ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଘନୀଭୂତ ହୋଇ ଗଭୀର ଅବପାତର ରୂପ ନେବା ପରେ ସମଗ୍ର ଓଡ଼ିଶାରେ ଲଗାଣ ବର୍ଷା ଜାରି ରହିଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ନଦୀର ଜଳସ୍ତର ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ବେଳେ ବନ୍ୟା ପରିସ୍ଥିତି ନେଇ ଚିନ୍ତା ବଢ଼ିଛି। ଅନେକ ସ୍ଥାନରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିବା ସହ ଯାତାୟାତ ଓ ପରିବହନ ବ୍ୟବସ୍ଥା ମଧ୍ୟ ବ୍ୟାପକ ଭାବେ ପ୍ରଭାବିତ ହୋଇଛି।
ସବୁଠାରୁ ଚିନ୍ତାଜନକ ସ୍ଥିତି ବାଲେଶ୍ୱର ଜିଲ୍ଲାର ଜଳକା ନଦୀରେ ଦେଖିବାକୁ ମିଳିଛି। ବସ୍ତା ବ୍ଲକର ମଥାନୀଠାରେ ଜଳକା ନଦୀ ବିପଦ ସଙ୍କେତ ୬.୫୦ ମିଟରକୁ ଛୁଇଁଛି ଏବଂ ବର୍ତ୍ତମାନ ସେହି ସ୍ତରରେ ପ୍ରବାହିତ ହେଉଛି। ଉପରମୁଣ୍ଡ ମୟୂରଭଞ୍ଜ ଜିଲ୍ଲାର ରାସଗୋବିନ୍ଦପୁର, ମୋରଡା, ଶୁଳିଆପଦା ଓ ଚିତ୍ରଡା ଅଞ୍ଚଳରେ ଅବିରତ ପ୍ରବଳ ବର୍ଷା ହେତୁ ଜଳସ୍ତର ଆହୁରି ବଢ଼ିବାର ସମ୍ଭାବନା ରହିଛି। ପରିସ୍ଥିତି ଗମ୍ଭୀର ହେଲେ ବସ୍ତା ବ୍ଲକର ୧୦ଟି ଏବଂ ସଦର ବ୍ଲକର ୩ଟି ପଞ୍ଚାୟତ ବନ୍ୟା ପ୍ରଭାବିତ ହେବାର ଆଶଙ୍କା କରାଯାଉଛି।
ସେପଟେ ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ମହାନଦୀ, ସାଳନ୍ଦୀ, ଦେବୀ ସମେତ ଅନ୍ୟାନ୍ୟ ଶାଖାନଦୀର ଜଳସ୍ତର ମଧ୍ୟ ଦ୍ରୁତ ଗତିରେ ବଢ଼ୁଛି। କଟକ ଜିଲ୍ଲାର ବଡ଼ମ୍ବାସ୍ଥିତ ପ୍ରସିଦ୍ଧ ମା’ ଭଟ୍ଟାରିକା ମନ୍ଦିର ପରିସରକୁ ମହାନଦୀର ବନ୍ୟାଜଳ ପ୍ରବେଶ କରିଥିବାରୁ ସୁରକ୍ଷା ଦୃଷ୍ଟିରୁ ମା’ଙ୍କୁ ରୋଷଘରକୁ ସ୍ଥାନାନ୍ତର କରାଯାଉଛି।
ଲଗାଣ ବର୍ଷାର ପ୍ରଭାବ ରେଳ ଚଳାଚଳ ଉପରେ ମଧ୍ୟ ପଡ଼ିଛି। କୋରାପୁଟ–ରାୟଗଡ଼ା ରେଳ ଲାଇନ୍ରେ ପାଣି ଜମି ରହିବାରୁ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଏହି ପରିସ୍ଥିତିକୁ ନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଉଚ୍ଚସ୍ତରୀୟ ସମୀକ୍ଷା କରି ସମସ୍ତ ଜିଲ୍ଲା ପ୍ରଶାସନକୁ ସତର୍କ ରହିବା, ନଦୀବନ୍ଧ ଉପରେ କଡ଼ା ନଜର ରଖିବା ଏବଂ ଆବଶ୍ୟକ ସ୍ଥାନରେ ତୁରନ୍ତ ଉଦ୍ଧାର ଓ ରିଲିଫ୍ ବ୍ୟବସ୍ଥା ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବର୍ଷା ଜାରି ରହିଥିବାରୁ ଆଗାମୀ ୨୪ ଘଣ୍ଟା ରାଜ୍ୟ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ପ୍ରଶାସନ ସୂଚନା ଦେଇଛି।