ଭୁବନେଶ୍ୱର: ଏଣିକି ଆର୍ଥିକ କାରବାର ସହିତ ଜଡ଼ିତ ସେୟାର ମାର୍କେଟ୍, ମ୍ୟୁଚୁଆଲ୍ ଫଣ୍ଡ୍, ଅନ୍ ଲାଇନ୍ ଟ୍ରେଡିଂ ଭଳି ଅନେକ ପ୍ଲାଟ୍ ଫର୍ମ ଆସୁଛି । ଯାହା ଯୁବପୀଢ଼ିଙ୍କ ରୋଜଗାରର ମାଧ୍ୟମ ସାଜିଛି । ଏଥିରେ ଅନେକ ତାଲିମ ଓ ଜ୍ଞାନଆହରଣର ଗୁରୁତ୍ୱକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି । ଏଣିକି କଲେଜ ଛାତ୍ରଛାତ୍ରୀଙ୍କୁ ମାଗଣାରେ ସେୟାର୍ ମାର୍କେଟ୍ ପାଠ ପଢ଼ାଯିବ । ଏଥିପାଇଁ ରାଜ୍ୟ ସରକାର ନ୍ୟାସନାଲ୍ ଷ୍ଟକ୍ ଏକ୍ସଚେଞ୍ଜ ଅଫ୍ ଇଣ୍ଡିଆ ଲିମିଟେଡ୍ ସହିତ (NSEIL) ବୁଝାମଣା ପତ୍ର ସ୍ୱାକ୍ଷରିତ କରିଛନ୍ତି । ଏହି ଚୁକ୍ତି ଅନୁସାରେ ଏନ୍ଏସ୍ଇଆଇଏଲ୍ ରାଜ୍ୟର ବିଭିନ୍ନ କଲେଜରେ ବିକମ୍, ବିବିଏ, ବିଏ, ଏମବିଏ ଓ ଏମକମ୍ ଛାତ୍ରଛାତ୍ରୀଙ୍କୁ ସେୟାର ମାର୍କେଟ୍ ସମ୍ପର୍କରେ ତାମିଲ ପ୍ରଦାନ କରିବ ।
ଗତ ୧୫, ଜୁଲାଇ ୨୦୨୬ରେ ଉଚ୍ଚ ଶିକ୍ଷା ବିଭାଗ ଲେଖିଥିବା ଚିଠି ଅନୁସାରେ ଏନ୍ଏସ୍ଇଆଇଏଲ୍ ସହିତ ସେୟାର ମାର୍କେଟ୍ ସ୍ୱତନ୍ତ୍ର କୋର୍ସ ପାଇଁ ଚୁକ୍ତି ସ୍ୱାକ୍ଷରିତ ହୋଇଛି । ଏହାକୁ ରାଜ୍ୟ ସରକାର ଲାଗୁ କରିଛନ୍ତି । ପ୍ରାଥମିକ ପର୍ୟ୍ୟାୟରେ ଭୁବନେଶ୍ୱର, ବ୍ରହ୍ମପୁର, ଭଦ୍ରକ, ଢେଙ୍କାନାଳ, ଜୟପୁର, କେନ୍ଦ୍ରାପଡ଼ା, କେନ୍ଦୁଝର, ରାଉରକେଲା ଓ ସମ୍ବଲପୁରରେ କାର୍ୟ୍ୟକାରୀ ହେବ । ମୋଟ ୯୭ କଲେଜ ଓ ବିଶ୍ୱବିଦ୍ୟାଳୟରେ ଯୋଜନା କାର୍ୟ୍ୟକାରୀ କରାଯିବ । ପିଲାଙ୍କୁ ୩୦ ଘଣ୍ଟାର ଏନଆଇଏସଏମ୍ ଏକ ମ୍ୟୁଚୁଆଲ୍ ଫଣ୍ଡ୍ ସାର୍ଟିଫିକେଟ୍ ପରୀକ୍ଷା ପାଇଁ ମଧ୍ୟ ପ୍ରସ୍ତୁତ କରାଯିବ । ଏଥିପାଇଁ ଜଣେ ନୋଡାଲ୍ ଅଧିକାରୀଙ୍କୁ ମନୋନୀତ କରିବାକୁ ଅନୁରୋଧ ଉଚ୍ଚ ଶିକ୍ଷା ବିଭାଗ ସମସ୍ତ ବିଶ୍ୱବିଦ୍ୟାଳୟ ରେଜିଷ୍ଟାର ଏବଂ କଲେଜ ଅଧ୍ୟକ୍ଷଙ୍କୁ ଚିଠି ଲେଖିଛନ୍ତି । ସମ୍ପୃକ୍ତ ନୋଡାଲ୍ ଅଧିକାରୀ ବାଣିଜ୍ୟ, ପରିଚାଳନା, ଅର୍ଥନୀତି କିମ୍ବା ସମ୍ବନ୍ଧିତ କ୍ଷେତ୍ରର ଜଣେ ଅଧ୍ୟାପକ ହେବା ଉଚିତ ବୋଲି ଚିଠିରେ ଉଲ୍ଲେଖ କରାଯାଇଛି ।