ନୂଆଦିଲ୍ଲୀ: କ୍ରୀଡ଼ା ଜଗତରୁ ଆସିଛି ଏକ ବଡ଼ ଏବଂ ଗର୍ବର କଥା। ଏସୀୟ ଯୁବ ହକି ଫାଇଭ୍ସ ଚାମ୍ପିୟନସିପରେ ଭାରତୀୟ ଯୁବ ଦଳ ଚମତ୍କାର ପ୍ରଦର୍ଶନ କରି ଚାମ୍ପିୟନ ହେବାର ଗୌରବ ଅର୍ଜନ କରିଛି। ଫାଇନାଲରେ ଭାରତ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ୩-୧ରେ ମାତ୍ ଦେଇ ସ୍ୱର୍ଣ୍ଣ ପଦକ ନିଜ ନାମରେ କରିଛି । ଏହି ବିଜୟ ସହିତ ଭାରତ ପୂରା ଟୁର୍ଣ୍ଣାମେଣ୍ଟରେ ଅପରାଜୟ ରହି ଗୌରବ ହାସଲ କରିଛି । ଏହା ସହିତ ଆସନ୍ତା ବର୍ଷ ହେବାକୁ ଥିବା ୟୁଥ ହକିଫାଇଭ ବିଶ୍ୱକପ୍ ପାଇଁ ଯୋଗ୍ୟତା ଅର୍ଜନ କରିଛି ।
ମ୍ୟାଚ୍ ଆରମ୍ଭରୁ ଉଭୟ ଦଳ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଥିଲା। ପାକିସ୍ତାନ ଦଳ ମଧ୍ୟ ଭାରତକୁ କଡ଼ା ଜବାବ ଦେଇଥିଲେ ହେଁ, ଭାରତୀୟ ଖେଳାଳିମାନେ ଚାପର ବଶବର୍ତ୍ତୀ ନ ହୋଇ ଚମତ୍କାର ଷ୍ଟ୍ରାଟେଜି ଏବଂ ଦ୍ରୁତ ଖେଳ ପ୍ରଦର୍ଶନ କରିଥିଲେ। ଖେଳାଳିଙ୍କ ଦୃଢ଼ ଇଚ୍ଛାଶକ୍ତି ଏବଂ ସମୂହ ପ୍ରୟାସ ବଳରେ ଭାରତ ଶେଷ ମୁହୂର୍ତ୍ତରେ ବିଜୟ ନିଜ ନାମରେ କରିଥିଲା।
କ୍ରୀଡ଼ାପ୍ରେମୀଙ୍କ ମହଲରେ ଉତ୍ସାହ
ପାକିସ୍ତାନକୁ ମାତ୍ ଦେଇ ଏସୀୟ ମଞ୍ଚରେ ତ୍ରିରଙ୍ଗା ଉଡ଼ାଇଥିବାରୁ ଭାରତୀୟ ଦଳକୁ ଦେଶବ୍ୟାପୀ ଶୁଭେଚ୍ଛାର ସୁଅ ଛୁଟିଛି। ପ୍ରଧାନମନ୍ତ୍ରୀ ଏବଂ ବିଭିନ୍ନ କ୍ରୀଡ଼ା ବ୍ୟକ୍ତିତ୍ୱ ଟିମ୍ ଇଣ୍ଡିଆର ଏହି ଐତିହାସିକ ସଫଳତା ପାଇଁ ଖେଳାଳି ଏବଂ କୋଚ୍ଙ୍କୁ ପ୍ରଶଂସା କରିଛନ୍ତି। ଏହି ବିଜୟ ଭାରତୀୟ ହକିର ଭବିଷ୍ୟତକୁ ଆହୁରି ମଜଭୁତ କରିବ ବୋଲି ଆଶା କରାଯାଉଛି।
Also Read: ଆଇସିସି ରାଙ୍କିଙ୍ଗରେ ପୁଣି ଥରେ ନମ୍ବର ୧ ଭାରତ ୧୫ ଦିନ ମଧ୍ୟରେ ଇଂଲଣ୍ଡର ରାଜତ୍ୱ ଶେଷ