ଭୁବନେଶ୍ୱର: ରାଜ୍ୟରେ ଜାରି ରହିଥିବା ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ବଡ଼ ପଦକ୍ଷେପ ନିଆଯାଇଛି। ପାଣିପାଗ ବିଭାଗର ଚେତାବନୀ ପରେ ମୟୂରଭଞ୍ଜ ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ସୋମବାର ସମସ୍ତ ସ୍କୁଲ୍ ଏବଂ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ।
ଆସନ୍ତାକାଲି ପ୍ରବଳ ବର୍ଷା ହେବା ନେଇ ଆଶଙ୍କା ରହିଥିବାରୁ ମୟୂରଭଞ୍ଜ ଜିଲ୍ଲାପାଳ ସମସ୍ତ ବିଦ୍ୟାଳୟ ବନ୍ଦ ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଛୁଟିଦିନ ହୋଇଥିବାରୁ ଲିଖିତ ନୋଟିସ୍ ବଦଳରେ ଜିଲ୍ଲା ପ୍ରଶାସନର ଅଫିସିଆଲ୍ ହ୍ୱାଟସ୍ଆପ୍ ଗ୍ରୁପ୍ ମାଧ୍ୟମରେ ସମସ୍ତ ସମ୍ପୃକ୍ତ ଅଧିକାରୀ ଓ ଶିକ୍ଷକମାନଙ୍କୁ ଏହି ସତର୍କ ସୂଚନା ଜାରି କରାଯାଇଛି।
ସେହିପରି କେନ୍ଦ୍ରାପଡ଼ା ଜିଲ୍ଲାରେ ମଧ୍ୟ ପ୍ରବଳରୁ ଅତି ପ୍ରବଳ ବର୍ଷା ପୂର୍ବାନୁମାନ ରହିଛି। ପିଲାମାନଙ୍କ ଯାତାୟାତରେ ଯେପରି କୌଣସି ବିପଦ ନଉପୁଜେ, ସେଥିପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଧିବଦ୍ଧ ଭାବେ ନୋଟିସ୍ ଜାରି କରାଯାଇ ଜିଲ୍ଲାର ସମସ୍ତ ସ୍କୁଲ୍ ଓ ଅଙ୍ଗନବାଡ଼ି କେନ୍ଦ୍ରକୁ ବନ୍ଦ ରଖିବାକୁ ଘୋଷଣା କରାଯାଇଛି।