଯ୍ୟନ୍ତ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଲକ୍ଷ ୩ ହଜାରରୁ ଅଧିକ ଲୋକ ବନ୍ୟାର ପ୍ରଭାବରେ ରହିଛନ୍ତି।
ରିପୋର୍ଟ ଅନୁଯାୟୀ, ବାଲେଶ୍ୱରର ୧୨ଟି ବ୍ଲକ, ଭଦ୍ରକର ୫ଟି, ଢେଙ୍କାନାଳର ୮ଟି, ଯାଜପୁରର ୩ଟି, ମୟୂରଭଞ୍ଜର ୧୩ଟି ଏବଂ ସମ୍ବଲପୁରର ୩ଟି ବ୍ଲକ ବନ୍ୟାରେ ସର୍ବାଧିକ ପ୍ରଭାବିତ ହୋଇଛି। ଅନେକ ଅଞ୍ଚଳରେ ନଦୀର ଜଳସ୍ତର ବୃଦ୍ଧି ପାଇଥିବାରୁ ଲୋକଙ୍କ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି।
ଢେଙ୍କାନାଳ ଜିଲ୍ଲାରେ ବନ୍ୟା ଜନିତ ଘଟଣାରେ ୪ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ସେହିପରି ବାଲେଶ୍ୱର ଓ ଭଦ୍ରକରେ ଚାଷଜମି ବ୍ୟାପକ ଭାବେ ଜଳମଗ୍ନ ହୋଇଥିବା ସହ ଗୃହପାଳିତ ପଶୁଙ୍କର ମଧ୍ୟ କ୍ଷତି ହୋଇଛି।
ବନ୍ୟା ସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ପ୍ରାୟ ୨୮ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ବନ୍ୟା ପୀଡ଼ିତଙ୍କ ପାଇଁ ୨୩୨ଟି ରିଲିଫ କେନ୍ଦ୍ର ଖୋଲାଯାଇଛି, ଯେଉଁଠାରେ ରହିବା, ଖାଇବା ଓ ଅନ୍ୟାନ୍ୟ ଜରୁରୀ ସୁବିଧାର ବ୍ୟବସ୍ଥା କରାଯାଇଛି।
ରିଲିଫ କାର୍ଯ୍ୟରେ ଚାଉଳ, ଚୁଡ଼ା, ଗୁଡ଼, ଗୋଖାଦ୍ୟ ଓ ପଲିଥିନ୍ ସିଟ୍ ବଣ୍ଟନ କରାଯାଉଛି। ସେହିପରି ଉଦ୍ଧାର ଓ ରିଲିଫ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଓଡ୍ରାଫ, ଏନଡିଆରଏଫ ଓ ଅଗ୍ନିଶମ ବିଭାଗର ଟିମ୍ ବିଭିନ୍ନ ପ୍ରଭାବିତ ଅଞ୍ଚଳରେ ମୁତୟନ ହୋଇଛନ୍ତି।
ବିଶେଷକରି ବାଲେଶ୍ୱର, ଭଦ୍ରକ ଓ ଢେଙ୍କାନାଳ ଜିଲ୍ଲାରେ ଜଳସ୍ତର ଏବେ ବି ଉଚ୍ଚ ଥିବାରୁ ସେଠାରେ ଉଦ୍ଧାର ଓ ପୁନର୍ବାସ କାର୍ଯ୍ୟକୁ ସର୍ବାଧିକ ଗୁରୁତ୍ୱ ଦିଆଯାଇଛି। ଏସଆରସି ସମସ୍ତ ଜିଲ୍ଲା ପ୍ରଶାସନକୁ ୨୪ ଘଣ୍ଟିଆ ନଜରଦାରି ଜାରି ରଖିବା ସହ ବନ୍ୟା ପୀଡ଼ିତଙ୍କୁ ତୁରନ୍ତ ସହାୟତା ଯୋଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।
ରାଜ୍ୟରେ ବର୍ଷା କମିଥିଲେ ମଧ୍ୟ ବନ୍ୟାର ପ୍ରଭାବ ଏବେ ବି ଜାରି ରହିଛି। ପ୍ରଶାସନ ପକ୍ଷରୁ ସ୍ଥିତି ଉପରେ କଡ଼ା ନଜର ରଖାଯାଇଥିବା ବେଳେ ସାଧାରଣ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।