ଭୁବନେଶ୍ୱର: ପୂର୍ବତନ ଶ୍ରମ ମନ୍ତ୍ରୀ ତଥା ବିଜେଡ଼ି ବରିଷ୍ଠ ନେତା ସୁଶାନ୍ତ ସିଂଙ୍କର ରବିବାର ବିଳମ୍ବିତ ରାତି ସକାଳୁ ଦେହାନ୍ତ ହୋଇଯାଇଛି । ସୁଶାନ୍ତଙ୍କ ଦେହାନ୍ତରେ ସାରା ରାଜନୈତିକ ମହଲରେ ଶୋକର ଛାୟା ଖେଳି ଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ବିରୋଧୀ ଦଳ ନେତା ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସମେତ ତମାମ ରାଜନୈତିକ ନେତୃବୃନ୍ଦ ଶୋକ ବ୍ୟକ୍ତ କରିଛନ୍ତି ।
ମୁଖ୍ୟମନ୍ତ୍ରୀ ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ଦେହାନ୍ତ ଦୁଃଖ ପ୍ରକାଶ କରିବା ସହିତ ତାଙ୍କର ଆତ୍ମାର ସଦଗତି ନିମନ୍ତେ ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି । ତତସହିତ ଶୋକ ସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ କରିଛନ୍ତି ।
ସେହିପରି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ସୁଶାନ୍ତ ସିଂହଙ୍କ ବିୟୋଗରେ ଶୋକ ପ୍ରକାଶ କରି କହିଛନ୍ତି ଦଳ ଜଣେ ଦକ୍ଷ ସଙ୍ଗଠକ ତଥା ଲୋକପ୍ରିୟ ନେତାଙ୍କୁ ହରାଇଲା। ବିଜୁ ଜନତା ଦଳକୁ ମଜଭୁତ କରିବା ସହ ଲୋକଙ୍କ ସେବାରେ ତାଙ୍କର କାର୍ଯ୍ୟ ସର୍ବଦା ସ୍ମରଣୀୟ ରହିବ । ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଏପରି ଦୁଃଖଦ ସମୟରେ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ ପ୍ରତି ମୋର ଗଭୀର ସମବେଦନା ଜଣାଉଛି।
ଦୀର୍ଘ ଦିନ ଧରି ଅସୁସ୍ଥ ଥିବା ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡ଼ି ନେତା ସୁଶାନ୍ତ ସିଂଙ୍କର ପରଲୋକ ହୋଇଛି । ତାଙ୍କ ପିଏ ସୂଚନା ଦେଇଛନ୍ତି ଯେ ବିରଳ ‘ମୋଟର ନ୍ୟୁରନ ଡିଜିଜ୍’ରେ ପୀଡିତ ହୋଇ ସେ ଦୀର୍ଘ ଦିନ ଧରି ଚିକିତ୍ସିତ ହେଉଥିଲେ । ଗତକାଲି ବିଳମ୍ବିତ ରାତି ପ୍ରାୟ ସାଢ଼େ ଏଗାରଟା ସମୟରେ ସେ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିଥିଲେ । ଏହା ପରେ ତୁରନ୍ତ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ଆଜି ପ୍ରଥମେ ତାଙ୍କ ମରଶରୀରକୁ ବିଧାନସଭାକୁ ଶେଷ ଦର୍ଶନ ପାଇଁ ନିଆଯିବ । ପୁଣି ସେଠାରୁ ବିଜେଡ଼ି କାର୍ଯ୍ୟାଳୟ ଶଙ୍ଖ ଭବନକୁ ନିଆଯିବ । ଏହା ପରେ ବରଗଡ଼ ଭଟଲି ଅଭିମୁଖେ ତାଙ୍କ ପାର୍ଥିବ ଶରୀରକୁ ନିଆଯିବ । ତାଙ୍କ ଜନ୍ମମାଟି ଭଟଲିରେ ତାଙ୍କର ଶେଷକୃତ୍ୟ ହେବ ।
ସୁଶାନ୍ତ ସିଂହ ୧୯୭୩ ମସିହାର ମାର୍ଚ୍ଚ ୧୭ ତାରିଖରେ ଜନ୍ମଗ୍ରହଣ କରିଥିଲେ । ସେ ବିଜେଡ଼ିର ଜଣେ ଟାଣୁଆ ନେତା ଥିଲେ । ବରଗଡ଼ ଜିଲ୍ଲା ଭଟଲି ବିଧାନସଭା ନିର୍ବାଚନ କ୍ଷେତ୍ରରୁ ସେ ୩ ଥର ବିଧାୟକଭାବେ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି । ୨୦୦୯, ୨୦୧୪ ଏବଂ ୨୦୧୯ରେ ଲଗାତର ତିନି ତିନି ଥର ଯଥାକ୍ରମେ ୧୪ଶ, ୧୫ଶ ଓ ୧୬ଶ ଓଡ଼ିଶା ବିଧାନସଭାକୁ ସେ ନିର୍ବାଚିତ ହୋଇଥିଲେ । ୨୦୧୭ ମସିହାରୁ ୨୦୨୨ ଯାଏଁ, ବିଜେଡ଼ି ସରକାରରେ ଶ୍ରମ ଓ କର୍ମଚାରୀ ଏବଂ ରାଜ୍ୟ ବୀମା ଓ ଗ୍ରାମ୍ୟ ଉନ୍ନୟନ ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ । ଅସୁସ୍ଥତା ମଧ୍ୟରେ ସେ ୨୦୨୪ ସାଧାରଣ ନିର୍ବାଚନ ବିଜେଡିର ପ୍ରାର୍ଥୀ ଭାବରେ ଭଟଲି ବିଧାନସଭା ଆସନରୁ ଲଢ଼ିଥିଲେ । ସେ ମୋଟ ୭୯,୭୧୬ ଖଣ୍ଡ ଭୋଟ୍ ପାଇ ୨ୟ ସ୍ଥାନରେ ଥିଲେ ଏବଂ ବିଜେପି ପ୍ରାର୍ଥୀ ଇରାଶିଷ ଆଚାର୍ଯ୍ୟଙ୍କଠାରୁ ୨୭,୮୯୨ ଖଣ୍ଡ ଭୋଟ୍ରେ ପରାସ୍ତ ହୋଇଥିଲେ ।