ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାର ଝରିଗାଁ ବ୍ଲକରେ ସାପ କାମୁଡ଼ାରେ ଦୁଇ ଜଣ ଯୁବକଙ୍କ ମୃତ୍ୟୁ ଘଟିଛି। ଦୁଇଟି ପୃଥକ ଘଟଣାରେ ଘଟିଥିବା ଏହି ମୃତ୍ୟୁ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି।
ପ୍ରଥମ ଘଟଣାରେ, ବଟ୍ଟାମେରା ପଞ୍ଚାୟତର ଜବାଗୁଡ଼ା ଗାଁର ୩୮ ବର୍ଷୀୟ ଶକ୍ର ସାନ୍ତା ଘରେ ଶୋଇଥିବା ବେଳେ ଏକ ବିଷଧର ସାପ କାମୁଡ଼ି ଦେଇଥିଲା। ପରିବାର ଲୋକେ ତୁରନ୍ତ ତାଙ୍କୁ ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।
ସେହିପରି ଦ୍ୱିତୀୟ ଘଟଣାରେ, ଭାଲୁକୁନାଡ଼ି ପଞ୍ଚାୟତର ମଙ୍ଗଳିଗୁଡ଼ା ଗାଁର ୨୮ ବର୍ଷୀୟ ଚୈତନ୍ୟ ଗୌଡ଼ ଚାଷ ଜମିରେ କାମ କରୁଥିବା ବେଳେ ସାପ କାମୁଡ଼ାର ଶିକାର ହୋଇଥିଲେ। ତାଙ୍କୁ ମଧ୍ୟ ଉମରକୋଟ ସିଏଚସିକୁ ନିଆଯାଇଥିଲା, କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଘଟଣାର ଖବର ପାଇ ଝରିଗାଁ ପୁଲିସ ପହଞ୍ଚି ଦୁଇଟି ଅପମୃତ୍ୟୁ ମାମଲା ରୁଜୁ କରିଛି। ଆଇନଗତ ପ୍ରକ୍ରିୟା ଶେଷ ହେବା ପରେ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।
ଉଭୟ ମୃତକ ନିଜ ପରିବାରର ରୋଜଗାରକ୍ଷମ ସଦସ୍ୟ ଥିବାରୁ ସେମାନଙ୍କ ମୃତ୍ୟୁ ପରେ ପରିବାର ଆର୍ଥିକ ସଙ୍କଟରେ ପଡ଼ିଛି। ଗ୍ରାମବାସୀ ପ୍ରଶାସନଙ୍କୁ ମୃତକଙ୍କ ପରିବାରକୁ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି କରିଛନ୍ତି।