ଭୁବନେଶ୍ୱର: ରାଜ୍ୟରେ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ସ୍ନାତକୋତ୍ତର (ପିଜି) ପାଠ୍ୟକ୍ରମରେ ନାମଲେଖା ପ୍ରକ୍ରିୟାକୁ ନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବହୁ ପ୍ରତୀକ୍ଷିତ ବିଜ୍ଞପ୍ତି ପ୍ରକାଶ ପାଇଛି। କମନ୍ ପିଜି ଏଣ୍ଟ୍ରାନ୍ସ ଟେଷ୍ଟ (CPET)ରେ ପ୍ରାପ୍ତ ମାର୍କ ଆଧାରରେ ଚଳିତ ବର୍ଷ ପିଜି ନାମଲେଖା କରାଯିବ।
ବିଭାଗ ପକ୍ଷରୁ ପ୍ରକାଶିତ ସୂଚୀ ଅନୁଯାୟୀ, ଜୁଲାଇ ୨୭ ତାରିଖ ଅପରାହ୍ନ ୩ଟାରୁ ଅଗଷ୍ଟ ୨ ତାରିଖ ରାତି ୧୧ଟା ୪୫ ମିନିଟ୍ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ସାମ୍ସ ପୋର୍ଟାଲରେ ଲଗ୍ଇନ୍ କରି ନିଜ ପସନ୍ଦର ଉଚ୍ଚଶିକ୍ଷାନୁଷ୍ଠାନ ଓ ବିଷୟ ପାଇଁ ଚଏସ୍ ଲକିଙ୍ଗ କରିପାରିବେ।
ଅଗଷ୍ଟ ୭ ତାରିଖ ଅପରାହ୍ନ ୪ଟାରେ ପ୍ରଥମ ମେଧା ତାଲିକା ପ୍ରକାଶ ପାଇବ। ପ୍ରଥମ ପର୍ଯ୍ୟାୟରେ ଚୟନିତ ଛାତ୍ରଛାତ୍ରୀମାନେ ଅଗଷ୍ଟ ୭ ସନ୍ଧ୍ୟା ୬ଟାରୁ ଅଗଷ୍ଟ ୧୧ ଅପରାହ୍ନ ୪ଟା ପର୍ଯ୍ୟନ୍ତ ସାମ୍ସ ପୋର୍ଟାଲରେ ଫ୍ରିଜ୍, ସ୍ଲାଇଡ୍ କିମ୍ବା ଫ୍ଲୋଟ୍ ବିକଳ୍ପ ବାଛିପାରିବେ।
ଏହାପରେ ଅଗଷ୍ଟ ୧୭ ତାରିଖ ଅପରାହ୍ନ ୪ଟାରେ ଦ୍ୱିତୀୟ ମେଧା ତାଲିକା ପ୍ରକାଶିତ ହେବ। ସେହିପରି ଅଗଷ୍ଟ ୨୧ ତାରିଖରୁ ରାଜ୍ୟର ସମସ୍ତ ଉଚ୍ଚଶିକ୍ଷାନୁଷ୍ଠାନରେ ପିଜି ପ୍ରଥମ ବର୍ଷର ପାଠପଢ଼ା ଆରମ୍ଭ ହେବ।
ଉଲ୍ଲେଖଯୋଗ୍ୟ, ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ୧୩୫ଟି ଉଚ୍ଚଶିକ୍ଷାନୁଷ୍ଠାନରେ ମୋଟ ୩୨,୫୩୧ଟି ପିଜି ସିଟ୍ ଉପଲବ୍ଧ ରହିଛି। ତେଣୁ CPET ପରୀକ୍ଷାର୍ଥୀମାନଙ୍କୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଚଏସ୍ ଲକିଙ୍ଗ ସମ୍ପୂର୍ଣ୍ଣ କରିବା ସହ ପରବର୍ତ୍ତୀ ମେଧା ତାଲିକା ଓ ନାମଲେଖା ପ୍ରକ୍ରିୟା ଉପରେ ନଜର ରଖିବାକୁ ବିଭାଗ ପରାମର୍ଶ ଦେଇଛି।