ଯାଜପୁର: ଯାଜପୁର ଜିଲ୍ଲାର ଖରସ୍ରୋତା ନଦୀରେ ପୁଣି ଥରେ କୁମ୍ଭୀର ଆକ୍ରମଣ ଘଟଣା ସାମ୍ନାକୁ ଆସିଛି। ଗାଧୋଉଥିବା ସମୟରେ ଜଣେ ୫୨ ବର୍ଷୀୟ ବ୍ୟକ୍ତିଙ୍କୁ ଏକ ଲୁଣିଆ ପାଣି କୁମ୍ଭୀର ଟାଣିନେଇଥିବା ଅଭିଯୋଗ ହୋଇଛି। ଘଟଣା ପରେ ସମଗ୍ର ଅଞ୍ଚଳରେ ଭୟର ପରିବେଶ ସୃଷ୍ଟି ହୋଇଥିବା ବେଳେ ନିଖୋଜ ବ୍ୟକ୍ତିଙ୍କୁ ଖୋଜିବା ପାଇଁ ଜୋରଦାର ଉଦ୍ୟମ ଚାଲିଛି।
ନିଖୋଜ ବ୍ୟକ୍ତି ହେଲେ ଯାଜପୁର ଜିଲ୍ଲା ଋଷିପୁର ଗାଁର ୫୨ ବର୍ଷୀୟ ହରିହର ଜେନା। ସୂଚନା ଅନୁସାରେ, ମଙ୍ଗଳବାର ସେ ଜେବିଲ ଗାଁ ନିକଟ ଖରସ୍ରୋତା ନଦୀକୁ ଗାଧୋଇବା ପାଇଁ ଯାଇଥିଲେ। ଏହି ସମୟରେ ହଠାତ୍ ଏକ ବଡ଼ କୁମ୍ଭୀର ତାଙ୍କ ଉପରେ ଆକ୍ରମଣ କରି ପାଣି ଭିତରକୁ ଟାଣିନେଇଥିଲା। ଘଟଣା ଦେଖି ସ୍ଥାନୀୟ ଲୋକେ ଚିତ୍କାର କରିଥିଲେ ମଧ୍ୟ ତାଙ୍କୁ ବଞ୍ଚାଇ ପାରିନଥିଲେ।
ଖବର ପାଇ ଅଗ୍ନିଶମ ବାହିନୀ କର୍ମଚାରୀମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନଦୀରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। ସନ୍ଧ୍ୟା ପର୍ଯ୍ୟନ୍ତ ଖୋଜାଖୋଜି ଜାରି ରହିଥିଲେ ମଧ୍ୟ ହରିହରଙ୍କ କୌଣସି ପତ୍ତା ମିଳିନଥିଲା। ଉଦ୍ଧାରକାରୀ ଟିମ୍ ନଦୀର ବିଭିନ୍ନ ସ୍ଥାନରେ ତଲାସି ଜାରି ରଖିଛନ୍ତି।
ଚଳିତ ବର୍ଷ ଖରସ୍ରୋତା ନଦୀରେ ଏହା ଦ୍ୱିତୀୟ କୁମ୍ଭୀର ଆକ୍ରମଣ। ଏହାପୂର୍ବରୁ ଏପ୍ରିଲ ମାସରେ ଦଳିଯୋଡ଼ା ବନାଞ୍ଚଳ ଅଧୀନ ଘୋଳାପୁର ଗାଁର ପ୍ରତାପ ମଲ୍ଲିକ ନାମକ ଜଣେ ବ୍ୟକ୍ତି ଗାଧୋଉଥିବା ବେଳେ କୁମ୍ଭୀର ଆକ୍ରମଣରେ ଗୁରୁତର ଆହତ ହୋଇଥିଲେ। ତାଙ୍କ ହାତ, ବେକ ଓ ପିଠିରେ ଗଭୀର ଆଘାତ ଲାଗିଥିଲା।
ବାରମ୍ବାର କୁମ୍ଭୀର ଆକ୍ରମଣ ଘଟୁଥିବାରୁ ବନ ବିଭାଗ ପକ୍ଷରୁ ଲୋକମାନଙ୍କୁ ଖରସ୍ରୋତା ନଦୀରେ ଗାଧୋଇବା କିମ୍ବା ଅନାବଶ୍ୟକ ଭାବେ ନଦୀ ଭିତରକୁ ନଯିବାକୁ ପରାମର୍ଶ ଦିଆଯାଇଛି। ନଦୀ କୂଳବର୍ତ୍ତୀ ଅଞ୍ଚଳର ଲୋକଙ୍କୁ ସତର୍କ ରହିବା ସହ କୁମ୍ଭୀର ଦେଖିଲେ ତୁରନ୍ତ ବନ ବିଭାଗକୁ ଖବର ଦେବାକୁ ଅନୁରୋଧ କରାଯାଇଛି।