ନୂଆଦିଲ୍ଲୀ: ଆଜିଠାରୁ ସ୍କଟଲ୍ୟାଣ୍ଡର ଗ୍ଲାସଗୋଠାରେ ରାଜ୍ୟଗୋଷ୍ଠୀ କ୍ରୀଡ଼ା-୨୦୨୬ ଆରମ୍ଭ ହୋଇଛି । ପ୍ରଥମ ଦିନରେ ଭାରତକୁ ଏକ ବଡ଼ ଝଟକା ଲାଗିଛି । ଭାରତରୁ ପ୍ରତିନିଧିତ୍ୱ କରୁଥିବା ଜୁଡ଼ୋ ଖେଳାଳି ଅରୁଣ କୁମାର ରାଜ୍ୟ ଗୋଷ୍ଠୀ କ୍ରୀଡ଼ାରୁ ବାଦ ପଡ଼ିଛନ୍ତି । ଡୋପ୍ ଟେଷ୍ଟରେ ସେ ବିଫଳ ହେବାରୁ ଅରୁଣଙ୍କୁ ବାହାର ହେବାକୁ ପଡ଼ିଛି । ଜୁଡ଼ୋ ଫେଡେରେସନ୍ ଅଫ୍ ଇଣ୍ଡିଆର ଅଧ୍ୟକ୍ଷ ମୁକେଶ କୁମାର ଏହି ସୂଚନା ଦେଇଛନ୍ତି ।
ଅରୁଣ ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ୭୩ କିଲୋଗ୍ରାମ ବର୍ଗରେ ଅଂଶଗ୍ରହଣ କରିଥାଆନ୍ତେ । ଏହା ପୂର୍ବରୁ ତାଙ୍କର ଡୋପ୍ ଟେଷ୍ଟ କରାଯାଇଥିଲା । ସେ ଡୋପ୍ ଟେଷ୍ଟରେ ପଜିଟିଭ୍ ଆସିଛନ୍ତି । ତେବେ ତାଙ୍କ ରକ୍ତ ନମୂନାରୁ କେଉଁ ପ୍ରକାର ପ୍ରତିବନ୍ଧିତ ପଦାର୍ଥ ମିଳିଛି ତାହା ସ୍ପଷ୍ଟ ହୋଇନାହିଁ ।
ଅରୁଣ କୁମାର ଭାରତୀୟ ଜୁଡ଼ୋ ଖେଳର ଜଣେ ପ୍ରସିଦ୍ଧ ଖେଳାଳି । ସେ ଇନସ୍ପାଏର୍ ଇନଷ୍ଟିଚ୍ୟୁଟ୍ ଅଫ୍ ସ୍ପୋର୍ଟ ରେ ତାଲିମ ନେଉଥିଲେ । ୨୦୨୩ରେ ସେ ପ୍ରଥମ ଥର ପାଇଁ ମକାଉ ଜୁନିୟର ଏସିଆନ୍ କପରେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ । ୨୦୨୫ରେ ତାଇପେ ଏସିଆନ ଓପନରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ।ଏହା ସହିତ ହଂଗକଂଗରେ ଏସିଆନ ଓପନରେ କାଂସ୍ୟ ପଦକ ହାସଲ କରିଛନ୍ତି ।
ଚଳିତ ବର୍ଷ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ୭୪ଟି ଦେଶର ପ୍ରାୟ ୩ ହଜାର ଖେଳାଳି ଅଂଶ ଗ୍ରହଣ କରିଛନ୍ତି । ଏହା ଅଗଷ୍ଟ ୨ ପର୍ୟ୍ୟନ୍ତ ଚାଲିବ । ମୀରାବାଇ ଚାନୁ ଏବଂ ନୀରଜ ଚୋପ୍ରା ଉଦଘାଟନୀ ଉତ୍ସବରେ ଧ୍ୱଜା ଧରିବେ ।