ଲର୍ଡସ: ଇଂଲଣ୍ଡ ଗସ୍ତରେ ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ରୋହିତ ଶର୍ମାଙ୍କ ବ୍ୟାଟ୍ ଆଶାନୁରୂପ ଚାଲିପାରି ନାହିଁ। କ୍ରମାଗତ ବିଫଳତା ପରେ ଏବେ ସୋସିଆଲ ମିଡିଆ ଓ କ୍ରିକେଟ କରିଡରରେ ପ୍ରଶ୍ନ ଉଠିବା ଆରମ୍ଭ ହେଲାଣି ଯେ, ୩୯ ବର୍ଷୀୟ 'ହିଟ୍ମ୍ୟାନ୍'ଙ୍କ ସମୟ କ’ଣ ଶେଷ ହେବାକୁ ଯାଉଛି? କିନ୍ତୁ ରୋହିତଙ୍କୁ ନିକଟରୁ ଜାଣିଥିବା ବିଶେଷଜ୍ଞଙ୍କ ମତରେ, ତାଙ୍କୁ ଏତେ ଶୀଘ୍ର ଦଳରୁ ବାଦ୍ ଦେବା କିମ୍ବା ହାଲୁକା ଭାବେ ନେବା ସବୁଠୁ ବଡ଼ ଭୁଲ୍ ହେବ। ଲର୍ଡସରେ ହେବାକୁ ଥିବା ନିର୍ଣ୍ଣାୟକ ଦିନିକିଆ ମ୍ୟାଚ୍ ପୂର୍ବରୁ ଏବେ ସବୁଠୁ ବଡ଼ ପ୍ରଶ୍ନ ହେଉଛି- ରୋହିତ ଶର୍ମା ପୁଣି ଥରେ ଦମଦାର ପ୍ରତ୍ୟାବର୍ତ୍ତନ କରି ସମସ୍ତଙ୍କ ମୁହଁ ବନ୍ଦ କରିବେ ତ?
ରୋହିତ ଶର୍ମାଙ୍କ କ୍ୟାରିୟରର ସବୁଠାରୁ ବଡ଼ ବୈଶିଷ୍ଟ୍ୟ ହେଉଛି କେବଳ ରନ୍ ସଂଗ୍ରହ କରିବା ନୁହେଁ, ବରଂ ପ୍ରତିକୂଳ ପରିସ୍ଥିତି ଓ ସମାଲୋଚନା ଭିତରୁ ନିଜକୁ ପୁଣି ଥରେ ସଫଳତାର ସହ ଠିଆ କରିବା। ଜଣାଶୁଣା ବରିଷ୍ଠ କ୍ରିକେଟ ସାମ୍ବାଦିକ ବୋରିଆ ମଜୁମଦାର ରୋହିତଙ୍କ କ୍ୟାରିୟର ସହ ଜଡ଼ିତ କିଛି ଗୁରୁତ୍ୱପୂର୍ଣ୍ଣ କଥା ସେୟାର କରିଛନ୍ତି। ବର୍ଡର-ଗାଭାସ୍କର ଟ୍ରଫି ସମୟର ଏକ ଘଟଣା ମନେ ପକାଇ ସେ କହିଛନ୍ତି ଯେ, ଶେଷ ଟେଷ୍ଟ ପୂର୍ବରୁ ରୋହିତ ନେଟ୍ସରେ ଅଧିକ ବ୍ୟାଟିଂ କରୁନଥିଲେ। ସେତେବେଳେ ତାଙ୍କ ଆତ୍ମବିଶ୍ୱାସ କମ୍ ଥିବା ପରି ମନେହେଉଥିଲା ଏବଂ ସେ ନିଜେ ସେହି ଟେଷ୍ଟରୁ ଓହରି ଯିବାକୁ ନିଷ୍ପତ୍ତି ନେଇଥିଲେ। ସେତେବେଳେ ତାଙ୍କ ଚେହେରାରେ ନିରାଶା ସ୍ପଷ୍ଟ ବାରି ହୋଇପଡୁଥିଲା।
