ଭୁବନେଶ୍ୱର: ଜାତୀୟ ସ୍ତର ସଙ୍ଗୀତ ପ୍ରତିଯୋଗିତାରେ ବିଜୟ ହାସଲ କରିଥିବା ଓଡ଼ିଶାର ସୁନାମଧନ୍ୟ ଗାୟିକା ଜ୍ୟୋତିର୍ମୟୀ ନାୟକ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଭେଟିଛନ୍ତି । ମୁଖ୍ୟମନ୍ତ୍ରୀ ଜ୍ୟୋତିର୍ମୟୀଙ୍କୁ ଉପଢୌକନ, ଫୁଲ ତୋଡ଼ା ଏବଂ ତାରକାଶୀର ବୋଇତ ଦେଇ ସମ୍ବର୍ଦ୍ଧିତ କରିଛନ୍ତି । ସେହିପରି ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ ତାଙ୍କୁ ମିଠା ଖୁଆଇ ଶୁଭେଚ୍ଛା ଜଣାଇଛନ୍ତି ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ଜ୍ୟୋତିର୍ମୟୀ ନାୟକଙ୍କୁ ଅଭିନନ୍ଦନ ଓ ସମ୍ବର୍ଦ୍ଧନା ଜଣାଇଛନ୍ତି । ତାଙ୍କ ଆଗାମୀ ସଙ୍ଗୀତଯାତ୍ରା ଆହୁରି ସଫଳ ଓ ଗୌରବମୟ ହେଉ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅପାର କୃପା ଓ ଆଶୀର୍ବାଦରେ ସେ ଦେଶ ଓ ଓଡ଼ିଶାର ନାମକୁ ବିଶ୍ୱ ଦରବାରରେ ଆହୁରି ଉଜ୍ଜ୍ୱଳ କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ପ୍ରାର୍ଥନା କରିଛନ୍ତି ।
ଜ୍ୟୋତିର୍ମୟୀ ସୋନି ଟିଭିରେ ପ୍ରସାରିତ ଲୋକପ୍ରିୟ ସଙ୍ଗୀତ ପ୍ରତିଯୋଗିତା ‘ଇଣ୍ଡିଆନ୍ ଆଇଡଲ୍ ସିଜନ୍-୧୬’ ରେ ବିଜୟୀ ହୋଇଛନ୍ତି । ସେ ପ୍ରଥମ ଓଡ଼ିଆଭାବେ ଏହି ସଫଳତା ହାସଲ କରିଛନ୍ତି । ଅନ୍ତିମ ପର୍ଯ୍ୟାୟରେ ୫ ଜଣ ଶ୍ରେଷ୍ଠ ପ୍ରତିଯୋଗୀଙ୍କୁ ପଛରେ ପକାଇ ଏହି ସଫଳତା ହାସଲ କରିଛନ୍ତି। ଇଣ୍ଡିଆନ୍ ଆଇଡଲ୍ ସିଜନ୍-୧୬’ ମଞ୍ଚରେ ନିଜର ପ୍ରଥମ ଅଡିସନ୍ରୁ ହିଁ ବିଚାରକ ଶ୍ରେୟା ଘୋଷାଲ, ବିଶାଳ ଦାଦଲାନି ଏବଂ ବାଦଶାହଙ୍କୁ ମୁଗ୍ଧ କରିଥିଲେ। ସେ ନିଜର ସଙ୍ଗୀତ ମାଧ୍ୟମରେ କ୍ୟାନ୍ସର ରୋଗୀ ଓ ଗର୍ଭବତୀ ମହିଳାମାନଙ୍କୁ ଚିକିତ୍ସା ଓ ସେବା ଯୋଗାଇବାରେ ସେ ଜଣେ ସଫଳ ମ୍ୟୁଜିକ୍ ଥେରାପିଷ୍ଟ ଭାବେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି।