ଦିଲ୍ଲୀ: ଟିମ୍ ଇଣ୍ଡିଆର ସବୁଠାରୁ ସଫଳ ଓପନର ରୋହିତ ଶର୍ମାଙ୍କ ଭବିଷ୍ୟତକୁ ନେଇ କିଛି ଦିନ ହେବ ସୋସିଆଲ ମିଡିଆରେ ଜୋରଦାର ଚର୍ଚ୍ଚା ଚାଲିଥିଲା। ଏପରିକି ଲଣ୍ଡନର ଐତିହାସିକ ଲର୍ଡସ ମୈଦାନରେ ରୋହିତ ନିଜ କ୍ୟାରିୟରର ଶେଷ ମ୍ୟାଚ୍ ଖେଳୁଛନ୍ତି ବୋଲି ମଧ୍ୟ ଗୁଜବ ସୃଷ୍ଟି ହୋଇଥିଲା। ହେଲେ ଏସବୁ ଭିତରେ ସମସ୍ତ ଆଲୋଚକଙ୍କୁ ବ୍ୟାଟ୍ରେ ଜବାବ ଦେଇଛନ୍ତି 'ହିଟ୍ମ୍ୟାନ୍'। ଇଂଲଣ୍ଡ ବିପକ୍ଷ ଶେଷ ଦିନିକିଆରେ ଏକ ଅବିଶ୍ୱସନୀୟ ୧୩୮ ରନ୍ର ଶତକୀୟ ପାରି ଖେଳି ସେ ପ୍ରମାଣ କରିଛନ୍ତି ଯେ ତାଙ୍କ ଭିତରେ ଏବେ ବି କ୍ରିକେଟ୍ ବାକି ଅଛି। ବର୍ତ୍ତମାନ ରୋହିତଙ୍କ ଏହି ବିସ୍ଫୋରକ ଇନିଂସ ପରେ ତାଙ୍କ ସମର୍ଥନରେ ବାହାରିଛନ୍ତି ପୂର୍ବତନ କ୍ରିକେଟର ମହମ୍ମଦ କୈଫ୍।
'ହେଇଗଲା ତ ଅବସର, କଟାଇଲ ତ ନାକ?'
ମହମ୍ମଦ କୈଫ୍ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ଭାବୁକ ଭିଡିଓ ସେୟାର କରି ରୋହିତଙ୍କ ସମାଲୋଚକମାନଙ୍କୁ କଡ଼ା ଭାଷାରେ ଟାର୍ଗେଟ୍ କରିଛନ୍ତି। କୈଫ୍ କହିଛନ୍ତି, "ହେଇଗଲା ତ ଅବସର? କଟାଇଲ ତ ନାକ? ରୋହିତ ଶର୍ମା କେବେ ସନ୍ନ୍ୟାସ ନେବେ, ସେହି ନିଷ୍ପତ୍ତି କେବଳ ତାଙ୍କ ଉପରେ ହିଁ ଛାଡ଼ିଦେବା ଉଚିତ୍। ଏହା ତାଙ୍କର ଅଧିକାର। ସେ ଦେଶ ପାଇଁ ନିଜର ରକ୍ତ ଏବଂ ଝାଳ ଏକ କରିଛନ୍ତି। ତେଣୁ ନିଜ ମର୍ଜିରେ ବିଦାୟ ନେବାର ସମ୍ମାନ ତାଙ୍କୁ ମିଳିବା ଦରକାର। ସେ ଦିନିକିଆରେ ୧୨ ହଜାରରୁ ଅଧିକ ରନ୍ ଏବଂ ୩୪ଟି ଶତକ ମାରିଛନ୍ତି, ଆଉ ସେ ଯେପର୍ଯ୍ୟନ୍ତ କ୍ୟାପ୍ଟେନ୍ ଥିଲେ ଭାରତକୁ କେବେ ହାରିବାକୁ ଦେଇନାହାନ୍ତି."
ଲର୍ଡସରେ ରେକର୍ଡ କରିବାରେ ପ୍ରଥମ ଭାରତୀୟ
କ୍ରିକେଟ୍ର ମକ୍କା କୁହାଯାଉଥିବା ଲର୍ଡସ ମୈଦାନରେ ଦିନିକିଆ କ୍ରିକେଟ୍ରେ ଶତକ ହାସଲ କରିବାରେ ରୋହିତ ଶର୍ମା ପ୍ରଥମ ଭାରତୀୟ ବ୍ୟାଟର ବନିଛନ୍ତି। ସବୁଠାରୁ ବଡ଼ କଥା ହେଉଛି, ଦଳରୁ ବାଦ୍ ପଡ଼ିବାର ପ୍ରବଳ ଚାପ ଏବଂ ମାନସିକ ଅଶାନ୍ତି ଭିତରେ ରୋହିତ ଏହି ଚମତ୍କାର ଇନିଂସ ଖେଳିଛନ୍ତି। କୈଫ୍ଙ୍କ ଅନୁଯାୟୀ, ଯେତେବେଳେ ଜଣେ ଖେଳାଳିଙ୍କୁ ସମସ୍ତେ ଦଳରୁ ବାହାର କରିବାକୁ ଅପେକ୍ଷା କରିଥାନ୍ତି, ସେତେବେଳେ ଏଭଳି ଶତକ ମାରିବା କେବଳ ରୋହିତଙ୍କ ପକ୍ଷେ ହିଁ ସମ୍ଭବ।
ବିସିସିଆଇ ଓ ଗିଲ୍ ସାଥ୍ ଦେଲେ 'ହିମାଳୟ ଚଢ଼ିଯିବେ' ରୋହିତ
ରୋହିତଙ୍କ ଭବିଷ୍ୟତକୁ ନେଇ କୈଫ୍ ଏକ ବଡ଼ ଦାବି କରିଛନ୍ତି। ସେ କହିଛନ୍ତି ଯେ, ଯଦି ବର୍ତ୍ତମାନର ଅଧିନାୟକ ଶୁଭମନ ଗିଲ୍ ମିଡିଆ ସାମ୍ନାକୁ ଆସି ଖୋଲାଖୋଲି କୁହନ୍ତି ଯେ '୨୦୨୭ ବିଶ୍ୱକପ୍ ପାଇଁ ମୋତେ ରୋହିତ ଭାଇ ଦଳରେ ଦରକାର' ଏବଂ ବିସିସିଆଇ ମଧ୍ୟ ରୋହିତଙ୍କ ପଛରେ ପଥର ଭଳି ଠିଆ ହୁଏ, ତେବେ ରୋହିତଙ୍କ ଶକ୍ତି ଦୁଇଗୁଣା ହୋଇଯିବ। ଯଦି ଏଭଳି ସମର୍ଥନ ମିଳେ, ତେବେ ରୋହିତ ଦେଶ ପାଇଁ ହିମାଳୟ ପର୍ବତ ମଧ୍ୟ ଚଢ଼ିଯିବେ ଏବଂ ନିଜ ଜୀବନକୁ ଉତ୍ସର୍ଗ କରିଦେବେ। ତେଣୁ ସମସ୍ତେ ଗୁଜବ ବନ୍ଦ କରି ତାଙ୍କୁ ଶାନ୍ତିରେ ଖେଳିବାକୁ ସୁଯୋଗ ଦିଅନ୍ତୁ।