କେନ୍ଦୁଝର: ରାଜ୍ୟରେ ବର୍ଷାର ପ୍ରକୋପ କମିଥିଲେ ମଧ୍ୟ କେନ୍ଦୁଝର ଜିଲ୍ଲାରେ ବନ୍ୟାର ପ୍ରଭାବ ଏବେ ବି ଜାରି ରହିଛି। ମଙ୍ଗଳବାରର ପ୍ରବଳ ବର୍ଷା ପରେ ନଦୀ ଓ ନାଳଗୁଡ଼ିକ ଫୁଲିଯାଇ ଅନେକ ସ୍ଥାନରେ ଯୋଗାଯୋଗ ବ୍ୟବସ୍ଥା ବାଧାପ୍ରାପ୍ତ ହୋଇଛି।
ବୁଧବାର ବର୍ଷାର ତୀବ୍ରତା କମିଥିଲେ ମଧ୍ୟ ବନ୍ୟା ପାଣି ଯୋଗୁଁ ଅନେକ ଅଞ୍ଚଳରେ ସାଧାରଣ ଜୀବନ ସ୍ୱାଭାବିକ ହୋଇପାରିନାହିଁ। ବିଶେଷକରି ଜନାସନପୁର ହାତୀ କରିଡର ନିକଟରେ ନିର୍ମାଣାଧୀନ ଓଭରବ୍ରିଜ ପାଖରେ ଜାତୀୟ ରାଜପଥ-୪୯ର ପ୍ରାୟ ୧୦୦ ମିଟର ରାସ୍ତା ପାଣିରେ ବୁଡ଼ି ରହିଛି।
ଏହାଫଳରେ ଗତକାଲିଠାରୁ ଜାତୀୟ ରାଜପଥରେ ଦୀର୍ଘ ଟ୍ରାଫିକ୍ ଜାମ୍ ସୃଷ୍ଟି ହୋଇଛି। ଶହ ଶହ ଯାତ୍ରୀ ଓ ଗାଡ଼ିଚାଳକ ଘଣ୍ଟା ଘଣ୍ଟା ଧରି ଅଟକି ରହିବା ସହ ନାନା ସମସ୍ୟାର ସମ୍ମୁଖୀନ ହୋଇଛନ୍ତି।
ଜିଲ୍ଲାର ବିଭିନ୍ନ ସ୍ଥାନରେ ପାଣି ଜମି ରହିଥିବାରୁ ଯାତାୟାତ ଓ ସାଧାରଣ ଜନଜୀବନ ଏବେ ବି ପ୍ରଭାବିତ ହେଉଛି। ପ୍ରଶାସନ ପକ୍ଷରୁ ସ୍ଥିତି ଉପରେ କଡ଼ା ନଜର ରଖାଯାଇଥିବା ବେଳେ ଶୀଘ୍ର ସ୍ୱାଭାବିକ ସ୍ଥିତି ଫେରାଇ ଆଣିବା ପାଇଁ ଉଦ୍ୟମ ଜାରି ରହିଛି।