"କିନ୍ତୁ ଚଳିତ ଗସ୍ତରେ କାର୍ଡିଫ୍ ଏବଂ ବର୍ମିଂହାମର ଚିତ୍ର ସମ୍ପୂର୍ଣ୍ଣ ଭିନ୍ନ ଥିଲା। ଭଲେ ହିଁ ମ୍ୟାଚ୍ରେ ରନ୍ ହୋଇନଥାଇ ପାରେ, କିନ୍ତୁ ନେଟ୍ସରେ ରୋହିତଙ୍କ ପରିଶ୍ରମ, ତାଙ୍କ ଫିଟନେସ, ଅଭ୍ୟାସର ଶୈଳୀ ଏବଂ ପଡ଼ିଆରେ ତାଙ୍କର ଆଟିଟ୍ୟୁଡ୍ ସ୍ପଷ୍ଟ କରୁଛି ଯେ ସେ ଏପର୍ଯ୍ୟନ୍ତ ହାର୍ ମାନିନାହାନ୍ତି। ଏହି ଜିଦ୍ ହିଁ ତାଙ୍କ ପ୍ରତ୍ୟାବର୍ତ୍ତନର ଆଶାକୁ ଜୀବିତ ରଖିଛି।"
ପ୍ରତିଶ୍ରୁତି ପୂରଣ ପାଇଁ କରିଥିଲେ କଷ୍ଟକର ଯାତ୍ରା
ରୋହିତଙ୍କ ବ୍ୟକ୍ତିତ୍ୱକୁ ବୁଝାଇବାକୁ ଯାଇ ବୋରିଆ ଆଉ ଏକ ରୋଚକ କାହାଣୀ ଶୁଣାଇଛନ୍ତି। ଏକ ବହି ଉନ୍ମୋଚନ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ରୋହିତ ପ୍ରତିଶ୍ରୁତି ଦେଇଥିଲେ। ଆଇପିଏଲ୍ ମ୍ୟାଚ୍ ସରିବା ପରେ ସେହି ସହରରୁ କୌଣସି ଫ୍ଲାଇଟ୍ ମିଳିନଥିଲା। କିନ୍ତୁ ନିଜ ପ୍ରତିଶ୍ରୁତି ରକ୍ଷା କରିବା ପାଇଁ ରୋହିତ ରାତିସାରା କାର୍ରେ ଦୀର୍ଘ ରାସ୍ତା ଅତିକ୍ରମ କରି ଠିକ୍ ସମୟରେ କାର୍ଯ୍ୟକ୍ରମରେ ପହଞ୍ଚିଥିଲେ। ସେ ସେତେବେଳେ କେବଳ ଏତିକି କହିଥିଲେ- "ମୁଁ କଥା ଦେଇଥିଲି, ତେଣୁ ଆସିବାକୁ ହିଁ ଥିଲା।"
୨୦୨୭ ବିଶ୍ୱକପ୍ ଉପରେ ନଜର?
ଯଦି ରୋହିତ ଶର୍ମାଙ୍କୁ ନିଜ ଉପରେ ଏବଂ ନିଜ ଖେଳ ଉପରେ ଭରସା ନଥାନ୍ତା, ତେବେ ସେ ବହୁ ପୂର୍ବରୁ ଦଳରେ ନିଜ ସ୍ଥାନ ଛାଡ଼ି ଦେଇଥାନ୍ତେ। କିନ୍ତୁ ବିଗତ କିଛି ମାସ ମଧ୍ୟରେ ସେ ନିଜ ଫିଟନେସ ଉପରେ ଯେଭଳି କଠିନ ପରିଶ୍ରମ କରିଛନ୍ତି, ତାହା ସୂଚାଉଛି ଯେ ତାଙ୍କ ଲକ୍ଷ୍ୟ ଏବେ ବି ଅନେକ ଦୂର। ସେ ୨୦୨୭ ଦିନିକିଆ ବିଶ୍ୱକପ୍ ପର୍ଯ୍ୟନ୍ତ ଦେଶ ପାଇଁ ଖେଳିବାକୁ ନିଜକୁ ପ୍ରସ୍ତୁତ କରୁଛନ୍ତି। ତାଙ୍କର ସବୁଠାରୁ ବଡ଼ ଶକ୍ତି ହେଉଛି ସେ ଚାପକୁ ନିଜ ଉପରେ ହାବି ହେବାକୁ ଦିଅନ୍ତି ନାହିଁ ଏବଂ ଅତି ସହଜରେ ପରିସ୍ଥିତିକୁ ସାମ୍ନା କରନ୍ତି। ଏହି କାରଣରୁ ଖରାପ ଫର୍ମ ସତ୍ତ୍ୱେ ଟିମ୍ ମ୍ୟାନେଜମେଣ୍ଟ ଏବଂ ବିସିସିଆଇର ଆସ୍ଥା ତାଙ୍କ ଉପରୁ ତୁଟିନାହିଁ।