ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ଅଞ୍ଚଳରେ ଲଗାଣ ବର୍ଷା ଜାରି ରହିଥିଲେ ମଧ୍ୟ ଓଡ଼ିଶାର ବନ୍ୟା ପରିସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ଥିବା କହିଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ। ମଙ୍ଗଳବାର ସେ କହିଛନ୍ତି ଯେ, ସରକାର ସମସ୍ତ ନଦୀର ଜଳସ୍ତର ଉପରେ କଡ଼ା ନଜର ରଖିଛନ୍ତି ଏବଂ ଲୋକଙ୍କ ସୁରକ୍ଷା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି।
ସରକାରୀ ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ହାରାହାରି ୪୭.୨ ମିଲିମିଟର ବର୍ଷା ରେକର୍ଡ ହୋଇଛି, ଯାହା ସ୍ୱାଭାବିକ ବର୍ଷାଠାରୁ ଅଧିକ। ଏହା ସହିତ ରାଜ୍ୟର ୮ଟି ବ୍ଲକରେ ୨୦୦ ମିଲିମିଟରରୁ ଅଧିକ ବର୍ଷା ହୋଇଥିବାରୁ କିଛି ନଦୀର ଜଳସ୍ତର ବଢ଼ିଛି।
ହୀରାକୁଦ ଡ୍ୟାମରୁ ବର୍ତ୍ତମାନ କେବଳ ୨ଟି ଗେଟ୍ ଖୋଲାଯାଇଛି। ମୁଣ୍ଡଳି ବ୍ୟାରେଜ ଦେଇ ସନ୍ଧ୍ୟା ସୁଦ୍ଧା ପ୍ରାୟ ୭ ଲକ୍ଷ କ୍ୟୁସେକ୍ ପାଣି ପ୍ରବାହିତ ହେବ ବୋଲି ଆକଳନ କରାଯାଇଛି। ତେବେ ମହାନଦୀ ଅବବାହିକାରେ ବନ୍ୟାର କୌଣସି ବଡ଼ ବିପଦ ନାହିଁ ବୋଲି ଜଳସମ୍ପଦ ବିଭାଗ ସ୍ପଷ୍ଟ କରିଛି।
ଅନ୍ୟପଟେ ବୈତରଣୀ, ଜଳକା ଓ ସାଳନ୍ଦୀ ନଦୀର ଜଳସ୍ତରକୁ ନେଇ ସତର୍କତା ଜାରି ରହିଛି। ଜଳସମ୍ପଦ ବିଭାଗର ମୁଖ୍ୟ ଯନ୍ତ୍ରୀ ଦିଲ୍ଲୀପ ରାଉତଙ୍କ ସୂଚନା ଅନୁସାରେ, ବୈତରଣୀ ନଦୀ ପାଇଁ ଚାନ୍ଦବାଲି, ଧାମନଗର ଓ ଯାଜପୁର ଅଞ୍ଚଳରେ ସତର୍କ ସୂଚନା ଜାରି କରାଯାଇଛି। ସେହିପରି ଜଳକା ନଦୀ ପାଇଁ ବସ୍ତା ଓ ବାଲେଶ୍ୱର ସଦର ଅଞ୍ଚଳକୁ ଆଲର୍ଟରେ ରଖାଯାଇଛି।
ଆନନ୍ଦପୁରରେ ବୈତରଣୀ ନଦୀ ବିପଦ ସଙ୍କେତ ଅତିକ୍ରମ କରି ୩୮ ମିଟର ଉଚ୍ଚତାରେ ପ୍ରବାହିତ ହେଉଛି, ଯେଉଁଠାରେ ବିପଦ ସଙ୍କେତ ୩୭.୪୪୫ ମିଟର ରହିଛି। ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ନିରନ୍ତର ନଜରଦାରି କରାଯାଉଛି।
ବାଲେଶ୍ୱର, ଭଦ୍ରକ ଓ ସୁନ୍ଦରଗଡ଼ ଜିଲ୍ଲାରେ ଓଡ୍ରାଫ୍ ଓ ଅଗ୍ନିଶମ ବାହିନୀ ଟିମ୍ ମୁତୟନ କରାଯାଇଛି। ବନ୍ୟାପ୍ରବଣ ଅଞ୍ଚଳରେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା, ରନ୍ଧା ଖାଦ୍ୟ ବଣ୍ଟନ ଓ ଅନ୍ୟାନ୍ୟ ରିଲିଫ୍ କାର୍ଯ୍ୟ ଆରମ୍ଭ ହୋଇସାରିଛି।
ରାଜସ୍ୱ ମନ୍ତ୍ରୀ ପୁଣିଥରେ ସ୍ପଷ୍ଟ କରିଛନ୍ତି ଯେ, ପରିସ୍ଥିତିକୁ ସରକାର ନିରନ୍ତର ସମୀକ୍ଷା କରୁଛନ୍ତି ଏବଂ ବର୍ତ୍ତମାନ ସୁଦ୍ଧା ଭୟଭୀତ ହେବାର କୌଣସି କାରଣ ନାହିଁ। ସମସ୍ତ ବିଭାଗ ପରସ୍ପର ସମନ୍ୱୟରେ କାର୍ଯ୍ୟ କରୁଥିବାରୁ ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି ସେ କହିଛନ୍ତି।