ଭୁବନେଶ୍ୱର: ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ (Deep Depression) ପ୍ରଭାବରେ ସମଗ୍ର ଓଡ଼ିଶାରେ ବର୍ଷାର ପ୍ରକୋପ ବଢ଼ିବାକୁ ଯାଉଛି। ଭାରତୀୟ ପାଣିପାଗ ବିଭାଗ (IMD) ସୋମବାର ୩ଟି ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ ଜାରି କରିଥିବା ବେଳେ ଅନେକ ଜିଲ୍ଲା ପାଇଁ ଅରେଞ୍ଜ ଓ ୟେଲୋ ୱାର୍ଣ୍ଣିଂ ମଧ୍ୟ ଜାରି କରିଛି।
ଆଇଏମଡି ସୂଚନା ଅନୁଯାୟୀ, ଗଭୀର ଅବପାତଟି ବାଲେଶ୍ୱର ଓ ପଶ୍ଚିମବଙ୍ଗର କ୍ୟାନିଂ ମଧ୍ୟରେ ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଅଧିକାଂଶ ଅଞ୍ଚଳରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହ କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ।
ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ଜିଲ୍ଲାଗୁଡ଼ିକରେ ବିଚ୍ଛିନ୍ନ ସ୍ଥାନରେ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି।
ସେହିପରି ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୋଳ, ଢେଙ୍କାନାଳ, ସୋନପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗିର, କଳାହାଣ୍ଡି, କନ୍ଧମାଳ ଓ ନବରଙ୍ଗପୁର ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ଏହି ସବୁ ଅଞ୍ଚଳରେ ପ୍ରବଳ ବର୍ଷା ସହ ବଜ୍ରପାତ ଓ ଘଣ୍ଟାପ୍ରତି ୫୦ରୁ ୬୦ କିଲୋମିଟର ବେଗରେ ପବନ ବହିପାରେ।
ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ଜିଲ୍ଲାଗୁଡ଼ିକରେ ଭାରି ବର୍ଷା ସହ ବଜ୍ରପାତର ସମ୍ଭାବନା ରହିଛି।
ପାଣିପାଗ ବିଭାଗ ସତର୍କ କରିଛି ଯେ, ପ୍ରବଳ ବର୍ଷା ଯୋଗୁଁ ତଳିଆ ଅଞ୍ଚଳରେ ଜଳବନ୍ଦୀ, ସ୍ଥାନୀୟ ବନ୍ୟା, ଯାତାୟାତରେ ବାଧା, କଚ୍ଚା ଘରର କ୍ଷତି ଏବଂ ଚାଷ ଜମି ପ୍ରଭାବିତ ହୋଇପାରେ। ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନର ଆଶଙ୍କା ମଧ୍ୟ ରହିଛି।
ସମୁଦ୍ର ଅଶାନ୍ତ ରହିବା ସହ ଉପକୂଳରେ ୪୦ରୁ ୫୦ କିଲୋମିଟର ବେଗରେ, ଝଟକା ପବନ ୬୦ କିଲୋମିଟର ପର୍ଯ୍ୟନ୍ତ ବହିପାରେ। ତେଣୁ ଜୁଲାଇ ୨୯ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ନଯିବା ପାଇଁ ପାଣିପାଗ ବିଭାଗ ପରାମର୍ଶ ଦେଇଛି। ସେହିପରି ଲୋକଙ୍କୁ ଅନାବଶ୍ୟକ ବାହାରକୁ ନଯିବା, ଜଳବନ୍ଦୀ ଅଞ୍ଚଳକୁ ଏଡ଼ାଇବା ଏବଂ ସରକାରୀ ସତର୍କ ସୂଚନାକୁ ଅନୁସରଣ କରିବାକୁ ଅନୁରୋଧ କରାଯାଇଛି।