କେନ୍ଦ୍ରାପଡ଼ା: ଓଡ଼ିଶାର ଗର୍ବ ତଥା ବିଶ୍ୱପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନରୁ ଆସିଛି ଖୁସି ଖବର। ୨୦୨୬ ବାର୍ଷିକ ସର୍ଭେରେ ଏଠାରେ ୧୧୭ଟି ସକ୍ରିୟ ଲୁଣିଆ ପାଣି କୁମ୍ଭୀର (Estuarine Crocodile) ବସା ଚିହ୍ନଟ କରାଯାଇଛି। ଏହା କୁମ୍ଭୀରଙ୍କ ସଫଳ ପ୍ରଜନନ ଏବଂ ଭିତରକନିକାରେ ଚାଲିଥିବା ସଂରକ୍ଷଣ କାର୍ଯ୍ୟକ୍ରମର ସଫଳତାକୁ ପୁଣିଥରେ ପ୍ରମାଣିତ କରିଛି।
ବନ ବିଭାଗ ସୂଚନା ଅନୁଯାୟୀ, ମେ ୧ରୁ ଜୁନ୍ ୩୦ ପର୍ଯ୍ୟନ୍ତ ରାଜନଗର ମ୍ୟାଙ୍ଗ୍ରୋଭ ବନ୍ୟପ୍ରାଣୀ ବନଖଣ୍ଡ ପକ୍ଷରୁ ଭିତରକନିକାର ସମସ୍ତ ବନ୍ୟପ୍ରାଣୀ ରେଞ୍ଜରେ ଏହି ବାର୍ଷିକ ସର୍ଭେ କରାଯାଇଥିଲା। ସର୍ଭେର ମୁଖ୍ୟ ଉଦ୍ଦେଶ୍ୟ ଥିଲା କୁମ୍ଭୀରଙ୍କ ପ୍ରଜନନ ସ୍ଥିତି ଏବଂ ବସା ଅଞ୍ଚଳର ଆକଳନ କରିବା।
ସର୍ଭେ ରିପୋର୍ଟ ଅନୁସାରେ, କନିକା ବନ୍ୟପ୍ରାଣୀ ରେଞ୍ଜରେ ସର୍ବାଧିକ ୧୦୬ଟି ବସା ଚିହ୍ନଟ ହୋଇଥିବା ବେଳେ ରାଜନଗର ରେଞ୍ଜରେ ୧୦ଟି ଏବଂ ମହାକାଳପଡ଼ା ରେଞ୍ଜରେ ଗୋଟିଏ ବସା ମିଳିଛି। ବର୍ତ୍ତମାନ ଭିତରକନିକାରେ ୧,୮୫୮ଟି ଲୁଣିଆ ପାଣି କୁମ୍ଭୀର ଥିବା ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଗତ ପାଞ୍ଚ ବର୍ଷର ତଥ୍ୟ ଦେଖିଲେ କୁମ୍ଭୀରଙ୍କ ପ୍ରଜନନ ସ୍ଥିତି ସ୍ଥିର ରହିଥିବା ସ୍ପଷ୍ଟ ହେଉଛି। ୨୦୨୨ ଓ ୨୦୨୩ରେ ୧୨୨ଟି, ୨୦୨୪ରେ ୧୧୪ଟି, ୨୦୨୫ରେ ୧୧୬ଟି ଏବଂ ୨୦୨୬ରେ ୧୧୭ଟି ସକ୍ରିୟ ବସା ରେକର୍ଡ କରାଯାଇଛି। ଏହି ସଂଖ୍ୟା ପ୍ରମାଣ କରୁଛି ଯେ ଭିତରକନିକାର ମ୍ୟାଙ୍ଗ୍ରୋଭ ପରିବେଶ କୁମ୍ଭୀରଙ୍କ ପ୍ରଜନନ ପାଇଁ ଅନୁକୂଳ ରହିଛି।
ବନ ବିଭାଗ କହିଛି, ପ୍ରତିବର୍ଷ ହେଉଥିବା ଏହି ସର୍ଭେ ମାଧ୍ୟମରେ କୁମ୍ଭୀରଙ୍କ ପ୍ରଜନନ ଧାରା, ଗୁରୁତ୍ୱପୂର୍ଣ୍ଣ ବସା ସ୍ଥାନ ଏବଂ ବାସସ୍ଥାନର ସୁରକ୍ଷା ଉପରେ ନିରନ୍ତର ନଜର ରଖାଯାଉଛି। ଏହା ଭବିଷ୍ୟତର ସଂରକ୍ଷଣ ଯୋଜନା ପ୍ରସ୍ତୁତିରେ ମଧ୍ୟ ସହାୟକ ହେଉଛି।
ଉଲ୍ଲେଖଯୋଗ୍ୟ, ଭିତରକନିକା ଏକ ରାମସାର୍ ଆନ୍ତର୍ଜାତୀୟ ଗୁରୁତ୍ୱପୂର୍ଣ୍ଣ ଜଳାଶୟ ଭାବେ ପରିଚିତ। ଓଡ଼ିଶା ହେଉଛି ଦେଶର ଏକମାତ୍ର ରାଜ୍ୟ, ଯେଉଁଠାରେ ଲୁଣିଆ ପାଣି କୁମ୍ଭୀର, ମଗର କୁମ୍ଭୀର ଏବଂ ଘଡ଼ିଆଳ, ଏହି ତିନୋଟି କୁମ୍ଭୀର ପ୍ରଜାତି ପ୍ରାକୃତିକ ପରିବେଶରେ ଦେଖିବାକୁ ମିଳେ। ଏହି କାରଣରୁ ଭିତରକନିକା କେବଳ ଓଡ଼ିଶା ନୁହେଁ, ସମଗ୍ର ଦେଶ ପାଇଁ କୁମ୍ଭୀର ସଂରକ୍ଷଣର ଏକ ପ୍ରମୁଖ କେନ୍ଦ୍ର ଭାବେ ପରିଚିତ।