ବଲାଙ୍ଗିର: ବହୁଚର୍ଚ୍ଚିତ ଦାନ ମାଝୀଙ୍କ ଜୀବନ କାହାଣୀକୁ ନେଇ ନିର୍ମିତ କ୍ଷୁଦ୍ର ଚଳଚ୍ଚିତ୍ର ‘ଲାଶ୍’କୁ କେନ୍ଦ୍ର କରି ନୂଆ ବିବାଦ ଦେଖାଦେଇଛି। ଫିଲ୍ମର ପ୍ରଯୋଜକ ତଥା ନିର୍ଦ୍ଦେଶକ ମନୋଜ ବାଗଙ୍କ ବିରୋଧରେ ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଥାନାରେ ଏତଲା ଦେଇଛନ୍ତି ଦାନ ମାଝୀ। ନିଜ ବ୍ୟକ୍ତିଗତ ଜୀବନ କାହାଣୀକୁ ବିନା ଅନୁମତିରେ ଚଳଚ୍ଚିତ୍ରରେ ବ୍ୟବହାର କରାଯାଇଥିବା ସେ ଅଭିଯୋଗ କରିଛନ୍ତି।
ଦାନ ମାଝୀଙ୍କ କହିବା ଅନୁସାରେ, ‘ଲାଶ୍’ କ୍ଷୁଦ୍ର ଚଳଚ୍ଚିତ୍ର ତାଙ୍କ ଜୀବନର ଘଟଣାକୁ ଆଧାର କରି ନିର୍ମାଣ ହୋଇଥିଲେ ମଧ୍ୟ ଏନେଇ ପ୍ରଯୋଜକ ତାଙ୍କ ସହ କୌଣସି ଆଲୋଚନା କରିନଥିଲେ କିମ୍ବା ଅନୁମତି ମାଗିନଥିଲେ। ତେଣୁ ସେ ଆଇନର ଆଶ୍ରୟ ନେଇ ପ୍ରଯୋଜକଙ୍କ ବିରୋଧରେ ଅଭିଯୋଗ ଦାଖଲ କରିଛନ୍ତି।
ସୂଚନାଯୋଗ୍ୟ, ସମ୍ବଲପୁରର ମନୋଜ ବାଗ ଜଣେ ନିର୍ଦ୍ଦେଶକ, ଲେଖକ, ସମ୍ପାଦକ, ଅଭିନେତା ଓ ପ୍ରଯୋଜକ ଭାବେ ପରିଚିତ। ସେ ନିର୍ମାଣ କରିଥିବା କ୍ଷୁଦ୍ର ଚଳଚ୍ଚିତ୍ର ‘ଲାଶ୍’ ଇଣ୍ଡୋ–ସିଙ୍ଗାପୁର ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (ISFFA)ରେ ମଧ୍ୟ ପ୍ରଦର୍ଶିତ ହୋଇଥିଲା ଏବଂ ଚର୍ଚ୍ଚା ସୃଷ୍ଟି କରିଥିଲା।
ଉଲ୍ଲେଖଯୋଗ୍ୟ ଯେ, ୨୦୧୬ ମସିହାରେ କଳାହାଣ୍ଡିର ଦାନ ମାଝୀଙ୍କ ଘଟଣା ସମଗ୍ର ଦେଶକୁ ଆନ୍ଦୋଳିତ କରିଥିଲା। ହସ୍ପିଟାଲରୁ ଆମ୍ବୁଲାନ୍ସ ନ ମିଳିବାରୁ ସେ ନିଜ ସ୍ତ୍ରୀଙ୍କ ମୃତଦେହକୁ କାନ୍ଧରେ ବୋହି ଦୀର୍ଘ ରାସ୍ତା ଚାଲିଥିଲେ। ଏହି ଘଟଣା ସ୍ୱାସ୍ଥ୍ୟ ବ୍ୟବସ୍ଥା ଓ ମାନବିକତାକୁ ନେଇ ଦେଶବ୍ୟାପୀ ଆଲୋଚନାର ବିଷୟ ପାଲଟିଥିଲା।
ଏବେ ସେହି ଘଟଣାକୁ ଆଧାର କରି ନିର୍ମିତ ଚଳଚ୍ଚିତ୍ରକୁ ନେଇ ଆଇନଗତ ବିବାଦ ଆରମ୍ଭ ହୋଇଛି। ଦାନ ମାଝୀଙ୍କ ଅଭିଯୋଗ ପରେ ପାଟଣାଗଡ଼ ପୁଲିସ ମାମଲାର ତଦନ୍ତ ଆରମ୍ଭ କରିଛି। ତଦନ୍ତ ପରେ ଘଟଣାର ପ୍ରକୃତ ସ୍ଥିତି ସ୍ପଷ୍ଟ ହେବ। ଏହି ଘଟଣା ପୁଣିଥରେ ବାସ୍ତବ ଜୀବନର କାହାଣୀକୁ ଚଳଚ୍ଚିତ୍ରରେ ବ୍ୟବହାର କରିବା ପୂର୍ବରୁ ସମ୍ମତି ଓ କପିରାଇଟ୍ ଭଳି ପ୍ରସଙ୍ଗକୁ ଚର୍ଚ୍ଚାକୁ ଆଣିଛି।