ଲର୍ଡ୍ସ: ଭାରତ ଓ ଇଂଲଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ତୃତୀୟ ତଥା ନିର୍ଣ୍ଣାୟକ ମ୍ୟାଚ୍ ଆଜି ଐତିହାସିକ ଲର୍ଡ୍ସ ଗ୍ରାଉଣ୍ଡରେ ଭାରତୀୟ ସମୟ ଅପରାହ୍ଣ ୩ଟା ୩୦ରେ ଖେଳାଯିବ । ଏହି ମ୍ୟାଚରେ ସଭିଙ୍କ ନଜର ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ଉପରେ ରହିବ । ଏହି ଗ୍ରାଉଣ୍ଡରେ ଯେମିତି କୋହଲି ଓ ରୋହିତ ଏକ ସଙ୍ଗେ ଓହ୍ଲାଇବେ ଉଭୟ ଇତିହାସ ରଚିବେ । ଏହି ଦୁଇ ତାରକା ବ୍ୟାଟରଙ୍କ ପାଇଁ ଏକ ସଙ୍ଗେ ଏହା ୪୦୦ ଅନ୍ତର୍ଜାତୀୟ ମ୍ୟାଚ୍ ହେବ । ଏହା ସହିତ ଭାରତର ନାଁ ସେହି ତାଲିକାରେ ଯୋଡି ହେବ ଯେଉଁ ଦେଶର ଖେଳାଳି ଏକ ସଙ୍ଗେ ୪୦୦ କିମ୍ବା ସେଥିରୁ ଅଧିକ ମ୍ୟାଚ୍ ଖେଳିଛନ୍ତି । ଉଲ୍ଲେଖନୀୟ ରୋହିତ-ବିରାଟ ଯୋଡି ଭାରତ ପାଇଁ ସର୍ବାଧିକ ମ୍ୟାଚ୍ ଖେଳିଥିବା ଯୋଡି । ଏ ପର୍ଯ୍ୟନ୍ତ ଦୁଇ ତାରକା ଖେଳାଳି ଏକାଠି ୩୯୯ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳି ସାରିଛନ୍ତି ।
ଗୋଟିଏ ଯୋଡି ଭାବେ ସର୍ବାଧିକ ଅନ୍ତର୍ଜାତୀୟ ମ୍ୟାଚ୍
ଗୋଟିଏ ଯୋଡି ଭାବେ ସର୍ବାଧିକ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିବାର ବିଶ୍ୱ ରେକର୍ଡ ଦୁଇ କିମ୍ବଦନ୍ତୀ କୁମାର ସାଙ୍ଗାକାରା ଓ ମହେଲା ଜୟବର୍ଦ୍ଧନେଙ୍କ ନାଁରେ ରହିଛି । ଏହି ଦୁଇ ଖେଳାଳି ଶ୍ରୀଲଙ୍କା ପାଇଁ ସବୁଠୁ ଅଧିକ ଏକତ୍ର ୫୫୦ ମ୍ୟାଚ୍ ଖେଳିଛନ୍ତି । ଏହି ତାଲିକାର ଟପ୍-୫ରେ ୪ ଯୋଡି ଶ୍ରୀଲଙ୍କାର ଅଛନ୍ତି । ସାଙ୍ଗାକାରା-ଜୟବର୍ଦ୍ଧନେଙ୍କ ବ୍ୟତୀତ ତାଲିକାରେ ତିଳକେରତ୍ନ ଦିଲସାନ-ଜୟବର୍ଦ୍ଧନେ, ସାଙ୍ଗାକାରା-ଦିଲସାନ ଓ ସନଥ ଜୟସୁରିୟା ଓ ମୁଥୈୟା ମୁରଲୀଧରଣ ଯୋଡି । ଟପ-୫ରେ ଜ୍ୟାକ୍ କାଲିସ ଓ ମାର୍କ ବାଉଚରଙ୍କ ରୂପେ ଦକ୍ଷିଣ ଆଫ୍ରିକାର ଯୋଡି ଅଛନ୍ତି । ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ଯୋଡି ତାଲିକାରେ ଷଷ୍ଠ ସ୍ଥାନରେ ରହିଛି ।
ସର୍ବାଧିକ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିବା ଯୋଡି
୫୫୦- କୁମାର ସାଙ୍ଗାକାରା ଓ ମହେଲା ଜୟବର୍ଦ୍ଧନେ
୪୨୬- କୁମାରା ସାଙ୍ଗାକାରା ଓ ମୁଥୈୟା ମୁରଲୀଧରଣ
୪୦୮- ସନଥ ଜୟସୁରିୟା ଓ ମୁଥୈୟା ମୁରଲୀଧରଣ
୪୦୭- ଜ୍ୟାକ କାଲିସ ଓ ମାର୍କ ବାଉଚର
୩୯୯- ବିରାଟ କୋହଲି ଓ ରୋହିତ ଶର୍ମା
୩୯୧- ସଚିନ ତେନ୍ଦୁଲକର ଓ ରାହୁଲ ଦ୍ରାବିଡ
ଇଂଲଣ୍ଡ ଗସ୍ତରେ କେମିତି ରହିଛି ଦୁଇ ଖେଳାଳିଙ୍କ ପ୍ରଦର୍ଶନ
ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜରେ ଏ ପର୍ଯ୍ୟନ୍ତ ଦୁଇଟି ମ୍ୟାଚରେ ରୋହିତ ଶର୍ମାଙ୍କ ପ୍ରଦର୍ଶନ ନିରାଶଜନକ ରହିଛି । ପ୍ରଥମ ମ୍ୟାଚରେ ସେ ୧୧ ରନ ଏବଂ ଦ୍ୱିତୀୟ ମୟାଚରେ ଧିମା ୨୬ ରନ କରିଛନ୍ତି । ସବୁଠୁ ବଡ କଥା ରୋହିତଙ୍କ ଷ୍ଟ୍ରାଇକ ରେଟ୍ । କାରଣ ରୋହିତଙ୍କୁ ଏମିତି ଧିମା ବ୍ୟାଟିଂ କରିବା କେବେ ଦେଖିବାକୁ ମିଳି ନ ଥିଲା, ଯାହା ଦ୍ୱିତୀୟ ମ୍ୟାଚରେ ଦେଖିବାକୁ ମିଳିଛି । ଏହା ପରେ ରୋହିତଙ୍କ ଅବସର ନେଇ ଚର୍ଚ୍ଚା ଜୋର ଧରିଥିଲା । ଅନ୍ୟପଟେ ବିରାଟ କୋହଲି ପ୍ରଥମ ମ୍ୟାଚରେ ଫେଲ୍ ହେବା ପରେ ଦ୍ୱିତୀୟ ମ୍ୟାଚରେ ୬୫ ରନର ଇନିଂସ ଖେଳିଥିଲେ । ତେଣୁ ଆଜିର ମ୍ୟାଚରେ ଉଭୟ ବ୍ୟାଟରଙ୍କଠୁ ବଡ ଇନିଂସ ଆଶା କରୁଛନ୍ତି କ୍ରିକେଟ୍ ପ୍ରେମୀ ଓ ଭାରତୀୟ ଦଳ ।