କେନ୍ଦ୍ରାପଡ଼ା: ମହିଳାଙ୍କ ଗର୍ଭାଶୟରୁ ବାହାରିଲା ସାଢ଼େ ୬ କିଲୋ ଓଜନର ଟ୍ୟୁମର୍ । ଦୀର୍ଘ ୪ଘଣ୍ଟାର ଅସ୍ତ୍ରୋପଚାର କରି ମହିଳାଙ୍କ ଜୀବନ ବଞ୍ଚାଇଛନ୍ତି ଘରୋଇ ନର୍ସିଂହୋମ ଡାକ୍ତର।
କେନ୍ଦ୍ରାପଡା ମହାକାଳପଡ଼ା ବ୍ଲକ ତିଖିରି ଗାଁର ୪୬ ବର୍ଷୀୟା ଚନ୍ଦ୍ରମା ମଲିକ ନାମ୍ନୀ ଜଣେ ମହିଳାଙ୍କର ଦୀର୍ଘ ବର୍ଷେ ଧରି ମୁଣ୍ଡବିନ୍ଧା ସହ ପେଟରେ ଅନେକ ସମୟରେ ଯନ୍ତ୍ରଣା ହେଉଥିଲା । ଚନ୍ଦ୍ରମାଙ୍କ ସ୍ୱାମୀ ଛବି ମଲିକ ତାଙ୍କୁ ବିଭିନ୍ନ ସ୍ଥାନକୁ ନେଇ ଚିକିତ୍ସା କରାଉଥିଲେ ମଧ୍ୟ କୌଣସି ସୁଫଳ ମିଳୁନଥିଲା। ତେବେ ଗତ ଗୁରୁବାର ଦିନ କେନ୍ଦ୍ରାପଡା ପୁରୁଣା ମେଡ଼ିକାଲ ରୋଡ଼ରେ ଥିବା ଏକ ଘରୋଇ ହସ୍ପିଟାଲରେ ସ୍ତ୍ରୀ ଓ ପ୍ରସୂତି ବିଭାଗ ଡାକ୍ତର ଦେବପ୍ରସାଦ ସାହୁଙ୍କୁ ଭେଟି ପରାମର୍ଶ ନେବା ପରେ ଡାକ୍ତର ତାଙ୍କୁ ଅଲ୍ଟ୍ରାସାଉଣ୍ଡ କରିବା ପାଇଁ ପରାମର୍ଶ ଦେଇଥିଲେ। ଅଲ୍ଟ୍ରାସାଉଣ୍ଡ ରିପୋର୍ଟରେ ଚନ୍ଦ୍ରମାଙ୍କ ଗର୍ଭାଶୟରେ ଟ୍ୟୁମର ଥିବା ଜଣାପଡିବା ପରେ ସଙ୍ଗେସଙ୍ଗେ ଏହାକୁ ଅସ୍ତ୍ରୋପଚାର ପାଇଁ ଡାକ୍ତର ସାହୁ ପରାମର୍ଶ ଦେବା ପରେ ଶୁକ୍ରବାର ଅପରାହ୍ନରୁ ସନ୍ଧ୍ୟା ପର୍ଯ୍ୟନ୍ତ ଏହି ଅସ୍ତ୍ରୋପଚାର କରାଯାଇ ଗର୍ଭାଶୟରୁ ସାଢ଼େ ୬ କିଲୋ ଓଜନର ଟ୍ୟୁମର ବାହାର କରିଥିଲେ । ଏହି ଟ୍ୟୁମରକୁ ଡାକ୍ତରୀ ଭାଷାରେ ଏହାକୁ ବେନାଇନ୍ ଟ୍ୟୁମର ବା ୟୁଟ୍ରାଇନ ଫାଇବ୍ରଏଡ଼ କୁହାଯାଏ ।