ନୂଆଦିଲ୍ଲୀ: ଦେଶ ଭକ୍ତି ଆଗରେ ହାର ମାନିଲା ଉଚ୍ଚ ଦରମାର ଚାକିରୀ । ସେନାର ବର୍ଦ୍ଦି ଆଗରେ ଫିକା ପଡ଼ିଗଲା ୪୬ ଲକ୍ଷ ଟଙ୍କା ଏବଂ ଅନ୍ତର୍ଜାତୀୟ ବିମାନ କମ୍ପାନୀର ଚାକିରୀ । କେବଳ ଦେଶ ସେବା କରିବାକୁ ଉଚ୍ଚ ବେତନ ପ୍ରାପ୍ତ ଚାକିରୀକୁ ଛାଡ଼ି ଶେଷରେ ଭାରତୀୟ ସେନାରେ ଯୋଗ ଦେଇଛନ୍ତି ଜଣେ ଯୁବ ଇଞ୍ଜିନିୟର । ଯାହାଙ୍କ ସଫଳତା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ସେ ହେଉଛନ୍ତି ଉତ୍ତର ପ୍ରଦେଶ ରାଜଧାନୀ ଲକ୍ଷ୍ନୌର ନିବାସୀ ଶାର୍ଦେନ୍ଦୁ ତିୱାରୀ ।
ଶାର୍ଦେନ୍ଦୁ ଏକ ସେନା ପରିବାରରେ ଜନ୍ମ ଗ୍ରହଣ କରିଛନ୍ତି । ତାଙ୍କ ପିତା ରାଜ କୁମାର ଦୀର୍ଘ ତିନି ଦଶନ୍ଧିରୁ ଉର୍ଦ୍ଧ୍ୱ ସମୟ ଧରି ଭାରତୀୟ ସେନାରେ ସେବା ଦେବା ପରେ ଏବେ ଅବସର ନେଇଛନ୍ତି । ଆଉ ବାପାଙ୍କ ରାସ୍ତାରେ ଯିବାକୁ ଶାର୍ଦେନ୍ଦୁ ପିଲା ବେଳୁ ସ୍ୱପ୍ନ ଦେଖି ଆସୁଥିଲେ ।
ଶାର୍ଦେନ୍ଦୁ ଜଣେ ମେଧାବୀ ଛାତ୍ର ଥିଲେ । ସେ ଇଞ୍ଜିନିୟରିଂ ପାଠ ପଢ଼ା ଶେଷ କରିବା ପରେ ଆମାଜନ ଭଳି ଅନ୍ତର୍ଜାତୀୟ କମ୍ପାନୀରେ କ୍ଲାଉଡ୍ ଇଞ୍ଜିନିୟର ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ । ତାଙ୍କର ବାର୍ଷିକ ଦରମା ଥିଲା ୪୬ ଲକ୍ଷ ଟଙ୍କା । ଯେଉଁଥିରେ ସେ ଏକ ବିଳାସ ପୂର୍ଣ୍ଣ ଜୀବନ ବଞ୍ଚୁଥିଲେ । ଏହା ପରେ ବିଶ୍ୱ ସ୍ତରୀୟ ଏରୋସ୍ପେସ୍ କମ୍ପାନୀରେ ଚାକିରୀ କଲେ । କିନ୍ତୁ ସେ ଦେଶ ପ୍ରେମର ସ୍ୱପ୍ନ ଦେଖିବା ଛାଡ଼ି ନଥିଲେ । ସେ ବାରମ୍ବାର ସେନାରେ ବିଭିନ୍ନ ପରୀକ୍ଷା ଦେଇଥିଲେ ଆଉ ଅସଫଳତାର ସ୍ୱାଦ ମଧ୍ୟ ଚାଖିଥିଲେ । ତଥାପି ସେ ହାରି ନ ଥିଲେ । ସେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପର୍ଯ୍ୟନ୍ତ ପରୀକ୍ଷା ଦେଇ ଚାଲୁଥିଲେ ।
ଏହା ପରେ ଶାର୍ଦେନ୍ଦୁ ଗୟା ଅଫିସର୍ସ ଟ୍ରେନିଙ୍ଗ୍ ଏକାଡେମୀରେ ତାଲିମ ନେଲେ । ଏହାରି ମଧ୍ୟରେ ଏକାଡେମୀରେ ସିନିୟର୍ ଅଣ୍ଡର ଅଫିସର୍ ପଦ ଅଳଙ୍କୃତ । ବର୍ତ୍ତମାନ ସେ ଭାରତୀୟ ସେନା ଜଣେ ଉଚ୍ଚ ଅଧିକାରୀଭାବେ କାର୍ଯ୍ୟରତ ଅଛନ୍ତି । ତାଙ୍କର ଏହି ସ୍ୱପ୍ନ ଏବଂ ସଫଳତା ଆଜିର ଯୁବପୀଢ଼ି ପାଇଁ ପ୍ରେରଣା ପାଲଟିଛି ।